କଟକ: ବାରବାଟୀ ଷ୍ଟାଡିୟମ୍ରେ ନାହିଁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା। ବିଶେଷକରି ବାରବାଟୀ ଷ୍ଟାଡିୟମ୍ରେ ଆନ୍ତର୍ଜାତିକ ମ୍ୟାଚ୍ ଆସିଲେ ପ୍ରଶାସନ ପକ୍ଷରୁ ଅସ୍ଥାୟୀ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ। ହେଲେ ସ୍ଥାୟୀ ବ୍ୟବସ୍ଥା ନଥିବାରୁ ସ୍ଥାୟୀ ପ୍ରମାଣପତ୍ର କିନ୍ତୁ ମିଳିପାରୁନି। ଆନ୍ତର୍ଜାତିକ ମ୍ୟାଚ୍ ଆସିଲେ ପାଖାପାଖି ୭୦ହଜାର ଲୋକଙ୍କ ସମାଗମ ହେବ। ଏମାନଙ୍କ ମଧ୍ୟରେ ଖେଳାଳିଙ୍କ ସହ ଭିଭିଆଇପି, ଭିଆଇପି, ସେଲିବ୍ରିଟି ଇତ୍ୟାଦି ରହିବେ। ଏପରିସ୍ଥଳେ ସମସ୍ତଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଉଥିବାରୁ ଅଗ୍ନି ନିରାପତ୍ତା ସବୁଠୁ ବଡ଼ ପ୍ରସଙ୍ଗ ରହିବ। ତେବେ ପ୍ରତ୍ୟେକ ଥର ଅଗ୍ନିଶମ ବିଭାଗ ପକ୍ଷରୁ ଓସିଏକୁ ଅସ୍ଥାୟୀ ନିରାପତ୍ତା ପ୍ରମାଣପତ୍ର ଦିଆଯାଉଥିବା ବେଳେ ଏତେବଡ଼ ଷ୍ଟାଡିୟମ୍ରେ ସ୍ଥାୟୀ ବ୍ୟବସ୍ଥା କାହିଁକି କରାଯାଉ ନାହିଁ ବୋଲି ପ୍ରଶ୍ନ ଉଠୁଛି। ଓସିଏର ପ୍ରିନ୍ସିପାଲ୍ କନସଲଣ୍ଟାଣ୍ଟ ବିଷ୍ଣୁପ୍ରସାଦ ମହାପାତ୍ରଙ୍କ ସୂଚନା ଅନୁସାରେ, ନ୍ୟାସନାଲ୍ ବିଲ୍ଡିଂ କୋର୍ଡ ପାର୍ଟ-୪ ଅନୁଯାୟୀ କେବଳ ସ୍ଥାୟୀ କୋଠା ପାଇଁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଆବଶ୍ୟକ ହୋଇଥାଏ। କିନ୍ତୁ ମ୍ୟାଚ୍ ଆୟୋଜନ ହେବା ବାଲିଯାତ୍ରା ଭଳି ଏକ ଇଭେଣ୍ଟ। ତେଣୁ ଏହାକୁ ଅସ୍ଥାୟୀ ଭାବେ ଅଗ୍ନି ନିରାପତ୍ତା ପ୍ରମାଣପତ୍ର ମିଳିଥାଏ। ତଥାପି ଆମେ ଫାୟାର ଡିଟେକ୍ସନ୍, ପ୍ରୋଟେକ୍ସନ୍ ଓ ଫାୟାର ଫାଇଟିଂ ପାଇଁ ବ୍ୟବସ୍ଥା କରାଯାଉଛି। ସରକାରଙ୍କ ପକ୍ଷରୁ ମଧ୍ୟ ଦମକଳ ଓ ଅଗ୍ନିଶମ କର୍ମଚାରୀ ନିୟୋଜିତ ହେଉଛନ୍ତି।
ଖେଳାଳି, ଭିଭିଆଇପି, ଦର୍ଶକଙ୍କ ସୁରକ୍ଷା ପ୍ରଶ୍ନବାଚୀ
ଜୁଲାଇରେ ଓସିଏ କନ୍ଫରେନ୍ସ ହଲ୍ରେ ଅଗ୍ନିକାଣ୍ଡ ହୋଇଥିଲା, ତଥାପି ଚେତିଲେନି
'Environmental permit: ‘ପିଛିଲା ତାରିଖରେ ପରିବେଶ ଅନୁମତି ବୈଧ’
Cyclone likely on 27th: ସମୁଦ୍ରରେ ବିକଶିତ ହେଉଛି ଦୁଇଟି ସିଷ୍ଟମ୍: ୨୭ରେ ବାତ୍ୟା ସୃଷ୍ଟି ଆଶଙ୍କା
ବାରବାଟୀ ଷ୍ଟାଡିୟମ୍ରେ ଓସିଏ କାର୍ଯ୍ୟାଳୟ ସହିତ ଅଲିମ୍ପିକ୍ ସଂଘ କାର୍ଯ୍ୟାଳୟ, ୧୦ରୁ ଅଧିକ ରାଜ୍ୟ କ୍ରୀଡ଼ା ସଂଘ, ଘରୋଇ ସଂସ୍ଥା କାର୍ଯ୍ୟାଳୟ, ସ୍କୁଲ୍, କନଫରେନ୍ସ ହଲ୍, ଖେଳାଳିମାନଙ୍କ ଡ୍ରେସିଂ ରୁମ୍ ଇତ୍ୟାଦି ସ୍ଥାୟୀ ଭାବେ ନିର୍ମିତ ହୋଇ ରହିଛି। ଏଗୁଡ଼ିକ ଉପରେ ଗ୍ୟାଲେରି ନିର୍ମାଣ କରାଯାଇ ଦର୍ଶକଙ୍କ ପାଇଁ ବସିବା ବ୍ୟବସ୍ଥା ହୋଇଛି। ଓସିଏ ଯୁକ୍ତି ଅନୁସାରେ ଯଦି ଆନ୍ତର୍ଜାତିକ ମ୍ୟାଚ୍ ଗୋଟିଏ ଇଭେଣ୍ଟ ସଦୃଶ, ତାହେଲେ ଉପରୋକ୍ତ ସ୍ଥାୟୀ କୋଠାଗୁଡ଼ିକ ମଧ୍ୟରୁ ଯଦି କେଉଁଠାରେ ଅଗ୍ନିକାଣ୍ଡ ଘଟଣା ଘଟେ, ତାହେଲେ ସେଥିରେ ଦର୍ଶକ ଓ ଖେଳ ପ୍ରଭାବିତ ହେବ କି ନାହିଁ? ଦମକଳ କିମ୍ବା ଅଗ୍ନି ନିର୍ବାପକ ଯନ୍ତ୍ର ମାଧ୍ୟମରେ ହୁଏତ ନିଆଁକୁ ଆୟତ୍ତ କରାଯାଇପାରେ। କିନ୍ତୁ ଏହାର ପ୍ରଭାବରେ ଦର୍ଶକଙ୍କ ମଧ୍ୟରେ ଯେଉଁ ଧାଁଧପଡ଼ ହେବ, ଦଳାଚକଟା ଭଳି ସ୍ଥିତି ଉପୁଜିବ ସେଥିପାଇଁ କିଏ ଦାୟୀ ରହିବେ ବୋଲି ପ୍ରଶ୍ନ ଉଠୁଛି। ଚଳିତ ବର୍ଷ ଜୁଲାଇ ୧୨ ତାରିଖରେ ଓସିଏ କନ୍ଫରେନ୍ସ ହଲ୍ରେ ସଟ୍ ସର୍କିଟ୍ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିଲା। ସୌଭାଗ୍ୟବଶତଃ ହଲ୍ରେ କୌଣସି ବ୍ୟକ୍ତି ନଥିଲେ। ତଥାପି ଲକ୍ଷାଧିକ ଟଙ୍କାର କ୍ଷତି ହୋଇଥିଲା। ଏହାପରଠୁ କନ୍ଫରେନ୍ସ ହଲ୍ର ନବୀକରଣ କରାଯାଇଛି। କିନ୍ତୁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା କିଛି କରାଗଲା ନାହିଁ। ପ୍ରିନ୍ସପାଲ୍ କନ୍ସଲ୍ଟାଣ୍ଟ ଶ୍ରୀ ମହାପାତ୍ରଙ୍କ କହିବାନୁସାରେ, ବାରବାଟୀ ଷ୍ଟାଡିୟମ୍ର ଜମି ଲିଜ୍ ନବୀକରଣ ହୋଇନାହିଁ। ଏଥିସହିତ ଷ୍ଟାଡିୟମ୍ର କିଛି ଅନୁମତି ପୁରୁଣା ହୋଇଗଲାଣି। ଷ୍ଟାଡିୟମ୍ର ସଂପୂର୍ଣ୍ଣ ନବୀକରଣ କରାଗଲେ ସେଥିରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି। ତେବେ ଏପରିସ୍ଥିତିରେ ଅଗ୍ନିଶମ ବିଭାଗ ପକ୍ଷରୁ ଅସ୍ଥାୟୀ ନିରାପତ୍ତା ପ୍ରମାଣପତ୍ର ଦିଆଯିବା ବେଳେ ସ୍ଥାୟୀ ବିଷୟରେ କାହିଁକି ପଚରାଯାଉନାହିଁ ବୋଲି ପ୍ରଶ୍ନଉଠୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/26/barabati-2025-11-26-03-30-03.jpg)