୧୩ରୁ ବ୍ୟାଙ୍କ ସେବା ସ୍ବାଭାବିକ

Advertisment
ବ୍ୟାଙ୍କ କାର୍ଯ୍ୟ ସମୟ ପୁନଃନିର୍ଦ୍ଧାରିତ : ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଗ୍ରାହକଙ୍କ ଲାଗି ଖୋଲା ରହିବ

The Hindu

ଭୁବନେଶ୍ବର : ଆସନ୍ତା ସୋମବାର (୧୩ ତାରିଖ) ସୁଦ୍ଧା ପୁରୀ ସହରରେ ସମସ୍ତ ବ୍ୟାଙ୍କ ଶାଖା କାର୍ଯ୍ୟକ୍ଷମ ହେବ। ବ୍ୟାଙ୍କ ସେବା ସ୍ବାଭାବିକ କରିବା ପାଇଁ ମୁଖ୍ୟ ଶାସନ ସଚିବ ସମସ୍ତ ବ୍ୟାଙ୍କ ପରିଚାଳକଙ୍କ ସହଯୋଗ ଲୋଡ଼ିଛନ୍ତି। ଏଥିପାଇଁ ଖୁବଶୀଘ୍ର ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ୧୦ଟି ମୋବାଇଲ୍‌ ଏଟିଏମ୍‌ ଏବଂ ରାଜ୍ୟ ସମବାୟ ବ୍ୟାଙ୍କ ୫ଟି ମୋବାଇଲ୍‌ ଏଟିଏମ୍‌ ପଠାଇବେ। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବ୍ୟାଙ୍କ ସେବା ପ୍ରଦାନ ସହିତ ସ୍ବତନ୍ତ୍ର ଭାବେ ମୁକାବିଲା ବ୍ୟବସ୍ଥା ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଜାରି କରିଥିବା ମାଷ୍ଟର ସର୍କୁଲା‌ର, ୨୦୧୮କୁ ପ୍ରତ୍ୟେକ ବ୍ୟାଙ୍କ କାର୍ଯ୍ୟକାରୀ କରିବେ। କେରଳ ବନ୍ୟା ୨୦୧୮ ପାଇଁ ପ୍ରତ୍ୟେକ ବ୍ୟାଙ୍କ ଓ ବୀମା କମ୍ପାନି ଯେପରି ସର୍ବନିମ୍ନ ଆବଶ୍ୟକ କାଗଜପତ୍ର ଦେଖି କାର୍ଯ୍ୟ କରିଥିଲେ, ଓଡ଼ିଶା କ୍ଷେତ୍ରରେ ସାମାନ୍ୟ ପରିବର୍ତନ ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ଥିର ହୋଇଛି।

ଆଜି ସଚିବାଳୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ବ୍ୟାଙ୍କ ସେବା ଓ ବୀମା ଦେୟ କାରବାରକୁ ତ୍ବରାନ୍ବିତ କରିବା ଉଦ୍ଦେଶ୍ୟରେ ସ୍ବତନ୍ତ୍ର ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି(ଏସ୍‌ଏଲ୍‌ବିସି) ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଅର୍ଥ ବିଭାଗ ପ୍ରମୁଖ ସଚିବ ଅଶୋକ କୁମାର ମୀନା କହିଲେ ଯେ ଆସନ୍ତା ସୋମବାର ସୁଦ୍ଧା ପୁରୀରେ ବ୍ୟାଙ୍କ ସେବା ସ୍ବାଭାବିକ ହେବ। ବାତ୍ୟା ପ୍ରଭାବିତ ଅଞ୍ଚଳରେ ନଗଦ ଅର୍ଥ କାରବାର ମାନ୍ଦା ହୋଇପଡ଼ିଛି। ଏହି ଦୃଷ୍ଟିରୁ ନେଣଦେଣ ବୃଦ୍ଧି ନିମନ୍ତେ ଋଣୀମାନଙ୍କ ଋଣ ମିଆଦ ଓ ଋଣ ପ୍ରଦାନ ନିୟମରେ କିଛିଟା ପରିବର୍ତନ କରାଯିବ। ବିଭିନ୍ନ ଆବଶ୍ୟକତା ପାଇଁ ନୂଆ ଋଣ ନେବା ନିମନ୍ତେ ନିୟମ ସରଳ ଓ କୋହଳ ହେବ। ବିଶେଷ କରି ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ହେଉ ବା ସ୍ବୟଂ ସହାୟକ ଗୋଷ୍ଠୀ(ଏସ୍‌ଏଚ୍‌ଜି)ଙ୍କ ପାଇଁ ଶୂନ ସୁଧ ହାରରେ ଋଣପ୍ରଦାନ କରିବାକୁ ବ୍ୟାଙ୍କମାନେ ରାଜି ହୋଇଛନ୍ତିି। ତେବେ ୩୩ ପ୍ରତିଶତରୁ ଅଧିକ ପରିମାଣରେ ଫସଲହାନି ହୋଇଥିବାରୁ ଏ ନେଇ ସ୍ବତନ୍ତ୍ର ରିଲିଫ କମିସନରଙ୍କ ବିଜ୍ଞପ୍ତି ଆଧାରରେ କୃଷିଋଣ ପ୍ରଦାନ କରାଯିବ ବୋଲି ଶ୍ରୀ ମୀନା କହିଥିଲେ।

ଇତି ମଧ୍ୟରେ ବାତ୍ୟା ପ୍ରଭାବିତ ଅଞ୍ଚଳରେ ନଗଦ ଅର୍ଥର ଅଭାବ ନାହିଁ ବୋଲି ଆରବିଆଇ ସ୍ପଷ୍ଟ କରିଦେଇଛି। ସେହିପରି ଆଗାମୀ ଛୁଟିଦିନରେ ମଧ୍ୟ ବ୍ୟାଙ୍କ ଶାଖାଗୁଡ଼ିକ ଖୋଲା ରଖିବାକୁ ରାଜ୍ୟ ସରକାର ବ୍ୟାଙ୍କ ପରିଚାଳକମାନଙ୍କୁ ଅନୁରୋଧ କରିଛନ୍ତି। ବୀମା କ୍ଷେତ୍ରରେ କେରଳ ବନ୍ୟା ସମୟ‌େର କାର୍ଯ୍ୟକାରୀ ହୋଇଥିବା ମଡେଲ୍‌ ଭଳି ସର୍ବନିମ୍ନ କାଗଜପତ୍ର ମାଧ୍ୟମରେ ଯଥାଶୀଘ୍ର ଦେୟ ପ୍ରଦାନ କରିବାକୁ କୁହାଯାଇଛି।

ଏହି ଅବସରରେ ୟୁକୋ ବ୍ୟାଙ୍କର ଏମ୍‌ଡି ଏ.କେ. ଗୋଏଲ୍‌ କହିଲେ ଯେ ବର୍ତମାନ ଇଣ୍ଟରନେଟ୍‌ ସଂଯୋଗ ବଡ଼ ସମସ୍ୟା ହୋଇଛି। ଏହା ସତ୍ତ୍ବେ ଅଫ୍‌ଲାଇନ ଯୋଗେ ବ୍ୟାଙ୍କମାନେ ବ୍ୟାଙ୍କିଙ୍ଗ କରେସ୍‌ପଣ୍ଡେଣ୍ଟ ଓ କର୍ମଚାରୀମାନଙ୍କ ଜରିଆରେ ଏପରି କି ଲାପ୍‌ଟପ୍‌ ଯୋଗେ ବିଭିନ୍ନ ସ୍ଥାନକୁ ଯାଇ ଲୋକଙ୍କୁ ଟଙ୍କା ପ୍ରଦାନ କରିବା ଦିଗରେ ଉଦ୍ୟମ ଜାରି ରଖିଛନ୍ତି। ଷ୍ଟେଟ୍‌ ବ୍ୟାଙ୍କର ସିିଜିଏମ୍‌ ପ୍ରବୀଣା କଲା କହିଲେ ଯେ ତାଙ୍କ ବ୍ୟାଙ୍କ ପକ୍ଷରୁ ଅଧିକ ସଂଖ୍ୟକ ପିଓଏସ୍‌ ମେସିନ ଜରିଆରେ ଟଙ୍କା ପ୍ରଦାନ ଉଦ୍ୟମ କରାଯାଉଛି। ଏସ୍‌ଏଲ୍‌ବିସି ବୈଠକରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଆରବିଆଇ ଡେପୁଟି ଗଭର୍ଣ୍ଣର ବି.ପି. କାନୁନ୍‌ଗୋ, ୟୁକୋ ବ୍ୟାଙ୍କ ଏମ୍‌ଡି ଏ.କେ. ଗୋଏଲ୍‌, ନାବାର୍ଡ ସିଜିଏମ୍‌ଙ୍କ ସମେତ ପ୍ରାୟ ସମସ୍ତ ବ୍ୟାଙ୍କ ଓ ବୀମା କମ୍ପାନିଙ୍କର ଉଚ୍ଚ ପଦାଧିକାରୀ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe