ଏନ୍‌ଏଚ୍‌ -୪୩ ବଣାଇଁ-ବାରକୋଟ ରାସ୍ତା ଅଧପନ୍ତରିଆ, କ୍ଷେତରେ ମାଡୁଛି ମୋରମ୍‌ ପାଣି

Advertisment

ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ : ପ୍ରକଳ୍ପ ନିର୍ଦ୍ଦେଶକ

ଉଚ୍ଚ ଅଧିକାରୀଙ୍କୁ ଜଣାଇଛୁ : ପ୍ରକଳ୍ପ ନିର୍ଦ୍ଦେଶକ

ଏନ୍‌ଏଚ୍‌ -୪୩ ବଣାଇଁ-ବାରକୋଟ ରାସ୍ତା ଅଧପନ୍ତରିଆ, କ୍ଷେତରେ ମାଡୁଛି ମୋରମ୍‌ ପାଣି

ରାଉରକେଲା: ବୀରମିତ୍ରପୁର-ରାଉରକେଲା-ବାରକୋଟ ୧୪୩ ନଂ ଜାତୀୟ ରାଜପଥ କାମ କଚ୍ଛପ ଗତି। ଜଣେ ପରେ ଜଣେ ପ୍ରକଳ୍ପ ନିର୍ଦ୍ଦେଶକ ବଦଳି ହେଉଛନ୍ତି। କିନ୍ତୁ ଯାଏଁ  ପାଖାପାଖି ୩୦% କାମ ସରିନି। ଯେମିତି କାମ ଚାଲିଛି ୨୦୨୩ ପୁରୁଷ ବିଶ୍ବ ହକି ପୂର୍ବରୁ ସରିବାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ବେଶି ସମସ୍ୟା ଉପୁଜିଛି ବଣାଇ୍ଁ-ବାରକୋଟ ରାସ୍ତା। ଠିକା ସଂସ୍ଥା କାମ ଛାଡି ଚାଲିଯିବା ପରେ ମଧ୍ୟ ଏନ୍‌ଏଚ୍‌ଆଇ ପକ୍ଷରୁ ଏଯାଏଁ କୌଣସି ବିକଳ୍ପ ବ୍ୟବସ୍ଥା ହୋଇ ନାହିଁ। ସ୍ଥାନୀୟ ପ୍ରକଳ୍ପ ନିର୍ଦ୍ଦେଶକ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଜଣାଇ ନିଜର କାମ ସାରିଦେଇଛନ୍ତି। ଯାତାୟତରେ ସମସ୍ୟା ଉପୁଜୁ ନାହିଁ ବରଂ ବର୍ଷା ପାଣି ନିଷ୍କାସନ ପାଇଁ ବ୍ୟବସ୍ଥା ନଥିବାରୁ ଜାତୀୟ ରାଜପଥ ପାର୍ଶ୍ବ ଚାଷ ଜମି ନଷ୍ଟ ହେଉଛି।

ହୋମ୍‌ ପାଇପ୍‌ ପଡ଼ିଯିବାରୁ ମୋରମ୍‌ ପାଣି ଓ ମାଟି ଅତଡା ଏକର ଏକର ଜମିରେ ଜମି ରହୁଛି। ବଣାଇଁ-ବାରକୋଟ ଜାତୀୟ ରାଜପଥର କାଦୋପଡା ସମେତ ଅନ୍ୟାନ୍ୟ ଜାଗାରେ ଏଭଳି ସାଂଘାତିକ ସ୍ଥିତି ଉପୁଜିଛି। ପ୍ରାୟ ୫୦ ଏକରରୁ ଅଧିକ ଜମିରେ ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କିଛି ଜାଗାରେ ଏବେ ଆଣ୍ଠୁଏ ଲେଖାଏଁ ମୋରମ୍‌ ପାଣି ଜମି ରହିଛି। ଏ ସଂକ୍ରାନ୍ତରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ବାରମ୍ବାର ଜାତୀୟ  ରାଜପଥ କାମ ତଦାରଖ କରୁଥିବା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ବିଭାଗୀୟ ଅଧିକାରୀ କିନ୍ତୁ ଏମାନଙ୍କ ସମସ୍ୟାର ସମାଧାନ କରିବାକୁ କୌଣସି ପଦକ୍ଷେପ ନେଉଥିବା ଚାଷୀମା‌ନେ ଅଭିଯୋଗ କରିଛନ୍ତି।

ଆଗକୁ ଲଗାଣ ବର୍ଷା ହେବାକୁ ଯାଉଥିବାରୁ ଜାତୀୟ ରାଜପଥ ପାର୍ଶ୍ବ ଅଧିକାଂଶ ଜମିର ଧାନ ତଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବାର ସମ୍ଭାବନା  ରହିଛି। ଯାହାକୁ ନେଇ ସ୍ଥାନୀୟ ଚାଷୀଙ୍କ ଚିନ୍ତା ବଢ଼ିଯାଇଛି। ଠିକାସଂସ୍ଥା ‘ ଗାୟତ୍ରୀ କନ୍‌ଷ୍ଟ୍ରକ୍ସନ’ ଜାତୀୟ ରାଜପଥ ସମ୍ପ୍ରସାରଣ କାମରୁ ଓହରିଯିବା, ଏଯାଏଁ ଅନ୍ୟ ଠିକାସଂସ୍ଥାକୁ କାମ ମିଳି ନଥିବାରୁ ଆସନ୍ତା ଲଗାଣ ବର୍ଷାରେ ଚାଷୀଙ୍କୁ ବହୁ କ୍ଷତି ସହିବାକୁ ପଡ଼ିପାରେ। ଅଧପନ୍ତରିଆ କାମ ଓ ନଷ୍ଟ ହେଉଥିବା ଚାଷ ଜମି ସଂକ୍ରାନ୍ତରେ ଜାତୀୟ ରାଜପଥର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଗାମିଙ୍କୁ ପଚାରିବାରୁ ସେ କହିଛନ୍ତି, ଗାୟତ୍ରୀ କନଷ୍ଟ୍ରକ୍ସନ କାମରୁ ଓହରି ଯିବା ପରେ ଏଭଳି ସମସ୍ୟା ଉପୁଜୁଛି। ଏ ବିଷୟରେ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। କିନ୍ତୁ ଅଦ୍ୟାବଧି ବଣାଇ-ବାରକୋଟ ଅଧପନ୍ତରିଆ ରାସ୍ତା କାମ ଶେଷ କରିବାକୁ କୌଣସି ଠିକା ସଂସ୍ଥାକୁ ମିଳି ନାହିଁ।

ଚାଷ ଜମିରେ ପଶୁଥିବା ଜାତୀୟ ରାଜପଥ ମାଟି, ମୋରମ ପାଣି ସମସ୍ୟାକୁ ସମାଧାନ କରିବାକୁ ଦାୟିତ୍ବରେ ଥିବା ଅଧିକାରୀଙ୍କୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ବୀରମିତ୍ରପୁର-ରାଉରକେଲା-ବାରକୋଟ ଜାତୀୟ ରାଜପଥ ସମ୍ପ୍ରସାରଣ କାମ ୨୦୨୨ ଶେଷ ସୁଦ୍ଧା ସରିବ କି ନାହିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ‌େପଟେ ଦ୍ବିତୀୟ ବ୍ରାହ୍ଣଣୀ ସେତୁ  ନେଇ ଶ୍ରେୟ ରାଜନୀତି କରୁଥିବା ରାଜନୈତିକ ଦଳଗୁଡ଼ିକ ଜାତୀୟ ରାଜପଥ କାମକୁ ନେଇ ଚୁପ୍‌ ବସି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe