Mayurbhanj Bandana Festival: ‘ବାନ୍ଦଣା ପରବ’ ଓ ଗୋ-ଖୁଣ୍ଟା ପରବ ପରମ୍ପରା

Advertisment

ମୟୂରଭଂଜ ଜିଲ୍ଲା ବାମନଘାଟି ଅଞ୍ଚଳରେ ତ୍ରୟୋଦଶୀରୁ ଧନତେରସ ଓ ଧନ୍ୱନ୍ତରୀ ଜୟନ୍ତୀ, ଚତୁର୍ଦ୍ଧଶୀରେ ନରକ ନାଶିନୀ ଚତୁର୍ଦ୍ଧଶୀ ପାଳିତ ହେଉଥିବା ବେଳେ ଦୀପାବଳି ପରଦିନ ପ୍ରତିପଦାରେ ଗୋବର୍ଦ୍ଧନ ପୂଜା ଓ ଦ୍ୱତୀୟାରେ ଭୈୟାଦୁଜା ପାଳିତ ହୋଇଥାଏ।

ମୟୂରଭଂଜ ଜିଲ୍ଲା ବାମନଘାଟି ଅଞ୍ଚଳରେ ତ୍ରୟୋଦଶୀରୁ ଧନତେରସ ଓ ଧନ୍ୱନ୍ତରୀ ଜୟନ୍ତୀ, ଚତୁର୍ଦ୍ଧଶୀରେ ନରକ ନାଶିନୀ ଚତୁର୍ଦ୍ଧଶୀ ପାଳିତ ହେଉଥିବା ବେଳେ ଦୀପାବଳି ପରଦିନ ପ୍ରତିପଦାରେ ଗୋବର୍ଦ୍ଧନ ପୂଜା ଓ ଦ୍ୱତୀୟାରେ ଭୈୟାଦୁଜା ପାଳିତ ହୋଇଥାଏ।

GO KHUNTA 2

Go khunta festival of Mayurbhanj. Photograph: (sambad.in)

ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ବାମନଘାଟି ଅଂଚଳରେ କାର୍ତିକ ମାସ ଅମାବାସ୍ୟା ଦିନ ପାଳିତ ହୁଏ ଆଲୋକର ପର୍ବ ଦୀପାବଳି ବାନ୍ଦଣା ପର୍ବ। ତ୍ରୟୋଦଶୀରୁ ଧନତେରସ ଓ ଧନ୍ୱନ୍ତରୀ ଜୟନ୍ତୀ, ଚତୁର୍ଦ୍ଧଶୀରେ ନରକ ନାଶିନୀ ଚତୁର୍ଦ୍ଧଶୀ ପାଳିତ ହେଉଥିବା ବେଳେ ଦୀପାବଳି ପରଦିନ ପ୍ରତିପଦାରେ ଗୋବର୍ଦ୍ଧନ ପୂଜା ଓ ଦ୍ୱତୀୟାରେ ଭୈୟାଦୁଜା ପାଳିତ ହୋଇଥାଏ। ଏହିପରି ୫ ଦିନ ଧରି ଭିନ୍ନଭିନ୍ନ ପରମ୍ପରାରେ ଏହି ବାନ୍ଦଣା ପର୍ବ ପାଳିତ ହୋଇଥାଏ।

ମୟୂରଭଂଜ ଜିଲ୍ଲାରେ କୁଡୁମୀ (ମହାନ୍ତ), ଭୂମିଜ, ବାଥୁଡି, ଲୋଧା, କୁମ୍ଭାର, ଗଣ୍ଡ ପ୍ରଭୃତି ସଂପ୍ରଦାୟର ଲୋକେ ଏହି ପର୍ବକୁ ‘ବାନ୍ଦଣା ପର୍ବ’ କହୁଥିବା ବେଳେ ସାନ୍ତାଳ ସଂପ୍ରଦାୟର ଲୋକେ ଏହି ପର୍ବକୟ ‘ସହରାୟ ପର୍ବ’ କହିଥାନ୍ତି। ସେହି ସମ୍ପ୍ରଦାୟ ମା’ କାଳୀଙ୍କୁ ଧନଦେବୀ ଓ ବନଦେବୀର ପ୍ରତୀକ ଭାବେ ପୂଜା କରିଥାନ୍ତି। ପ୍ରକୃତି ବିଶ୍ୱାସୀ କୁଡୁମୀ ସଂପ୍ରଦାୟର ଲୋକେ ଚାଷ କାର୍ଯ୍ୟକୁ ଜୀବନ ଧାରଣର ପନ୍ଥା ଭାବେ ବାଛିନେଇ ଥିବାରୁ ନିଜର ଧନ ସମ୍ପତିର ମୁଖ୍ୟ ସହାୟତା ପ୍ରଦାନ କରୁଥିବା ଗୋ-ସମ୍ପଦକୁ ଏହି ଅବସରରେ ପୂଜା କରିବା ସେମାନଙ୍କର ଏକ ନିଆରା ପରମ୍ପରା। କୁଡୁମୀ ମହାନ୍ତମାନେ ବାନ୍ଦଣା ପର୍ବକୁ ୩ଟି ପ୍ରର୍ଯ୍ୟାୟରେ ପାଳନ କରିଥାନ୍ତି।

ପ୍ରଥମ ଦିନର ପୂଜାକୁ ଗୋଠ ପୂଜା କୁହାଯାଇଥାଏ। ଦୀପାବଳି ଦିନ ଅପରାହ୍ନରେ ଏହି ପର୍ବ ପାଳନ କରାଯାଇଥାଏ। ଗାଁ ମୁଣ୍ଡ ପଡ଼ିଆ ବା ଖୋଲାସ୍ଥାନରେ ଗୋବର ଦ୍ୱାରା ଲିପାଯାଇଥାଏ ଏବଂ ଉକ୍ତସ୍ଥାନରେ ଗୋଟିଏ ଅଣ୍ଡା ରଖାଯାଇଥାଏ। ଗ୍ରାମର ପୂଜକ ପାରମ୍ପରିକ ପୂଜାନୀତି ସମ୍ପୂର୍ଣ କରିବା ପରେ ଗୋଠରୁ ଫେରୁଥିବା ଗୋରୁଗାଇଙ୍କ ପୋଲକୁ ଛଡାଯାଇଥାଏ। ଯେଉଁ ଗୋରୁ ବା ଗାଈର ଖୁରାରେ ବାଜି ଅଣ୍ଡାଟି ଭାଙ୍ଗିଥାଏ। ସେହି ଗୋରୁର ମାଲିକଙ୍କୁ ବହୁତ ଭାଗ୍ୟବାନ କୁହାଯାଇଥାଏ। ଏହାପରେ ସେହିରାତ୍ରରେ ତାଙ୍କ ଘରେ ସମସ୍ତ ଗ୍ରାମବାସୀଙ୍କୁ ଡକାଯାଇ ଭୋଜିଭାତ ଖାଇବାକୁ ଦେବା ପରେ ଧେଙ୍ଗୁଆନ ରେ ବାହାରି ଗ୍ରାମର ସମସ୍ତ ଘରକୁ ଘର ବୁଲୁ ପରିକ୍ରମା କରିଥାନ୍ତି। ମାଦଳର ତାଳେତାଳେ ନାଚଗୀତର ଆସର ହୋଇଥାଏ। କେତେକ ସ୍ଥାନରେ ସେହି ପୂଜା ସ୍ଥାନରେ କୁକୁଡା ବଳି ଦିଆଯାଇଥାଏ। ତହିଁ ପରଦିନ ଆରମ୍ଭ ହୋଇଥାଏ ଗରୟା ପୂଜା। ଏହି ଦିନ କୁଡୁମୀ ମାନେ ପ୍ରକୃତିକୁ ପୂଜା କରିଥାନ୍ତି।

ସାନ୍ତାଳମାନେ ଡାଡ଼ିବୁରୁ ଓ ହେମାଳବୁରୁ ଗ୍ରାମଦେବୀଙ୍କୁ ପୂଜା କରୁଥିବା ବେଳେ ଅନ୍ୟସଂପ୍ରଦାୟର ଲୋକେ ସେମାନଙ୍କର ନିର୍ଦ୍ଧିଷ୍ଟ ଦେବାଦେବୀଙ୍କୁ ପୂଜା କରିଥାନ୍ତି। ଏହି ଦିନ ସମସ୍ତେ ଦାଣ୍ଡରୁ ଗୁହାଳ ପ୍ରର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଝୋଟି ପକାଇଥାନ୍ତି, ଯାହାକୁ ଦାଣ୍ଡିଆ ଝୋଟି କୁହାଯାଏ। ତା ସହିତ ଘରର ବୋହୂମାନେ ସକାଳୁ ଗାଧେଇ ନୁଆଁ ଲୁଗାପିନ୍ଧି ଚୁନା ତିଆରି କରି ଗୁଡ ଓ ଘିଅରେ ଗରୟା ପିଠା ତିଆରି କରନ୍ତି। ଗୁହାଳରେ ବିଭିନ୍ନ ପ୍ରକାର ଫୁଲରେ ସାଜସାଜ୍ଜା କରି ଗରୟା ପିଠା ପ୍ରସ୍ତୁତ କରି ଗୁହାଳରେ ଠାକୁରଙ୍କୁ ଭୋଗ ଲଗାଇଥାନ୍ତି। ଏଥି ସହିତ ଗୁହାଳରେ ୩ ବା ୫ ବା ୭ ପ୍ରକାର କୁକୁଡା ବଳି ଦେଇଥାନ୍ତି। କିନ୍ତୁ ବର୍ତ୍ତମାନ କିଛି ଲୋକ କୁକୁଡ଼ା ବଳି ବଦଳରେ କଦଳୀ, ମିଠେଇ ପୂଜା କରି ଭୋଗ ଲଗାଇଥାନ୍ତି।

ଗୋବର୍ଦ୍ଧନ ପୂଜା ଅନୁଯାୟୀ ସଧ୍ୟାରେ ଗୋରୁଗାଈଙ୍କ ଶିଙ୍ଗରେ ତେଲଘିଅ ଲୋଗାଇ ନୂଆଧାନ ଗଛରେ ମଉଡ ବା ମୁକୁଟ ପିନ୍ଧାଇ ବନ୍ଦାପନା କରିଥାନ୍ତି। ପର୍ବର ଶେଷଦିନ ଅନୁଷ୍ଠିତ ହୋଇଥାଏ ଗୋ-ଖୁନ୍ଟା ପର୍ବ ବା ଗୋରୁଚୁମା ପର୍ବ। ଭୂତ, ପ୍ରେତ, ଡାହାଣୀ ପ୍ରଭୃତି ଦୃଷ୍ଟିଶକ୍ତିଙ୍କ ପ୍ରଭାବରୁ ଗୋଜାତିକୁ ରକ୍ଷାପାଇଁ ମେଥି, ଭାଲିଆ ଓ ସୋରିଷ ଆଦି ଏକ ମାଟିପାତ୍ରରେ ରଖି ତାହାକୁ ଅଙ୍ଗାର ଦ୍ୱାରା ଧୁଆଁ କରାଯାଇଥାଏ ଏବଂ ସେଥିରୁ ନିର୍ଗତ ଧୁଆଁକୁ ଗୋରୁଗାଇଙ୍କ ଦେହରେ ସ୍ପର୍ଶ କରାଯାଇଥାଏ। ଏହାପରେ ଗୋରୁଗାଇଙ୍କ ଦେହରେ ବିଭିନ୍ନ ଝଟିଚିତ୍ରରେ ଆଙ୍କିଥାନ୍ତି ଏବଂ ଏକ ମଜବୁତ ଦଉଡ଼ି ବା ପଘାରେ ବାନ୍ଧି ଗାଁ ମୁଣ୍ଡ ବା ଏକ ବଡ଼ ଖୋଲା ପଡ଼ିଆରେ ପୋତାଯାଇଥିବା ଖୁଣ୍ଟରେ ବାନ୍ଧି ଦିଆଯାଇଥାଏ। ବଣଜଙ୍ଗଲରେ ଚରିବୁଲୁଥିବା ଗୋରୁଗାଇଙ୍କ ଆତ୍ମରକ୍ଷା କୌଶଳ ଶିକ୍ଷା ଓ ସାହସ ନିମନ୍ତେ ମାଦଳ ବଜାଇ, ବାଣ ଫୁଟାଇ ଗୀତ ଗାଇ ତାଲିମ ଦିଆଯାଇଥାଏ, ଯାହାକୁ ଗୋ-ଖୁଣ୍ଟା ପରବ କୁହାଯାଏା 

 Mayurbhanj 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe