ଦିଗ ବଦଳାଇଲା ବାଙ୍କୀ ମୁହାଣ ପାଣି ଧାର

ପୁରୀ ବେଳାଭୂମି ଉପରେ ଆବର୍ଜନା ପାଣିର କଳା ଆସ୍ତରଣ, ବସିବା ଅନୁପଯୋଗୀ, ନାକ ଟେକୁଛନ୍ତି ପର୍ଯ୍ୟଟକ

ଦିଗ ବଦଳାଇଲା ବାଙ୍କୀ ମୁହାଣ ପାଣି ଧାର

ପୁରୀ : ବିପଦ ସୃଷ୍ଟି କଲାଣି ପୁରୀର ଐତିହ୍ୟ ବାଙ୍କୀ ମୁହାଣ। ଏକଦା ମହାପ୍ରଭୁଙ୍କ ଦାରୁ ଲାଗିଥିବା ଏହି ମୁହାଣ ସଂପ୍ରତି ଆବର୍ଜନା କୁଣ୍ଡରେ ପରିଣତ ହୋଇଛି। ସହରର ସମସ୍ତ ମୁଖ୍ୟ ଡ୍ରେନ୍‌ର ଆବର୍ଜନା ପାଣି ବାଙ୍କୀ ମୁହାଣରେ ବିଶୋଧନ ହୋଇ ସିଧା ସମୁଦ୍ରରେ ମିଶୁଛି। ଚିନ୍ତାର ବିଷୟଟି ହେଉଛି ମୁହାଣର ପାଣି ଧାର ଏହାମଧ୍ୟରେ ଦିଗ ବଦଳାଇଛି। ଯେଉଁ ଦିଗ‌ରେ ଆବର୍ଜନା ପାଣି ସମୁଦ୍ରରେ ମିଶୁଥିଲା ଏବେ ତାର ବିପରୀତ ଦିଗରେ ମିଶୁଛି। କଳା ରଙ୍ଗର ଆବର୍ଜନା ପାଣି ବେଳାଭୂମିକୁ ନଷ୍ଟ କରି ସାରିଲାଣି। ଫଳରେ ଗୋଲଡେନ୍‌ ବିଚ୍‌ ନାମରେ ପରିଚିତ ପୁରୀ ସ୍ବର୍ଣ୍ଣାଭ ବେଳାଭୂମିର ସୌନ୍ଦର୍ଯ୍ୟ ଏବେ ନଷ୍ଟ ପ୍ରାୟ। ମୁହାଣର ପାଣି ପୂରା ବେଳାଭୂମିକୁ ମାଡ଼ୁଛି। ଆବର୍ଜନା ପାଣି ପ୍ରଭାବରେ ବାଙ୍କୀ ମୁହାଣଠାରୁ ମେ ଫେୟାର ହୋଟେଲ ପର୍ଯ୍ୟନ୍ତ ବେଳାଭୂମିର ବାଲି କଳା ପଡିଯାଇଛି। କିଛି ସ୍ଥାନରେ ପଟୁ ଜମିଛି ତ ଆଉ କିଛି ସ୍ଥାନରେ ବାଲି ନାଲିଆ ଦିଶୁଛି। ପିଲାଠୁ ଆରମ୍ଭ କରି ଆବାଳ ବୃଦ୍ଧବନିତା ଯାଏ ସମସ୍ତେ ପସନ୍ଦ କରୁଥିବା ଏହି ବେଳାଭୂମି‌ ବର୍ତ୍ତମାନ ବସିବା ପାଇଁ ବି ଅନୁପଯୋଗୀ ହୋଇପଡିଛି। ସ୍ଥିତି ଏମିତି ଯେ ବେଳାଭୂମିରେ ଜଣେ ପର୍ଯ୍ୟଟକ ଗୋଟିଏ ମିନିଟ ବି ବସିବା ସମ୍ଭବପର ନୁହେଁ। ବର୍ଷା ଦିନରେ ସ୍ଥିତି ଆହୁରି ବେହାଲ।

publive-image

ସହରର ଆବର୍ଜନା ପାଣିକୁ ବିଶୋଧନ କରିବା ପରେ ଏହାକୁ ପାଇପ ଯୋଗେ ନ ଛାଡି ପାଣିକୁ ବେଳାଭୂମିରେ ଖୋଲା ଛାଡ଼ି ଦିଆଯାଉଛି। ଫଳରେ ବେଳାଭୂମିର ଅବସ୍ଥା ଆଜି ଏମିତି। ଗୋଟିଏ ପଟେ ବେଳାଭୂମିକୁ ବ୍ଲୁ ଫ୍ଲାଗ୍ ବିଚ୍‌ ମାନ୍ୟତା ମିଳିଥିବା ଓ ଏହାର ଭିତ୍ତିଭୂମି ବିକାଶ ଚାଲିଥିବା ବେଳେ ବେଳାଭୂମିର ଏପ୍ରକାର ବିକଳ ଦୃଶ୍ୟ ପର୍ଯ୍ୟଟକଙ୍କୁ ବିମୁଖ କରୁଛି। ପୁରୀକୁ ଆସୁଥିବା ଅଧିକାଂଶ ଭିଆଇପି ଏହି ଅଞ୍ଚଳରେ ଥିବା ପ୍ରମୁଖ ହୋଟେଲଗୁଡ଼ିକୁ ଅଧିକ ପସନ୍ଦ କରିଥାନ୍ତି। ମାତ୍ର ସହରର ସମସ୍ତ ଆବର୍ଜନା ପାଣି ବେଳାଭୂମିକୁ ଗ୍ରାସ କରିସାରିଲାଣି। ସବୁଠୁ ଉଦ୍‌ବେଗର ବିଷୟ ହେଉଛି ଡ୍ରେନେଜ୍‌ ବିଭାଗର ଉଦାସୀନତା ଓ ନିଷ୍କ୍ରିୟତା। ଯେଉଁଥି ପାଇଁ ପୁରୀ ବେଳାଭୂମିର ସୌନ୍ଦର୍ଯ୍ୟ ଭୁଲୁଣ୍ଠିତ ହୋଇଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe