ବରପାଲି: ବରଗଡ଼ ଜିଲ୍ଲା ବରପାଲି ଆଞ୍ଚଳିକ ଗ୍ରାମୀଣ ବ୍ୟାଙ୍କରୁ ଗୁରୁବାର ଦିନ ଡକାୟତି ହୋଇଛି। ୨ ଜଣ ଦୁର୍ବୃତ୍ତ ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ର ଦେଖାଇ ୯ ଲକ୍ଷ ୨୬ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି। ଏନେଇ ବରପାଲି ଥାନାରେ ଅଭିଯୋଗ ପରେ ସିସିଟିଭି ଫୁଟେଜ୍ ଆଧାରରେ ପୁଲିସ୍ ତଦନ୍ତ କରୁଥିବା ଜଣାପଡ଼ିଛି।
ସୂଚନା ଅନୁସାରେ, ଆଜି ଅପରାହ୍ନରେ ବ୍ୟାଙ୍କର ସଟର୍ ଅଧାରୁ ଅଧିକ ବନ୍ଦଥିବା ଦେଖି ଦୁଇଜଣ ଦୁର୍ବୃତ୍ତ ଭିତରକୁ ପ୍ରବେଶ କରିଥିଲେ। ଭିତର ପଟରୁ ସଟର୍ ବନ୍ଦ କରିଦେଇଥିଲେ। ସେହିସମୟରେ ବ୍ୟାଙ୍କର ୨ ଜଣ କ୍ୟାସିଅର୍ ମମତା ଭୋଇ ଓ ଚନ୍ଦନ ସାହୁ ଖାଉଥିଲେ। ବ୍ୟାଙ୍କ ମ୍ୟାନେଜର ମଧ୍ୟ ଖାଇବା ପାଇଁ ବାହାରକୁ ଯାଇଥିଲାବେଳେ ଅନ୍ୟ କୌଣସି କର୍ମଚାରୀ କି ଗ୍ରାହକ ନଥିଲେ। ଏହାର ଫାଇଦା ନେଇ ଦୁର୍ବୃତ୍ତମାନେ ଉଭୟ କ୍ୟାସିଅର୍ଙ୍କୁ ବନ୍ଧୁକ ଓ ଛୁରି ଦେଖାଇ ଟଙ୍କା କାଉଣ୍ଟର ଦେଖାଇବା ପାଇଁ ଧମକ ଦେଇଥିଲେ। କାଉଣ୍ଟର ଡ୍ର’ରୁ ୯ ଲକ୍ଷ ୨୬ ହଜାର ଟଙ୍କା ନେଇ ଫେରାର୍ ହୋଇଯାଇଥିଲେ।
ଏ ନେଇ ଅଭିଯୋଗ ପରେ ବରପାଲି ଥାନା ଆଇଆଇସି ଜୟରଶ୍ମି ସେଠୀଙ୍କ ନେତୃତ୍ବରେ ପୁଲିସର ଏକ ଟିମ୍ ବ୍ୟାଙ୍କର ସିସିଟିଭି ଫୁଟେଜ୍ ଯାଞ୍ଚ କରି ତଦନ୍ତ ଜଳାଇଛନ୍ତି। ଏନେଇ ପୁଲିସ ସାଇଣ୍ଟିଫିକ୍ ଟିମ୍ର ସହାୟତା ମଧ୍ୟ ଲୋଡ଼ିଥିବା ଜଣାଯାଇଛି।
Follow Us