ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ, ୧୫ ସୁଦ୍ଧା ଦାଖଲ ହେବ ପ୍ରକଳ୍ପ ରିପୋର୍ଟ

Advertisment
ବରଗଡ଼ କ୍ୟାନ୍‌ସର୍‌ ହସ୍ପିଟାଲ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତି ଆରମ୍ଭ, ୧୫ ସୁଦ୍ଧା ଦାଖଲ ହେବ ପ୍ରକଳ୍ପ ରିପୋର୍ଟ

ବରଗଡ଼: ବରଗଡ଼ରେ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ କାମ ପୁଣି ଗୋଟିଏ ପାଦ ଆଗକୁ ବଢ଼ିଛି। ଗୃହନିର୍ମାଣ ବିଭାଗର ମୁଖ୍ୟ ଯନ୍ତ୍ରୀ ବି.ସି ତ୍ରିପାଠୀ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ ପାଇଁ ପ୍ରକଳ୍ପ ରିପୋର୍ଟ ଏବଂ ବ୍ୟୟ ଅଟକଳ ଲୋଡ଼ିଛନ୍ତି। ଏନେଇ ସେ ବରଗଡ଼ ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କୁ ବିଧିବଦ୍ଧ ଚିଠି ଲେଖିଛନ୍ତି। ହସ୍ପିଟାଲ ପାଇଁ ଜାଗା ଚିହ୍ନଟ, ମୃତ୍ତିକା ପରୀକ୍ଷା ଏବଂ ହସ୍ପିଟାଲ ଢାଞ୍ଚା ରିପୋର୍ଟ ଚୂଡ଼ାନ୍ତ କରି ଆସନ୍ତା ୧୫ ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ପ୍ରକ୍ରିୟାରେ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ସହାୟତା କରିବେ। ଉଭୟ ବରଗଡ଼ ଜିଲ୍ଲାପାଳ ଏବଂ ସିଡିଏମ୍‌ଓଙ୍କ ଉପସ୍ଥିତିରେ ରିପୋର୍ଟ ପାଇଁ ପ୍ରକ୍ରିୟା ଆଗେଇ ନେବାକୁ ଚିଠିରେ ଉଲ୍ଲେଖ ରହିଛି। ଏହାବାଦ୍‌ ହସ୍ପିଟାଲର ବ୍ୟୟ ଅଟକଳ ମଧ୍ୟ ନିର୍ଦ୍ଧାରିତ କରିବାକୁ କୁହାଯାଇଛି। ରିପୋର୍ଟକୁ ମଂଜୁରି ମିଳିବା ପରେ ହସ୍ପିଟାଲ ନିର୍ମାଣ କାମ ତୁରନ୍ତ ଆରମ୍ଭ ହେବ ବୋଲି ଆଶା ସଂଚାର ହୋଇଛି।

ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁଆରି ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ଠାରେ କ୍ୟାନସର୍‌ ହସ୍ପିଟାଲ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। କିନ୍ତୁ ଏନେଇ କିଛି ତ୍ବରିତ ପଦକ୍ଷେପ ନହେବାରୁ ଜିଲ୍ଲାରେ ଅସନ୍ତୋଷ ଦାନା ବାନ୍ଧିବା ଆରମ୍ଭ କରିଥିଲା। ଗତ ୨୦ ତାରିଖ ଭୁବନେଶ୍ବରଠାରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଏହି ପ୍ରସ୍ତାବିତ ପ୍ରକଳ୍ପର ସମୀକ୍ଷା କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହିଁ ୫୦ ଶଯ୍ୟା ବିଶିଷ୍ଟ କ୍ୟାନସର୍‌ ହସ୍ପିଟାଲ ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହେବ ବୋଲି ସ୍ଥିର ହୋଇଛି। ଏଠାରେ ରେଡିଓଥେରାପି, ସିଟି ସିମୁଲେଟର୍‌, ଇମୋବାଇଲାଇଜେସନ୍‌, ହିଷ୍ଟୋପାଥୋଲୋଜି ଲାବ୍‌, ଡେ’ କେୟାର କେମାଥେରାପି ଏବଂ ଏମର୍ଜେନ୍ସି କେୟାର ସୁବିଧା ଉପଲବ୍ଧ ହେବ। ରେଡିଓ ଥେରାପି ପାଇଁ ୧୦ହଜାର ବର୍ଗ ଫୁ୍ଟ୍‌ ଜାଗା ଆବଶ୍ୟକ ରହିଛି। ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପରିସରରେ ପର୍ଯ୍ୟାପ୍ତ ଜାଗା ଥିବାରୁ ଏଥିପାଇଁ ସମସ୍ୟା ଉପୁଜିବ ନାହିଁ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe