ବାଂଲାଦେଶୀ ନାବାଳିକା ଚାଲାଣ ଘଟଣା: ଏନ୍‌ଆଇଏକୁ ମାମଲା ହସ୍ତାନ୍ତର, ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶରେ ମାମଲା ରୁଜୁ

ବାଂଲାଦେଶ ନାବାଳିକା ଚାଲାଣ ଘଟଣାର ତଦନ୍ତ ଭାର ଶେଷରେ ଏନଆଇଏକୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏନଆଇଏ ଏକ ମାମଲା ରୁଜୁ କରିଛି। ଏହାସହିତ କଟକ ଏଡିଜେ ତଥା ସ୍ବତନ୍ତ୍ର ପୋକସୋ....

ffgfbvbb

କଟକ: ବାଂଲାଦେଶ ନାବାଳିକା ଚାଲାଣ ଘଟଣାର ତଦନ୍ତ ଭାର ଶେଷରେ ଏନଆଇଏକୁ ହସ୍ତାନ୍ତର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏନଆଇଏ ଏକ ମାମଲା ରୁଜୁ କରିଛି। ଏହାସହିତ କଟକ ଏଡିଜେ ତଥା ସ୍ବତନ୍ତ୍ର ପୋକସୋ କୋର୍ଟରୁ ମାମଲା ସଂକ୍ରାନ୍ତର ସମସ୍ତ ଦସ୍ତାବିଜ୍ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ ତଥା ଏନ୍‌ଆଇଏ କୋର୍ଟକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ବାଂଲାଦେଶ ନାବାଳିକା ସଂକ୍ରାନ୍ତ ମାମଲାର ଶୁଣାଣି ପ୍ରକ୍ରିୟା ଖୋର୍ଧା କୋର୍ଟରେ ଜାରି ରହିବ। ଅନ୍ୟପଟେ ଏନଆଇଏ ଏହି ମାମଲାରେ ବାଂଲାଦେଶରୁ ଭାରତକୁ ଚାଲାଣ ହେଉଥିବା ନାବାଳିକା ରାକେଟର ଅଧିକ ଖୋଳତାଡ଼ କରିବା ନେଇ ଖୋର୍ଧା କୋର୍ଟ ଦର୍ଶାଇଛନ୍ତି। 

ବାଂଲାଦେଶର ଗାଜିପୁର ଜିଲ୍ଲାରୁ କଟକ ଆସିଥିବା ଜଣେ ନାବାଳିକାକୁ ମଧୁପାଟଣା ଥାନା ପୁଲିସ ୨୦୨୪ ନଭେମ୍ବର ୯ ତାରିଖ ରାତିରେ ମଧୁପାଟଣାରୁ ଉଦ୍ଧାର କରିଥିଲା। ‘ସମ୍ବାଦ’ରେ ୨୦୨୪ ନଭେମ୍ବର ୨୩ ତାରିଖରେ ଏ ସଂକ୍ରାନ୍ତ ଖବର ପ୍ରକାଶ ପରେ କଟକ ସିଡବ୍ଲୁସିର ଅଭିଯୋଗ ଆଧାରରେ ମଧୁପାଟଣା ଥାନା ପୁଲିସ ବିଏନ୍‌ଏସ୍‌ର ଧାରା ୬୪(୧), ୧୪୩ (୪), ୧୪୪(୧), ୩(୫), ୬ ପୋକସୋ ଏବଂ ୫ ଆଇଟିପି ଆକ୍ଟରେ ମାମଲା(୩୦୭/୨୪) ରୁଜୁ କରି ତଦନ୍ତ କରୁଥିଲା। କେନ୍ଦ୍ର ଗୃହ ମନ୍ତ୍ରାଳୟ ମାମଲାକୁ ଗୁରୁତ୍ବର ସହିତ ଗ୍ରହଣ କରି ଭୁବନେଶ୍ବରରେ ଥିବା ଏନଆଇ କାର୍ଯ୍ୟାଳୟକୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଚଳିତ ବର୍ଷ ମାର୍ଚ୍ଚ ୧୩ ତାରିଖରେ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ନିର୍ଦ୍ଦେଶନାମା ବଳରେ ଏନଆଇ ଏକ ମାମଲା(କେସ୍ ନଂ ଆରସି/୬/୨୦୨୫/ଏନଆଇଏ/ଡିଏଲଆଇ) ରୁଜୁ କରିଥିଲା। ଏହି ମାମଲାର ଶୁଣାଣି ପ୍ରକ୍ରିୟା କଟକ ପୋକସୋ କୋର୍ଟରେ ଚାଲିଥିବାରୁ ମାମଲା ସଂକ୍ରାନ୍ତ ମୂଳ ଦସ୍ତାବିଜ୍ ହସ୍ତାନ୍ତର ପାଇଁ ଖୋର୍ଦ୍ଧା ଜିଲ୍ଲା ଜଜ୍ କୋର୍ଟ ତଥା ଏନ୍‌ଆଇଏ କୋର୍ଟରେ ଏନଆଇଏର ତଦନ୍ତକାରୀ ଅଧିକାରୀଙ୍କ ପକ୍ଷରୁ ଆବେଦନ କରାଯାଇଥିଲା। ଖୋର୍ଧା କୋର୍ଟ ଏପ୍ରିଲ ୪ ତାରିଖରେ ଏହି ଦସ୍ତାବିଜ ସ୍ତାନାନ୍ତର ପାଇଁ କଟକ ଏଡିଜେ ତଥା ସ୍ବତନ୍ତ୍ର ପୋକସୋକୁ ଚିଠି ଲେଖିଥିଲେ। ଏହାସହିତ ପୁଲିସ ଡିଜି ଓ ପୁଲିସ କମିସନରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା। ମଧୁପାଟଣା ଥାନାର ତଦନ୍ତକାରୀ ଅଧିକାରୀ ମାମଲାର ସମସ୍ତ ଦସ୍ତାବିଜ୍ ଦାଖଲ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲା।

ଏହି କ୍ରମରେ ପୋକସୋ କୋର୍ଟ ଶୁକ୍ରବାର ସମସ୍ତ ରେକର୍ଡ ଖୋର୍ଧା କୋର୍ଟକୁ ସ୍ଥାନାନ୍ତର କରିଛନ୍ତି। ମଧୁପାଟଣା ଥାନାରେ ରୁଜୁ ହୋଇଥିବା ମାମଲାର ନକଲ ସମେତ ମାମଲାରେ ଜବତ ହୋଇଥିବା ଅଭିଯୁକ୍ତଙ୍କ ମୋବାଇଲ୍ ଫୋନ୍, ବଡ଼ ଡାକ୍ତରଖାନାର ଡାକ୍ତରୀ ମାଇନା ରିପୋର୍ଟ, ପାଖାପାଖି ୩୫ ସାକ୍ଷୀଙ୍କ ଜମାନବନ୍ଦି, ମଧୁପାଟଣା ଥାନା ପୁଲିସ ପକ୍ଷରୁ ମାର୍ଚ୍ଚ ୨୫ରେ କଟକ ଅତିରିକ୍ତ ଦୌରାଜଜ୍ ତଥା ସ୍ବତନ୍ତ୍ର ପୋକ୍‌ସୋ କୋର୍ଟରେ ୬ ଅଭିଯୁକ୍ତଙ୍କ ବିରୋଧରେ ଦାଖଲ ହୋଇଥିବା ପ୍ରାଥମିକ ଚାର୍ଜସିଟ୍ ମଧ୍ୟ ହସ୍ତାନ୍ତର କରାଯାଇଛି। ମଧୁପାଟଣା ଥାନା ପୁଲିସ ପାଖାପାଖି ୧୮୫ ପୃଷ୍ଠାର ପ୍ରାଥମିକ ଚାର୍ଜସିଟ୍ କୋର୍ଟରେ ଦାଖଲ କରିଥିଲା। ଏହି ଚାର୍ଜସିଟ୍ ଖୋର୍ଧା କୋର୍ଟକୁ ହସ୍ତାନ୍ତର କରାଯାଇଛି। ଏବେ ଏହି ମାମଲାରେ ୬ ଜଣ ଗିରଫ ହୋଇଥିବା  ବେଳେ ଆହୁରି ୬ ଜଣ ଫେରାର ଅଛନ୍ତି। ଏହି ଅଭିଯୁକ୍ତଙ୍କୁ ଏନଆଇଏ ତଦନ୍ତ ପରିସରଭୁକ୍ତ କରିବାକୁ ଯାଉଛି। ଯେଉଁ ୩୫ ସାକ୍ଷୀଙ୍କୁ ମଧୁପାଟଣା ଥାନା ପୁଲିସ ପଚରାଉଚରା କରିଥିଲା, ସେମାନଙ୍କୁ ପୁନଃ ପଚରାଉଚରା କରିବାକୁ ଏନଆଇଏ ଯୋଜନା କରୁଛି। ଏହି କାରବାରରେ ଫେରାର ଥିବା ମାଷ୍ଟରମାଇଣ୍ଡ ବାଂଲାଦେଶର ଲିଟନ୍ ଦାସ, ମୌସୁମୀ ନାୟକ, କଲିକତାର ବାବୁ ଦାସ ଓ ପତ୍ନୀ ମାୟା ଖାଁଙ୍କୁ ପ୍ରଥମେ ତଦନ୍ତ ପରିସରଭୁକ୍ତ କରିଛି ଏନଆଇଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe