ଆସିକାରେ ବ୍ୟାଙ୍କ ସେବା ପ୍ରଭାବିତ : ଛାତ ଉପରେ ଶୁଖୁଛି ଟଙ୍କା

ଆସିକାରେ ବ୍ୟାଙ୍କ ସେବା ପ୍ରଭାବିତ : ଛାତ ଉପରେ ଶୁଖୁଛି ଟଙ୍କା

ଆସିକା : ‘ତିତ୍‌ଲି’ ଏବଂ ପରବର୍ତ୍ତୀ ବନ୍ୟା ଯୋଗୁ ଆସିକାରେ ବ୍ୟାଙ୍କ ସେବା ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି। ବିପୁଳ ପରିମାଣରେ ଟଙ୍କା ନଷ୍ଟ ହୋଇଯାଇଥିବାରୁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଯେତିକି ବା ଟଙ୍କା ଅଛି ତାହା ଓଦା ହୋଇଯିବା ଫଳରେ ଦେଣନେଣ କରାଯାଇପାରୁନାହିଁ। ଏହାକୁ ଶୁଖାଇବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷ ଉଦ୍ୟମ ଚଳାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବ୍ୟାଙ୍କ ଗୁଡ଼ିକରେ ପାଣି ପଶି ଟଙ୍କା ନଷ୍ଟ ହୋଇଯାଇଥିବାରୁ ଗ୍ରାହକ ହନ୍ତସନ୍ତ ହେଉଛନ୍ତି। ନେଣଦେଣ ପାଇଁ ଯେତିକି ପରିମାଣରେ ଟଙ୍କା ଆବଶ୍ୟକ ତାହା ନିଅଣ୍ଟ ପଡ଼ୁଛି। ସେହିପରି ଏଟିଏମ ବି ଅଚଳ ହୋଇ ପଡ଼ିଥିବାରୁ ଚିନ୍ତା ଆହୁରି ବଢିବ‌ାରେ ଲାଗିଛି। ଏପରି ପରିସ୍ଥିତିରେ ଆସିକା ଏସବିଆଇ ମୁଖ୍ୟ ଶାଖାର ୫୦ ଲକ୍ଷରୁ ଅଧିକ ଟଙ୍କା ଭିଜିଯାଇଥିବାରୁ ତାହାକୁ ବାହାର କରାଯାଇ ରାତିରେ ଛାତ ଉପରେ ଶୁଖାଯାଇଥିବା ଦେଖିବାକୁ ମିଳିଛି।

ଅନ୍ୟପକ୍ଷରେ, ଆସିକାରେ ବନ୍ୟା ପରିସ୍ଥିତିରେ ସୁଧାର ଆସିଛି ସତ। ହେଲେ ସହର ସାରା ଆବର୍ଜନା କୁଢ ଚିନ୍ତା ବଢାଇ ଦେଇଛି। ଯେଉଁଠି ଦେଖିବ ସେଇଠି କୁଢ କୁଢ ଆବର୍ଜନା। ଏନଏସି କର୍ମଚାରୀମାନେ ଏଥିପାଇଁ ଦିନ ରାତି ଏକ କରିଥିଲେ ବି ଆବର୍ଜନା ସଂପୂର୍ଣ୍ଣ ଭାବେ ହଟିପାରିନି। ଫଳରେ ପରିମଳ ଧୀରେ ଧୀରେ ବିପର୍ଯ୍ୟସ୍ତ ହେବାରେ ଲାଗିଥିବାରୁ ମହାମାରୀ ରୋଗ ବ୍ୟାପିବା ଆଶଙ୍କାକୁ ଏଡ଼ାଇ ଦିଆଯାଇପାରିନି। ଫଳରେ ପ୍ରଶାସନ ବର୍ତମାନ ଏହାକୁ ଗୁରୁତ୍ବର ସହ ଗ୍ରହଣ କରିଛି। ସହରକୁ ସଂପୂର୍ଣ୍ଣ ଆବର୍ଜନାମୁକ୍ତ କରିବାକୁ ୨ରୁ ୩ ଦିନ ଅଧିକ ସମୟ ଲାଗିପାରେ ବୋଲି ଜଣାପଡ଼ିଛି।

ସେହିପରି ୨ଟି ପେଟ୍ରୋଲ ପମ୍ପ ବର୍ତମାନ ସୁଦ୍ଧା କାର୍ଯ୍ୟକ୍ଷମ ହୋଇ ନଥିବାରୁ କଳାବଜାରୀ ଏଥିରେ ସକ୍ରିୟ ହୋଇ ଉଠିଛନ୍ତି। ଲୋକଙ୍କୁ ଚଢା ଦରରେ କିରାସିନି ମିଶା ପେଟ୍ରୋଲ କିଣିବାକୁ ହେଉଛି। ଲିଟର ପିଛା ବେପାରୀ ମାନେ ୧୦୦ ଟଙ୍କା ସଂଗ୍ରହ କରୁଛନ୍ତି। ଫଳରେ ପ୍ରଶାସନ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହୋଇଛି।

ବିପନ୍ନଙ୍କୁ ସରକାରୀ ସହାୟତା ପ୍ରଦାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ଅଙ୍ଗନୱାଡି କର୍ମୀଙ୍କୁ ନେଇ ଘର ଘର ବୁଲି ସର୍ଭେ ଓ ତାଲିକା ପ୍ରସ୍ତୁତି ପ୍ରକ୍ରିୟା ତ୍ବରାନ୍ବିତ ହୋଇଛି। ବନ୍ୟା ପ୍ରଭାବିତ ଅଞ୍ଚଳକୁ ପାନୀୟ ଜଳଯୋଗାଣ ହେଉଛି। ତେବେ ବିଦ୍ୟୁତ୍ ସେବା ସ୍ବାଭାବିକ ନହେବା ଓ ଅନ୍ୟ ସମସ୍ୟା କାରଣରୁ ସାପୁଆପଲ୍ଲୀ ଗ୍ରାମ ସମେତ ୪ଟି ଗ୍ରାମରେ ଜଳଯୋଗାଣ ହୋଇପାରିନି। ଆସନ୍ତା ୨ ଦିନ ମଧ୍ୟରେ ସମସ୍ତ ଗ୍ରାମକୁ ଜଳଯୋଗାଣ ସ୍ବାଭାବିକ ହେବ ବୋଲି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe