ଦଶପଲ୍ଲା : ଦିନକୁ ଦିନ ଅସହ୍ୟ ହୋଇ ପଡୁଛି ବାଣିଗୋଛା ପୁଲିସ୍ର ହିଟଲରି ଶାସନ। ବିଭିନ୍ନ ସମୟରେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଉଥିବା ଜନସାଧାରଣଙ୍କ ଉପରେ ପୁଲିସ୍ କରିଚାଲିଛି ଏକଚାଟିଆ ଶାସନ। ଏଭଳି ବାରମ୍ବାର ଅଭିଯୋଗ ହୋଇଆସୁଥିବା ବେଳେ ପୁଣି ଗତ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି।
ସୂଚନା ଅନୁଯାୟୀ, ବାଣିଗୋଛା ବଜାରସ୍ଥିତ ଶାନ୍ତି ନାୟକଙ୍କ ଘର ସାମ୍ନାକୁ ମାଡ଼ି ତ୍ରିଲୋଚନ ନାୟକ କିଛି ଦିନଧରି ମାଂସ କାଟିବା ସହ ନିଶା କାରବାର କରିଆସୁଥିଲେ। ଏହାକୁ ଶାନ୍ତି ଏବଂ ପୁଅ ଦିପୁ ବିରୋଧ କରିବା ସହ ଅନ୍ୟତ୍ର ଯିବା ପାଇଁ ପରାମର୍ଶ ଦେଇଥିଲେ। ମାତ୍ର ଏହାକୁ ତ୍ରିଲୋଚନ ଅଗ୍ରାହ୍ୟ କରୁଥିବା ବେଳେ ଗତ ଶୁକ୍ରବାର ଦିନ ଶାନ୍ତି ବାଣିଗୋଛା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଥାନାର ଏଏସ୍ଆଇ ଶ୍ରୀ ସାମଲ ଏହାର ସମାଧାନ କରିଦେବା ପାଇଁ କହିଥିଲେ। ମାତ୍ର ରାତିରେ ଦିପୁ ଥାନାକୁ ଯାଇ ଘଟଣା ସମ୍ପର୍କରେ କ’ଣ ହେଲା ବୁଝିଥିବା ବେଳେ ସଂପୃକ୍ତ ଏଏସ୍ଆଇ ଦିପୁକୁ ପାଲଟା ଗାଳିଗୁଲଜ କରିବା ସହ ନିସ୍ତୁକ ମାଡ଼ ମାରିଥିବା ଦିପୁ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି।
ମାଡ଼ ମାରିବା ଦ୍ୱାରା ଦିପୁ ଗୁରୁତର ଆହତ ହୋଇଥିବା ବେଳେ ଶନିବାର ଦିନ ଦଶପଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହୋଇ ଫେରିଛନ୍ତି। ମାତ୍ର ପୁଲିସର ଏଭଳି କାର୍ଯ୍ୟକଳାପକୁ ନେଇ ସେ ଆଇନର ଆଶ୍ରୟ ନେବା ସହ ନ୍ୟାୟ ପାଇଁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି। ଏ ସମ୍ପର୍କରେ ସଂପୃକ୍ତ ଏଏସ୍ଆଇ ଶ୍ରୀ ସାମଲଙ୍କୁ ପଚାରିବାରୁ ସେମାନେ ଦୁଇ ଭାଇ ଝଗଡ଼ା ଲାଗିଛନ୍ତି। ଥାନାରେ ସେଭଳି କିଛି ମାଡ଼ ହୋଇନି ବୋଲି କହିଛନ୍ତି।
Follow Us