ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କ ପରଲୋକ

Advertisment

ଏକ ଯୁଗର ଅନ୍ତ

ଏକ ଯୁଗର ଅନ୍ତ

ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କ ପରଲୋକ

ପୁରୀ : ଓଡ଼ିଶା ବନାଟି ଇତିହାସରେ ଏକ ଯୁଗର ଅବସାନ ଘଟିଛି। ବନାଟି ଭଳି ସମରକଳାକୁ ସମଗ୍ର ରାଜ୍ୟରେ ପହଞ୍ଚାଇଥିବା ପୁରୀର ବନାଟି ଗୁରୁ ରାମଚନ୍ଦ୍ର ସୁଆରଙ୍କ ପରଲୋକ ହୋଇଯାଇଛି। ଗତକାଲି ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କୁ ୬୨ ବର୍ଷ ହୋଇଥିଲା।

ମହାପ୍ରଭୁଙ୍କ ରଥଯାତ୍ରା, ବାହୁଡ଼ା ଯାତ୍ରା ଓ ନୀଳାଦ୍ରି ବିଜେ ପହଣ୍ଡି ସମୟରେ ପାରମ୍ପରିକ ଐତିହ୍ୟ ସମ୍ପନ୍ନ ବନାଟି କଳା ପ୍ରଦର୍ଶନ କରି ଆସୁଥିବା ଶ୍ରୀ ସୁଆର ଦେଢ଼ ବର୍ଷ ହେବ କିଡ୍‌ନି ରୋଗରେ ପୀଡ଼ିତ ‌ଥିଲେ। ଗତବର୍ଷ ଦୀର୍ଘମାସ ଧରି ସମ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେବା ପରେ ଘରକୁ ଫେରିଥିଲେ। ପୁନର୍ବାର ବ୍ରେନ୍‌ଷ୍ଟ୍ରୋକ୍‌ ଯୋଗୁଁ ପକ୍ଷାଘାତ ହେବାରୁ ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟରେ ୪ ମାସ ଧରି ଚିକିତ୍ସାଧୀନ ଥିଲେ। କରୋନା ଯୋଗୁଁ ଘରେ ଚିକିତ୍ସିତ ହୋଇ ଆସୁଥିଲେ। ମାତ୍ର ବୁଧବାର ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ଡାକ୍ତରଙ୍କ ପରାମର୍ଶରେ ତାଙ୍କୁ ସେଠାରୁ ତୁରନ୍ତ ଏମ୍ସ ନିଆଯାଇଥିଲା। ତେବେ ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ତାଙ୍କ ବିୟୋଗରେ ମୁଖ୍ୟ ଶାସନ ସଚିବ ତଥା ଶ୍ରୀ ସୁଆରଙ୍କ ଠାରୁ ବନାଟି ଖେଳ ପ୍ରଶିକ୍ଷଣ ନେଇଥିବା ସୁରେଶ ଚନ୍ଦ୍ର ମହାପାତ୍ର ଓ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଶୋକବ୍ୟକ୍ତ କରିଛନ୍ତି।

ବାସେଳି ସାହି ନୀଳମାଧବ ଲେନ୍‌ ‌ନିବାସୀ ରାମଚନ୍ଦ୍ର ତାଙ୍କ ଦାଦା ରଘୁନାଥ ସୁଆରଙ୍କ ଦ୍ବାରା ଅନୁପ୍ରାଣିତ ହୋଇ ବନାଟି ଖେଳକୁ ଆପଣାଇଥିଲେ। ସେ ପିଲାବେଳୁ ଏହି ଖେଳରେ ଦକ୍ଷତା ହାସଲ ସହ ଏହାକୁ ଏକ କ୍ରୀଡ଼ାରେ ରୂପାନ୍ତର କରି ବଞ୍ଚାଇ ରଖିବାକୁ ଚାହିଁଲେ। ତେଣୁ ୧୯୯୦ ମସିହାରେ ଶ୍ରୀଜଗନ୍ନାଥ ସମରକଳା ପ୍ରଶିକ୍ଷଣ ଓ ଗବେଷଣା ପ୍ରତିଷ୍ଠାନ ଗଠନ କରି ପିଲାଙ୍କୁ ବନାଟି ତାଲିମ୍‌ ଦେଲେ। ପରେ ପୁରୀ ଜିଲ୍ଲା ବନାଟି ସଂଘ, ଓଡ଼ିଶା ବନାଟି ସଂଘ, ଭାରତୀୟ ବନାଟି ମହାସଂଘ ଗଠନ କରି ହଜାର ହଜାର ଛାତ୍ରଛାତ୍ରୀଙ୍କୁ ବନାଟିରେ ଦକ୍ଷ କରାଇଥିଲେ। ତାଙ୍କ ଉଦ୍ୟମରେ ପ୍ରଥମେ ପୁରୀର ୬ଟି ସ୍କୁଲ୍‌ରେ ବନାଟି ପ୍ରଶିକ୍ଷଣ ଦିଆଯାଇଥିଲା। ପରେ ଏହା ସମସ୍ତ ସ୍କୁଲ୍‌ରେ ଆରମ୍ଭ ହୋଇଥିଲା। ବନାଟି ପାଠ୍ୟକ୍ରମ ପ୍ରସ୍ତୁତ କରି ସେ ବହୁ ପିଲାଙ୍କୁ ବନାଟି ମାଷ୍ଟର ଭାବେ ଗଢ଼ି ତୋଳିଥିଲେ। ବନାଟି କୌଶଳ, ବିଶାରଦ ଓ ଆଚାର୍ଯ୍ୟ ଭଳି ପାଠ୍ୟ ଖସଡ଼ା କରି ୩ ବର୍ଷ ତାଲିମ ଦେଇ ଆସୁଥିଲେ। ଏହାବ୍ୟତୀତ ସେ ଅନେକ କବିତା ରଚନା କରିଥିଲେ। ମାତ୍ର ଅର୍ଥ ଅଭାବରୁ ତାହା ଅପ୍ରକାଶିତ ‌ହୋଇ ରହିଯାଇଛି। ମରଶରୀର ନିକଟରେ ତାଙ୍କ ପତ୍ନୀ ସବିତା ସୁଆର, ପୁଅ ଜଗନ୍ନାଥ, କନ୍ୟା ଭାନୁପ୍ରିୟା, ଜାମାତା ଅଭିଜିତ ପଣ୍ଡା, ଛାତ୍ର ମଧୁସୂଦନ ମିଶ୍ର ଓ ବିଷ୍ଣୁଦତ୍ତ ଦାସଙ୍କ ସମେତ ଅନ୍ୟ ଛାତ୍ରମାନେ ଉପସ୍ଥିତ ଥିଲେ। ପୁରୀ ସ୍ବର୍ଗଦ୍ବାରରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ପୁଅ ଜଗନ୍ନାଥ ମୁଖାଗ୍ନି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe