ବ୍ୟାଙ୍କ ମ୍ୟାନେଜରଙ୍କ ଗିରଫଦାରୀ ଘଟଣା : ତଦନ୍ତ ନିର୍ଦ୍ଦେଶ ଦେଲେ ମାନବାଧିକାର କମିସନ

Advertisment
ଆଦିବାସୀଙ୍କ ଜମି, ଫସଲ ଲୁଟ ମାମଲା: ମାନବାଧିକାର କମିସନରେ ଅଭିଯୋଗ

ଜିଲ୍ଲାପାଳଙ୍କ ଆକାଉଣ୍ଟରୁ ୫୯ଲକ୍ଷ ହଡପ ମାମଲାରେ ନୂଆମୋଡ଼
ଛଅ ସପ୍ତାହରେ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ

ଅନୁଗୁଳ : ଦୀର୍ଘ ଦେଢ଼ବର୍ଷ ପରେ ଅନୁଗୁଳ ଜିଲ୍ଲାପାଳଙ୍କ ଆକାଉଣ୍ଟ୍‌ରୁ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ହଡ଼ପ ମାମଲା ନୂଆ ମୋଡ଼ ନେଇଛି। ଘଟଣାରେ ପୁଲିସ ଏଚ୍‌ଡିଏଫସି ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଶକ୍ତିବେଦାନ୍ତ ଦାଶଙ୍କୁ ଅଭିଯୁକ୍ତ ଦର୍ଶାଇ ବାନ୍ଧିଥିଲା। ପୁଲିସ ତାଙ୍କୁ ପ୍ରାୟ ତିନି ଦିନ ଧରି ନିଜ ହେପାଜତରେ ରଖିଥିଲା। ଏହାକୁ ବେଆଇନ ଦର୍ଶାଇ ଶକ୍ତିବେଦାନ୍ତଙ୍କ ପରିବାର ଲୋକେ ରାଜ୍ୟ ମାନବାଧିକାର କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଆଇନର ଉଲ୍ଲଂଘନ କରି ଶକ୍ତିବେଦାନ୍ତଙ୍କୁ ପୁଲିସ କେବଳ ଗିରଫ କରିନଥିଲା, ବରଂ ଥାନାରେ ଅଟକ କାଳରେ ଖାଦ୍ୟପେୟ ବି ଦେଇ ନଥିଲା। ଯାହା ମାନବାଧିକାରକୁ କ୍ଷୁଣ୍ଣ କରୁଛି ବୋଲି ଅଭିଯୋଗରେ ଦର୍ଶାଯାଇଛି। କମିସନ ଆଗତ ଅଭିଯୋଗକୁ ବେଶ ଗୁରୁତ୍ବର ସହ ଗ୍ରହଣ କରି ଜଣେ ଅଭିଯୁକ୍ତଙ୍କ ଉପରେ ପୁଲିସର ଏ ପ୍ରକାର ଅମାନବୀୟ କାର୍ଯ୍ୟକଳାପର ସ୍ୱତନ୍ତ୍ର ତଦନ୍ତ ପାଇଁ କମିସନଙ୍କ ନିଜସ୍ବ ତଦନ୍ତ ନିର୍ଦ୍ଦେଶକ ତଥା ପୁଲିସ ଏଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଛଅ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡିଛି।

ଉଲ୍ଲେଖଯୋଗ୍ୟ ଯେ, ଟାଟା ସ୍ପଞ୍ଜ ଆଇରନ ଲିମିଟେଡ଼ କମ୍ପାନିର ସାମାଜିକ ଦାୟିତ୍ୱବୋଧ ପାଣ୍ଠିରୁ ୮ଜୁଲାଇ, ୨୦୧୩ରେ ଜିଲ୍ଲାପାଳଙ୍କ ନିକଟକୁ ୫୦ଲକ୍ଷ ଟଙ୍କା ଆସିଥିଲା। ଅନୁଗୁଳ ଜିଲ୍ଲାପାଳଙ୍କ ନାମରେ ଏଚ୍‌ଡିଏଫ୍‌ସି ବ୍ୟାଙ୍କ, ଅନୁଗୁଳ ଶାଖାରେ ଏହି ଟଙ୍କା ଜମା କରାଯାଇଥିଲା। ଏହି ଜମାରାଶିର ସୁଧ ବାବଦ ଅତିରିକ୍ତ ରାଶିକୁ ମିଶାଇ ଜମା ପରିମାଣ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କାକୁ ବୃଦ୍ଧି ପାଇଥିଲା। ତେବେ ଗତ ୭ଡିସେମ୍ବର ୨୦୧୭ରୁ ୩ ମେ ୨୦୧୮ମଧ୍ୟରେ ୮ଟି ଚେକ୍‌ ଜରିଆରେ ଜିଲ୍ଲାପାଳଙ୍କ ଜାଲ୍‌ ଦସ୍ତଖତରେ ୫୯ ଲକ୍ଷ ୪୧ ହଜାର ୪୮୧ ଟଙ୍କା ଉଠାଇ ନିଆଯାଇଥିବା ଜିଲ୍ଲା ପ୍ରଶାସନ ଜାଣିବା ପରେ ପୁଲିସରେ ଅଭିଯୋଗ ହୋଇଥିଲା। ଟଙ୍କା ଉଠାଇ ନେବାର କିଛି ଦିନ ପରେ ତତ୍କାଳୀନ ଶାଖା ପରିଚାଳକ ଶକ୍ତିବେଦାନ୍ତ ଚାକିରି ଛାଡ଼ିଥିବା କୁହାଯାଇଥିଲା। ଅନୁଗୁଳ ଥାନା ପୁଲିସ ବ୍ୟାଙ୍କ୍‌ କର୍ମଚାରୀଙ୍କ ବୟାନ ଆଧାରରେ ଶକ୍ତିବେଦାନ୍ତଙ୍କୁ ଗିରଫ କରିଥିଲା। କିନ୍ତୁ, ଘଟଣା ପରେ ପରେ ବୟାନ ଦେଇଥିବା ଚାରି ଜଣ ବ୍ୟାଙ୍କ୍‌ କର୍ମଚାରୀଙ୍କୁ କର୍ତ୍ତୃପକ୍ଷ ଚାକିରିରୁ ବିଦା କରି ଦେଇଥିଲେ। ଘଟଣାର ଦିନ କେଇଟାପରେ ବ୍ୟାଙ୍କ ସ୍ବତଃପ୍ରବୃତ୍ତ ଭାବେ ଏହି ଲୁଟ୍‌ ଟଙ୍କାକୁ ଜିଲ୍ଲା ପ୍ରଶାସନକୁ ଫେରାଇ ଦେଇଥିଲା। କିନ୍ତୁ, କାହା କାହା ନାଁରେ ଏ ଚେକ୍ ଇସୁ ହୋଇଥିଲା ଦେଢ଼ ବର୍ଷ ପରେ ବି ତାହା ପର୍ଦାଫାସ ହୋଇ ପାରିନାହିଁ। ଅଜୟ ସାମଲ ନାମକ ବ୍ୟକ୍ତି ନାଁରେ ଏ ଟଙ୍କା ଉଠା ଯାଇଥିବା ଚର୍ଚ୍ଚା ହୋଇଥିଲା। ପୁଲିସ ତାର ବି କିଛି ଖିଅ ଠଉରାଇ ପାରିନାହିଁ।

କିନ୍ତୁ, ବ୍ୟାଙ୍କ ମ୍ୟାନେଜର ଶକ୍ତିବେଦାନ୍ତଙ୍କୁ ପୁଲିସ କେମିତି ବାନ୍ଧିଲା ତାହାକୁ ନେଇ ପରିବାର ଲୋକେ ମାନବାଧିକାର କମିସନରେ ପ୍ରଶ୍ନ ଉଠାଇଥିଲେ। କାହାକୁ ଅଭିଯୁକ୍ତ ଦର୍ଶାଇ ବାନ୍ଧିବା ପୂର୍ବରୁ ପୁଲିସ ଯେଉଁ ଆଇନଗତ ପ୍ରକ୍ରିୟା ଅବଲମ୍ବନ କରିବା କଥା ତାହା କରିନାହିଁ। ୨୦୧୯ ସେପ୍ଟେମ୍ବର ୧୨ରୁ ୧୪ ତାରିଖ ଯାଏ ପୁଲିସ ତାଙ୍କୁ ନିଜ ହେପାଜତକୁ ନେଲା, ଅଥଚ ଖାଇବାକୁ ବି ଦେଲା ନାହିଁ ବୋଲି ପରିବାର ଲୋକେ ଅଭିଯୋଗ ଆଣିଥିଲେ। ଯାହାକୁ କମିସନ ବେଶ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି। ମାମଲାର ଶୁଣାଣି କରି କମିସନ ଘଟଣାର ସ୍ୱତନ୍ତ୍ର ତଦନ୍ତ କରିବାକୁ କମିସନଙ୍କ ତଦନ୍ତ ନିର୍ଦ୍ଦେଶକ ତଥା ପୁଲିସ ଏଡିଜିଙ୍କୁ ଗତ ୧୫ତାରିଖ ଦିନ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ଛଅ ସପ୍ତାହ ମଧ୍ୟରେ ତଦନ୍ତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶରେ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe