ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: ୧୮ ବର୍ଷ ଧରି ଜୀବନ ଗଢ଼ିଥିଲେ, କ୍ଷଣିକ କ୍ରୋଧରେ ୩ ସନ୍ତାନଙ୍କୁ ଅନାଥ କରି ଚାଲିଗଲେ

Advertisment
ଦମ୍ପତିଙ୍କ ଆତ୍ମହତ୍ୟା ଘଟଣା: ୧୮ ବର୍ଷ ଧରି ଜୀବନ ଗଢ଼ିଥିଲେ, କ୍ଷଣିକ କ୍ରୋଧରେ ୩ ସନ୍ତାନଙ୍କୁ ଅନାଥ କରି ଚାଲିଗଲେ

ଖୋର୍ଦ୍ଧା: ବିବାହ ପରେ ୧୮ ବର୍ଷ ଧରି ଘର ସଂସାର କରିଥିଲେ। ତେଲ ଲୁଣର ସଂସାରରେ ଅନେକ ଜଞ୍ଜାଳ, ସମସ୍ୟାର ମିଳିମିଶି ସମାଧାନ କରିଥିଲେ। ପିଲାମାନଙ୍କୁ ନେଇ ଅନେକ ସ୍ବପ୍ନ ଦେଖିଥିଲେ। ପିଲାଙ୍କ ଅସୁସ୍ଥତାରେ ରାତି ଅଖିଆ ଅପିଆ ଅନିଦ୍ରା ରହିଥିଲେ, ନିଜ ପେଟ କାଟି ପିଲାଙ୍କ ଭବିଷ୍ୟତ ପାଇଁ ସଞ୍ଚୟ କରୁଥିଲେ । କିନ୍ତୁ ସାମାନ୍ୟ କିଛି କ୍ଷଣର ମନାନ୍ତର, କ୍ରୋଧ ଓ ପଶ୍ଚାତାପରେ ସେଇ ସନ୍ତାନଙ୍କୁ ଅନାଥ କରି ସବୁଦିନ ପାଇଁ ଚାଲିଗଲେ। ଏଭଳି ଘଟଣା ଗତକାଲି ବାଜପୁର ପଞ୍ଚାୟତର ବଣିଆଟାଙ୍ଗୀରେ ଘଟିଥିଲା। ଗତକାଲି ସାମାନ୍ୟ କଳହରୁ ବାପାଙ୍କ ଆତ୍ମହତ୍ୟାର କିଛି କ୍ଷଣ ପରେ ମା’ଙ୍କ ମୃତ୍ୟୁ,  ଆଜି ତିନି ଶିଶୁ ନିଜକୁ ଅନାଥ ବୋଲି ଦର୍ଶାଇ ସହାୟତା ପାଇଁ ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି।

ସମରେନ୍ଦ୍ରଙ୍କ ନାମକୁ ମାତ୍ର ଗୁଣ୍ଠେ-ଦୁଇ ଗୁଣ୍ଠ ଜମି ଥିଲା। ଏଥିରୁ ପରିବାର ଚଳାଇବା ଅସମ୍ଭବ ଥିଲା। ଏଣୁ ଗାଁରେ ରଙ୍ଗ ଦୋକାନରେ କାମ କରୁଥିଲେ। ମାସକୁ ୩-୪ ହଜାର ଟଙ୍କା ସେଥିରୁ ପାଉଥିଲେ। ରବିବାର ଅପରାହ୍‌ଣ ପ୍ରାୟ ଗୋଟାଏ ବେଳେ ସମରେନ୍ଦ୍ର ବିଲରୁ ଫେରିଥିଲେ। ଫେରିବା ପରେ କରଜ ଓ ନିଶା ଖାଇବାକୁ ନେଇ ପତ୍ନୀ ସୁନିତା ତାଙ୍କୁ ଆକଟ କରିଥିଲେ। ଏଥିରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ସମରେନ୍ଦ୍ର ବେକରେ ଲୁଗା ଦେଇ ଆତ୍ମହତ୍ୟା କରିଥିଲେ। ସମରେନ୍ଦ୍ରଙ୍କ ମୃତ ଦେହକୁ ଉଦ୍ଧାର କରି ଗାଁ ଲୋକ ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚାଇଛନ୍ତି କି ନାହିଁ ସୁନିତାଙ୍କ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ଘଟିଲା। ଦାରିଦ୍ର୍ୟର ତାଡ଼ନାରେ ୧୮ ବର୍ଷ ଧରି ଯେଉଁ ଧୈର୍ଯ୍ୟ ଓ ସାହସରେ ଘରପରିବାର କରିଥିଲେ, ମନାନ୍ତର, କ୍ରୋଧ, ଅନୁତାପର ପ୍ରତିକ୍ରିୟାରେ କିଛି କ୍ଷଣ ମଧ୍ୟରେ ସବୁ ଓଲଟପାଲଟ ହୋଇଗଲା। ସମରେନ୍ଦ୍ର ଓ ସୁନିତାଙ୍କ ତିନି ସନ୍ତାନ ସସ୍ମିତା (୧୬), ସ୍ବୟଂପ୍ରଭା (୧୨) ଓ ଦେବେନ୍ଦ୍ର (୭) ଅନାଥ ଓ ନିଃସହାୟ ହୋଇଗଲେ।

ଆଜି ସକାଳେ ସରପଞ୍ଚ କେଦାରେଶ୍ବର ପୃଷ୍ଟି ଓ ସମାଜସେବୀ ସ୍ନେହଲତା ପରିଡ଼ା ତିନିଜଣଙ୍କୁ ​ନେଇ ଜିଲ୍ଲାପ୍ରଶାସନର ମିଳିତ ଅଭିଯୋଗ ପ୍ରକୋଷ୍ଠକୁ ଆସିଥିଲେ। ସେଠାରେ ତିନି ସନ୍ତାନଙ୍କ ମାନସିକ ଓ ଶାରୀରିକ ସ୍ଥିତିକୁ ଦେଖିଲେ କୌଣସି ଦରଦୀ ମଣିଷର ଆଖିରୁ ଦୁଇଟୋପା ଲୁହ ଗଡ଼ିବ ନିଶ୍ଚିତ। ପାରିବାରିକ ଆର୍ଥିକ ସମସ୍ୟାରେ ମଧ୍ୟ ଝିଅ ସସ୍ମିତା ଚଳିତ ବର୍ଷ ମାଟ୍ରିକ୍‌ ପାସ୍‌କରି ଯୁକ୍ତ ଦୁଇ ପାଇଁ ନାମ ଲେଖାଇଥିଲା। ଆଜି ନାମ ଲେଖାଇବାର ଶେଷ ଦିନ ଥିଲା, କିନ୍ତୁ ଏଭଳି ସ୍ଥିତିରେ ସେ ନାମ ଲେଖାଇପାରିନାହିଁ। ଅନ୍ୟ ଏକ ଝିଅ ସ୍ବୟଂପ୍ରଭା ୭ମ ଶ୍ରେଣୀ ଓ ପୁଅଟି ତୃତୀୟ ପଢ଼ୁଛି। ଗଲାକାଲି ଠାରୁ କେହି କିଛି ଖାଇନାହାନ୍ତି। ଆଜି ସକାଳେ ଗାଁ ଲୋକଙ୍କ ବାଧ୍ୟବାଧକତାରେ କିଛି ଦାନା ପାଟିକୁ ନେଇଛନ୍ତି। ତିନି ସନ୍ତାନ କାହାରିକୁ ନିଜର କଥା କହିଲା ବେଳେ ଭୋଭୋ ହୋଇ କାନ୍ଦି ଉଠୁଛନ୍ତି। ଜିଲ୍ଲାପାଳ ସେମାନଙ୍କ ସ୍ଥିତି ଓ ସରପଞ୍ଚଙ୍କ ଅନୁରୋଧ ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ସେମାନଙ୍କ ସମ୍ପର୍କୀୟ ଥିଲେ ମଧ୍ୟ ସମସ୍ତଙ୍କ ଆର୍ଥିକ ଅବସ୍ଥା ସ୍ବଚ୍ଛଳ ନଥିବାରୁ ତିନିଜଣଙ୍କୁ ଅନାଥାଶ୍ରମରେ ରଖାଇବାକୁ ଗାଁ ଲୋକ ନିଷ୍ପତି ନେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe