ଦାନଦକ୍ଷିଣା ଉପରେ ଲାଗିଲା କଟକଣା : ଦକ୍ଷିଣା ଆଦାୟ କଲେ ଗିରଫ ହେବେ ସେବାୟତ

Advertisment

ଶ୍ରୀମନ୍ଦିର ପ୍ରଶାସନ ନିଜେ କାଟିବ ଦର୍ଶନୀ ଟିକେଟ୍‌, ତିନି ରଥ ସହିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବ ୧୮ଟି ହୁଣ୍ଡି

ଶ୍ରୀମନ୍ଦିର ପ୍ରଶାସନ ନିଜେ କାଟିବ ଦର୍ଶନୀ ଟିକେଟ୍‌, ତିନି ରଥ ସହିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ଲାଗିବ ୧୮ଟି ହୁଣ୍ଡି

ଦାନଦକ୍ଷିଣା ଉପରେ ଲାଗିଲା କଟକଣା : ଦକ୍ଷିଣା ଆଦାୟ କଲେ ଗିରଫ ହେବେ ସେବାୟତ

ପୁରୀ : ଶ୍ରୀମନ୍ଦିରରେ ଭକ୍ତଙ୍କ ଦାନଦକ୍ଷିଣା ଉପରେ ସୁପ୍ରିମ୍‌କୋର୍ଟଙ୍କ ଆଇନ ଛାଟ ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗମ୍ଭୀରତାର ସହ ନେଇଛି। ଛତିଶା ନିଯୋଗ ଓ ଶ୍ରୀମନ୍ଦିର ପରିଚାଳନା ବୈଠକ ଡାକି ଶ୍ରୀମନ୍ଦିରରେ ଦାନଦକ୍ଷିଣା ଆଦାୟରେ ରୋକ୍‌ ଲଗାଇବା ସହ ଏ ସଂକ୍ରାନ୍ତରେ ଶ୍ରୀମନ୍ଦିରର ଚାରିଦ୍ଵାରରେ ସୂଚନା ଫଳକ ଲଗାଇଛି। ସୂଚନା ଫଳକରେ ଶ୍ରୀମନ୍ଦିର ପ୍ରଶାସନ ଲଗାଇଥିବା ହୁଣ୍ଡିରେ କେବଳ ଦାନ ଦେବାକୁ ଭକ୍ତଙ୍କୁ ନିବେଦନ କରାଯାଇଛି। ଯେଉଁମାନେ ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ କରିବେ ସେମାନଙ୍କୁ ଗିରଫ କରାଯିବ ବୋଲି ରୋକ୍‌ଠୋକ୍‌ ଶୁଣାଇ ଦିଆଯାଇଛି। ଶ୍ରୀମନ୍ଦିରରେ ସେବାୟତଙ୍କ ଦାନଦକ୍ଷିଣା ଉପରେ ରୋକ୍‌ ଲଗାଇବା ପରେ ଏବେ ରଥଯାତ୍ରାରେ ବି ଶ୍ରୀମନ୍ଦିର ପ୍ରଶାସନ ଦାନଦକ୍ଷିଣା ଉପରେ କଟକଣା ଜାରି କରିଛି। ରଥ ଉପରେ କିମ୍ବା ଶ୍ରୀଗୁଣ୍ଡିଚା ମନ୍ଦିରରେ କେଉଁଠି ବି ଦାନଦକ୍ଷିଣା ଆଦାୟ ହୋଇ ପାରିବନି ବୋଲି ସେବାୟତ ଏବଂ ଦଇତାପତିଙ୍କ ଉଦ୍ଦେଶ୍ୟରେ ଶ୍ରୀମନ୍ଦିର ପ୍ରଶାସନ ନିର୍ଦେଶନାମା ଜାରି କରିଛି।

ଏ ସଂପର୍କରେ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି, ଭକ୍ତଙ୍କଠାରୁ ଦାନଦକ୍ଷିଣା ଆଦାୟ ନକରିବାକୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନିଯୋଗକୁ ଚିଠି କରାଯାଇଛି। ଏହାକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ସମସ୍ତଙ୍କୁ କୁହାଯାଇଛି। ତିନି ରଥ ଶ୍ରୀମନ୍ଦିର ସିଂହଦ୍ଵାରଠାରୁ ଶ୍ରୀଗୁଣ୍ଡିଚା ମନ୍ଦିର ପହଞ୍ଚିବା ପର୍ଯ୍ୟନ୍ତ ଏହି ନିୟମକୁ ପାଳନ କରିବାକୁ ନିର୍ଦେଶ ଦିଆଯାଇଛି। ଏହାବାଦ୍‌ ତିନି ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିବା ପରେ ଏଠାରେ ୧୨ଟି ହୁଣ୍ଡି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯିବ। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥରେ ୪ଟି ଲେଖା ମିଶାଇ ମୋଟ୍‌ ୧୨ଟି ହୁଣ୍ଡି ଲଗାଯିବ। ଏଥିରେ ସ୍ୱଇଚ୍ଛାରେ ଦାନ ପାଇଁ ଭକ୍ତଙ୍କୁ ନିବେଦନ କରାଯିବ। ଶ୍ରୀଗୁଣ୍ଡିଚା ମନ୍ଦିରର ବିଭିନ୍ନ ସ୍ଥାନରେ ୬ଟି ହୁଣ୍ଡି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଲଗାଯିବ। ଏଠାରେ ହିଁ ଭକ୍ତମାନେ ଦାନଦକ୍ଷିଣା ପକାଇବେ। ହୁଣ୍ଡି ଉପରେ ଭକ୍ତଙ୍କ ଉଦ୍ଦେଶ୍ୟରେ ସୂଚନା ମଧ୍ୟ ରହିବ। ଏହି ସୂଚନାରେ ଶ୍ରୀମନ୍ଦିର ପ୍ରଶାସନ ଭକ୍ତଙ୍କୁ ଦାନ ଦକ୍ଷିଣା ପକାଇବାକୁ ନିବେଦନ କରିବ। ପୂର୍ବରୁ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ସେବାୟତମାନେ ଦର୍ଶନୀ ଟିକେଟ୍‌ କାଟୁଥିଲେ। ଏହାକୁ ନେଇ ବିଭିନ୍ନ ସମୟରେ ବିଶୃଙ୍ଖଳା ଉପୁଜୁଥିଲା। ଏଥିରେ ରୋକ୍‌ ଲଗାଇବା ପାଇଁ ନିଜେ ଶ୍ରୀମନ୍ଦିର ପ୍ରଶାସନ ଦର୍ଶନୀ ଟିକେଟ୍‌ କାଟିବ ବୋଲି ନିଷ୍ପତ୍ତି ହୋଇଛି। ଏଥିରୁ ସେବାୟତମାନଙ୍କୁ ଦୂରେଇ ରଖାଯାଇଛି। ଆଜି ନବଯୌବନ ଦର୍ଶନ ଉପରେ ତିନି ବାଡ଼ଗ୍ରାହୀ ଓ ଅନ୍ୟମାନଙ୍କ ସହ ଆଲୋଚନା ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏହା କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ତିନି ବାଡ଼ଗ୍ରାହୀଙ୍କଠାରୁ ସହଯୋଗ ଲୋଡ଼ା ଯାଇଥିଲା। ସମସ୍ତେ ନବଯୌବନ ଦର୍ଶନକୁ ଶୃଙ୍ଖଳିତ କରିବା ଦିଗରେ ସହାୟତା କରିବେ ବୋଲି ସହମତି ଜଣାଇଛନ୍ତି। ଏପରିକି ନୀତି ଶୃଙ୍ଖଳିତ କରିବାକୁ ସମସ୍ତେ ସହମତି ପ୍ରକାଶ କରିଛନ୍ତି। ଆସନ୍ତା ୧୩ ତାରିଖ ନବଯୌବନ ଦର୍ଶନ ଦିନ ଯେପରି ସକାଳ ୮ଟା ସୁଦ୍ଧା ଅଣସର ତାଟି ଫିଟିବ ତାହା ଉପରେ ବି ଗୁରୁତ୍ଵ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe