ବ୍ୟାଙ୍କ ବନ୍ଦ, ଲୋକେ ହଟହଟା

ବ୍ୟାଙ୍କ ବନ୍ଦ, ଲୋକେ ହଟହଟା

Ommcom News

ସମ୍ବଲପୁର: ଗତ ୩ ଦିନ ଧରି ବ୍ୟାଙ୍କ ବନ୍ଦ ଥିବାବେଳେ କର୍ଫ୍ୟୁ କାରଣରୁ ସୋମବାର ବି ବନ୍ଦ ରହିବା ଏକପ୍ରକାର ନିଶ୍ଚିତ ହୋଇଛି। ହେଲେ ଗୋଟିଏ ପଟେ ଇଣ୍ଟର୍ନେଟ୍ ଓ ଅନ୍ୟ ପଟେ ବ୍ୟାଙ୍କ ବନ୍ଦ ରହିବା ଲୋକଙ୍କ ଉପରେ ଭାରୀ ପଡ଼ୁଛି। ଏବେ ବ୍ୟାଙ୍କରେ ଟଙ୍କା ଥିଲେ ବି ସାଧାରଣ ଲୋକଙ୍କ ପାଖରେ ନଗଦର ଘୋର ଅଭାବ ଦେଖାଦେଲାଣି। ଏଟିଏମ୍ଗୁଡ଼ିକରେ ଯାହା ଟଙ୍କା ଥିଲା ପ୍ରାୟତଃ ଶେଷ ହୋଇଗଲାଣି। କରୋନା ପରଠାରୁ ଲୋକେ ଡିଜିଟାଲ୍ ପେମେଣ୍ଟ, ଖାସ୍ କରି ୟୁପିଆଇ ସହ ଅଭ୍ୟସ୍ତ ହୋଇ ଯାଇଥିଲେ। ଏବେ ଇଣ୍ଟରନେଟ୍ ବନ୍ଦ ଥିବାରୁ ସବୁ ପ୍ରକାର ୟୁପିଆଇ ସେବା ବି ଠପ୍ ହୋଇଯାଇଛି। ବିଗତ କିଛି ମାସ ମଧ୍ୟରେ ୟୁପିଆଇ ଲୋକଙ୍କୁ ଏତିକି ବିଶ୍ବାସ ଦେଇ ସାରିଥିଲା ଯେ ସେମାନେ ଦମ୍ଭର ସହ ପକେଟ୍ରେ ଟଙ୍କାଟିଏ ବି ନଥାଇ ବାହାରକୁ ବା ବଜାରକୁ ଯାଇ ପାରୁଥିଲେ।

କିନ୍ତୁ ଏବେ ସେହି ଅଭ୍ୟାସରେ ବାହାରକୁ ବାହାରି ଗଲେ ଅଡ଼ୁଆରେ ପଡ଼ୁଛନ୍ତି। ଗତ ୩ ଦିନ ମଧ୍ୟରେ ଏଭଳି ଅନେକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଲୋକମାନେ ବିନା ନଗଦରେ ଭୁଲ ବଶତଃ ସଉଦା କିଣି ସାରିବା ପରେ ୟୁପିଆଇ ଚାଲୁ ନଥିବା କାରଣରୁ ପୁଣି ଦୋକାନୀଙ୍କୁ ତାହା ଫେରାଇ ଘରକୁ ଟଙ୍କା ନେବାକୁ ଆସୁଛନ୍ତି। ଗତ ୧୪ ତାରିଖରୁ ବ୍ୟାଙ୍କ, ଡାକ ସେବା ଆଦି ବନ୍ଦ ରହିଛି। ରବିବାର ପର୍ଯ୍ୟନ୍ତ କୌଣସି ମତେ ଯାଇଥିଲେ ବି ସୋମବାର ବ୍ୟାଙ୍କ ବନ୍ଦ ରହିବା ଖବର ଲୋକଙ୍କୁ ଅତିଷ୍ଠ କରିଛି। ଏଟିଏମ୍ରୁ ଟଙ୍କା ମିଳୁନାହିଁ, ବ୍ୟାଙ୍କରୁ ଉଠାଇ ପାରୁନାହାନ୍ତି କି ୟୁପିଆଇ ବି ଚାଲୁନାହିଁ। ପେଟ୍ରୋଲ୍ ପମ୍ପଗୁଡ଼ିକ ବି ଏବେ କେବଳ ନଗଦ ଟଙ୍କା ମାଗୁଛନ୍ତି। ତେଣୁ ସାଧାରଣ ଲୋକେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅପରପକ୍ଷରେ ଏପ୍ରିଲ୍ ମାସରେ ଅବାଞ୍ଛିତ ଛୁଟି ରହିବା କାରଣରୁ ବ୍ୟାଙ୍କମାନଙ୍କର ସମସ୍ୟା ବି ବଢ଼ିଛି। ଅନେକ ବ୍ୟାଙ୍କରେ ଅଡିଟ୍ ଓ କ୍ଲୋଜିଂ ପରବର୍ତ୍ତୀ କାର୍ଯ୍ୟ ଚାଲିଥିବା ବେଳେ ସେଗୁଡ଼ିକ ବାଧାପ୍ରାପ୍ତ ହେଇଥିବା ଜଣେ ବ୍ୟାଙ୍କ ଅଧିକାରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe