ବାଂଲାଦେଶୀ ଅନୁପ୍ରବେଶକାରୀ ଚିହ୍ନଟ ଓ କାର୍ଯ୍ୟାନୁଷ୍ଠାନ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ବାର୍ଥ ମାମଲା

ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ସୁରକ୍ଷା ପ୍ରତି ବାଂଲାଦେଶୀ ଅନୁପ୍ରବେଶକାରୀ ବିପଦ।

Orissa High Court

Orissa High Court Photograph: (sambad.in )

କଟକ: ରାଜ୍ୟରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପ୍ରସଙ୍ଗ ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ରୁଜୁ ହୋଇଛି। ଆଇନଜୀବୀ ଶିବଶଙ୍କର ମହାନ୍ତିଙ୍କ ତରଫରୁ ଦାୟର ଆବେଦନରେ ଉଲ୍ଲେଖ କରାଯାଇଛି ଯେ ଜାତୀୟ ସୁରକ୍ଷା ପ୍ରତି ବାଂଲାଦେଶୀ ଅନୁପ୍ରବେଶକାରୀ ବିପଦ। କିନ୍ତୁ ଆଇନ ଅନୁସାରେ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ ନଥିବାରୁ ଏପରି ଅନୁପ୍ରବେଶକାରୀଙ୍କ ସଂଖ୍ୟା ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି। ବାଂଲାଦେଶୀ ଅନୁପ୍ରବେଶକାରୀ ରାଜ୍ୟରେ ବେଆଇନ ଭାବେ ରହିବା ସହିତ ଜାଲ୍‌ କାଗଜପତ୍ର ଜରିଆରେ ଆଧାର କାର୍ଡ, ଭୋଟର କାର୍ଡ ଓ ରାସନ୍ କାର୍ଡ ସମେତ ଅନ୍ୟ ସରକାରୀ ପରିଚୟପତ୍ର ତଞ୍ଚକତା କରି ହାସଲ କରୁଛନ୍ତି। ଏଭଳି ସ୍ଥିତିରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହଜ ନୁହେଁ। ବାଂଲାଦେଶୀ ଅନୁପ୍ରବେଶକରୀମାନେ ଦେଶର ନାଗରିକଙ୍କ ପାଇଁ ଥିବା ସୁବିଧା ସୁଯୋଗ ଉପଭୋଗ କରୁଛନ୍ତି।  ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ସ୍ୱତନ୍ତ୍ର ଟାସ୍କଫୋର୍ସ ଗଠନର ଆବଶ୍ୟକତା ରହିଛି।

ଅତୀତରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ଚିହ୍ନଟ ପ୍ରସଙ୍ଗରେ ସରକାର ଜାରି କରିଥିବା ବିଭିନ୍ନ ସର୍କୁଲାର ଆଧାରରେ ଏ ପର୍ଯ୍ୟନ୍ତ ଫଳପ୍ରଦ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଗୃହ ବିଭାଗ, ପୁଲିସ ବିଭାଗ ପ୍ରତି ଜିଲ୍ଲାରେ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ସର୍ଭେ କରି ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ଦ୍ଦେଶ ଦିଆଯାଉ। ଆଧାର କାର୍ଡ, ଭୋଟର କାର୍ଡ, ରା‌ସନ କାର୍ଡ ଯାଞ୍ଚ କରାଯାଇ ବାସ୍ତବରେ ଯେଉଁମାନେ ଅନୁପ୍ରବେଶକାରୀ ସେମାନଙ୍କ କାର୍ଡ ବାତିଲ କରାଯାଉ। ଏଥି ସହିତ କିଭଳି ଭାବେ ଜାଲ୍‌ ପ୍ରମାଣପତ୍ର ଜରିଆରେ ଏପରି କାର୍ଡ ଅନୁପ୍ରବେଶକାରୀ ହାସଲ କରିଥିଲେ ତାହା ମଧ୍ୟ ତଦନ୍ତ କରାଯିବାର ଆବଶ୍ୟକତା ରହିଛି। ଅନୁପ୍ରବେଶକରୀଙ୍କ ଚିହ୍ନଟ ବେଳେ ବାଂଲାଦେଶ ହାଇ କମିସନଙ୍କ ସହାୟତା ନିଆଯାଉ। ଚିହ୍ନଟ ପରେ ଅନୁପ୍ରବେଶକାରୀଙ୍କୁ ଡିଟେନସନ୍ ସେଣ୍ଟରରେ ରଖାଯିବା ସହିତ ତୁରନ୍ତ ସେମାନଙ୍କୁ ନିଜ ଦେଶକୁ ପଠାଇବାକୁ ବ୍ୟବସ୍ଥା କରାଯାଉ। ଗୃହ ମନ୍ତ୍ରଣାଳୟର ୨୦୦୯ର ଗାଇଡ୍‌ଲାଇନ୍‌ ପାଳନ କରି ଏହି ପ୍ରସଙ୍ଗରେ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ମାମଲାରେ ରାଜ୍ୟ ସରକାର, ଗୃହ ସଚିବ, ପୁଲିସ ଡିଜି, ପୁଲିସ କମିସନର, କେନ୍ଦ୍ର ଗୃହ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସଚିବଙ୍କୁ ପକ୍ଷଭୁକ୍ତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe