ବଢୁଛି କ୍ରିକେଟ୍ କ୍ରେଜ୍: ବାରବାଟୀରେ ବଡ ଲଢେଇ, ଦିନିକିଆରେ ଦମ୍ ଦେଖାଇବ ଟିମ୍ ଇଣ୍ଡିଆ

BARABATI

Photograph: (SAMBAD.IN)

କଟକ: ଆଉ ମାତ୍ର କେଇ ଘଣ୍ଟାର ଅପେକ୍ଷା। ଆଜି ସୁପର୍ ସଣ୍ଡେରେ ସୁପର ସୋ’ । ବାରବାଟୀରେ ହେବ ମହାଲଢେଇ । କଟକରେ ଭାରତ-ଇଂଲଣ୍ଡ ଦିନିକିଆ ଟକ୍କର । ମହାଲଢ଼େଇ ପାଇଁ ପ୍ରସ୍ତୁତ ରହିଛି ବାରବାଟୀ ଷ୍ଟାଡ଼ିୟମ । ଛକା, ଚୌକା ବର୍ଷା ଭିତରେ ହାଇସ୍କୋରିଂ ମ୍ୟାଚର ଆଶା ରଖିଛନ୍ତି ଦର୍ଶକ । 

କ୍ରିକେଟ୍‌ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପ୍ରବଳ ଉତ୍ସାହ,ଉତ୍କଣ୍ଠା । ପାଞ୍ଚବର୍ଷର ପ୍ରତୀକ୍ଷା ପରେ ବାରବାଟୀକୁ ଏକଦିବସୀୟ କ୍ରିକେଟ୍‌ ଫେରିଥିବାରୁ ଦର୍ଶକଙ୍କ ଠାରୁ ଆରମ୍ଭ କରି ଖେଳାଳି ସମସ୍ତେ ଉତ୍ସାହିତ ଅଛନ୍ତି । ଆଜି ମ୍ୟାଚ ଜିତି ଭାରତ ୱାନଡେ ସିରିଜ କବଜା କରିବାକୁ ଲକ୍ଷ୍ୟ ରଖିଛି। ବାରବାଟୀ ସବୁବେଳେ ଭାରତୀୟ ଦଳ ପାଇଁ ଭାଗ୍ୟଶାଳୀ ସାବ୍ୟସ୍ତ ହୋଇଛି । ତେଣୁ ଆଜି ବି ଟିମ୍ ଇଣ୍ଡିଆ ପାଇଁ ଭଲ ହେବ ବୋଲି କ୍ରିକେଟପ୍ରେମୀ କହିଛନ୍ତି । 

ତେବେ ବାରବାଟୀରେ ଭାରତୀୟ ଦଳ ମୋଟ ୧୭ଟି ଦିନିକିଆ ମ୍ୟାଚ୍ ଖେଳିଥିବା ବେଳେ ୧୩ଟି ମ୍ୟାଚ୍ ଜିତିଛି ଏବଂ ମାତ୍ର ୪ଟି ହାରିଛି। ୨୦୧୯ରେ ଭାରତ ଶେଷ ଥର ପାଇଁ ଏଠାରେ ୱେଷ୍ଟଇଣ୍ଡିଜକୁ ଭେଟିଥିଲା । ଏଥର ମଧ୍ୟ ଭାରତ ସେହି ସଫଳତା ଦୋହରାଇ ଇଂଲଣ୍ଡ ବିପକ୍ଷରେ ବାରବାଟୀରେ ହିଁ ଶୃଙ୍ଖଳା ବିଜୟର ସଫଳତା ଛୁଇଁବ ବୋଲି ଆଶା ରଖିଛନ୍ତି କ୍ରିକେଟପ୍ରେମୀ। 

ସେପଟେ ମ୍ୟାଚକୁ କୋହଲି ଫେରିବା ଏକପ୍ରକାର ନିଶ୍ଚିତ ଥିବାରୁ ଭାରତୀୟ ଏକାଦଶରେ କିଛିଟା ଅଦଳ ବଦଳ ହେବ। ମ୍ୟାଚର ପୂର୍ବଦିନ ଆହତ ବ୍ୟାଟର୍ କୋହଲି ଫିଟ୍ ଘୋଷିତ ହେବା ମଧ୍ୟ କ୍ରିକେଟ୍‌ପ୍ରେମୀଙ୍କ ଖୁସିକୁ ଦ୍ବିଗୁଣିତ କରିଛି। ଗତକାଲି ଭାରତୀୟଦଳର ଅଭ୍ୟାସ ବେଳେ ହଜାର ହଜାର ସଂଖ୍ୟାରେ ଉପସ୍ଥିତ ରହି ଆଗୁଆ ସେମାନେ ଟିମ୍ ଇଣ୍ଡିଆର ମନୋବଳ ବଢ଼ାଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe