‘ବାଂଲାର ରସଗୋଲା’ର ଜିଆଇ ରଦ୍ଦ କରିବା ପାଇଁ ଦାବିପତ୍ର

Advertisment
‘ବାଂଲାର ରସଗୋଲା’ର ଜିଆଇ ରଦ୍ଦ କରିବା ପାଇଁ ଦାବିପତ୍ର

ଭୁବନେଶ୍ୱର: ‘ବାଂଲାର୍‌ ରସଗୋଲା’ ନାଁରେ ପଶ୍ଚିମବଂଗକୁ ମିଳିଥିବା ଭୌଗୋଳିକ ପରିଚିତି(ଜିଆଇ) ମାନ୍ୟତାକୁ ଅସିଦ୍ଧ ଘୋଷଣା କରିବା ପାଇଁ ଆଜି ରିଜିଓନାଲ୍‌ ଡେଭଲପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଚେନ୍ନାଇସ୍ଥିତ ଇଣ୍ଟେଲେକ୍‌ଚୁଆଲ୍‌ ପ୍ରପର୍ଟି(ଆଇପି) ଅଫିସରେ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଟ୍ରଷ୍ଟ ପକ୍ଷରୁ ରମେଶ ଚନ୍ଦ୍ର ସାହୁ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନ୍‌ ଅଫ୍‌ ମାଡ୍ରାସ୍‌ ସହାୟତାରେ ଏହି ପ୍ରତିବାଦ କରିଛନ୍ତି। ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଭୁଲ୍‌ ତଥ୍ୟ ଉପସ୍ଥାପନ କରି, ମାତ୍ର ଦେଢ଼ଶହ ବର୍ଷ ତଳେ ସେମାନେ ରସଗୋଲା ଉଦ୍ଭାବନ କରିଛନ୍ତି ବୋଲି ଦର୍ଶାଇ ପଶ୍ଚିମବଙ୍ଗ ଚଞ୍ଚକତା କରି ଭୌଗୋଳିକ ପରିଚିତି ହାସଲ କରିଛି। ମାତ୍ର ଶ୍ରୀମନ୍ଦିର ଓ ଓଡ଼ିଆ ଜନଜୀବନରେ ୮ ଶହ ଓ ହଜାର ବର୍ଷ ତଳେ ରସଗୋଲା ଥିଲା ଏବଂ ଆମର ପ୍ରାଚୀନ ସାହିତ୍ୟ ଓ ମାଦଳା ପାଞ୍ଜିରେ ସେସବୁ ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ୫ଶହ ବର୍ଷ ତଳେ ଭକ୍ତକବି ବଳରାମ ଦାସଙ୍କ ଦାଣ୍ଡି ରାମାୟଣରେ ରସଗୋଲା ସଂପର୍କରେ ଉଲ୍ଲେଖ ରହିଛି। ଅଥଚ ଆଇପି ଅଫିସ ସମ୍ମୁଖରେ ଏ ସଂପର୍କରେ ବିଧିବଦ୍ଧ ଭାବେ ଉପସ୍ଥାପନା କରାଯାଇ ନଥିବାରୁ ପଶ୍ଚିମବଙ୍ଗକୁ ଭୌଗୋଳିକ ପରିଚିତି ମିଳିଛି ବୋଲି ଟ୍ରଷ୍ଟ ପକ୍ଷରୁ କୁହାଯାଇଛି।

ଗତ ସପ୍ତାହରେ ‘ବାଂଲାର୍‌ ରସଗୋଲା’ର ଜିଆଇ ମାନ୍ୟତାକୁ ରଦ୍ଦ କରିବା ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି। ସେହିପରି ଆଜିର ଦାବିପତ୍ର ପ୍ରଦାନ ପରେ ଚେନ୍ନାଇସ୍ଥିତ ଜିଆଇ ଅଫିସର ନ୍ୟାୟିକ ବ୍ୟବସ୍ଥା ଆସନ୍ତା ୧୫ ଦିନ ମଧ୍ୟରେ ନୋଟିସ୍‌ ଜାରି କରିବେ ବୋଲି ଆଇପି ଅଫିସ ଉପମୁଖ୍ୟ ସୂଚନା ଦେଇଛନ୍ତି। ଏହି ଦାବିପତ୍ର ପ୍ରଦାନ ଅବସରରେ ଟ୍ରଷ୍ଟ୍‍ର ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ସାଂସ୍କୃତିକ ଅନୁଷ୍ଠାନ ‘ପୁଣ୍ୟ ଉତ୍କଳ’ ପକ୍ଷରୁ ସୁଶାନ୍ତ, ସାହିତ୍ୟ ପତ୍ରିକା ‘ଓଡ଼ିଆ ପର୍ବ’ର ସଂପାଦକ ସନ୍ତୋଷ କୁମାର ସାହୁ ଏବଂ ଚେନ୍ନାଇସ୍ଥିତ ଉତ୍କଳ ଆସୋସିଏସନ୍‌ ଅଫ୍‌ ମାଡ୍ରାସର ସଭାପତି ବିଭୂତି ଭୂଷଣ ବିଷୋୟୀ, କୋଷାଧ୍ୟକ୍ଷ ପଞ୍ଚାନନ ସାହୁ, କାର୍ଯ୍ୟକାରୀ ସଦସ୍ୟ ବିଶ୍ୱଜିତ କାନୁନ୍‌ଗୋ, ସଦସ୍ୟ ଅଶୋକ ସାମନ୍ତ ଏବଂ ପୁଣ୍ୟ ଉତ୍କଳର ବରିଷ୍ଠ ସଭ୍ୟ ଗୀତିକାର ବିଷ୍ଣୁ ପଟ୍ଟନାୟକ ପ୍ରମୁଖ ଉପସ୍ଥତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe