ବରଗଡ଼ ଧନୁଯାତ୍ରା: ଏଥର ରାଜସ୍ଥାନୀ ମହଲରେ କଂସ ରାଜୁତି

Advertisment
ବରଗଡ଼ ଧନୁଯାତ୍ରା: ଏଥର ରାଜସ୍ଥାନୀ ମହଲରେ କଂସ ରାଜୁତି

ବରଗଡ଼: ଦିନକ ପରେ ଆରମ୍ଭ ହେବ ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା। ସବୁ ‌କ୍ଷେତ୍ରରେ ପ୍ରସ୍ତୁତିକୁ ଶେଷ ସ୍ପର୍ଶ ଦିଆଯାଇଛି। କଳାକାର, ଆୟୋଜକମାନେ ସଫଳ ଯାତ୍ରା ଆୟୋଜନ ପାଇଁ ଉଦ୍ୟମ ଚଳାଇଛନ୍ତି। ନିଖୁଣ ଅଭିନୟ ପାଇଁ ଚାଲିଥିବା ଆଖଡ଼ାଶାଳ ବି ଫାଙ୍କା ରହିଛି। କଳାକାରମାନେ ଏବେ ଖୋଲା ରଂଗମଂଚରେ ନିଜ ଅଭିନୟ ଦେଖାଇବେ। ଗତ ୯ତାରିଖରୁ ସ୍ଥାନୀୟ କଲ୍ୟାଣ ମଣ୍ଡପରେ କଂସ ମହାରାଜଙ୍କ ସମେତ ଅନ୍ୟ ଚରିତ୍ରମାନେ ଆଖଡ଼ାରେ ଯୋଗଦେଇ ପ୍ରସ୍ତୁତି ଚଳାଇଥିଲେ। ଠିକ୍‌ ସେହିପରି ଅମ୍ବାପାଲିଠାରେ କୃଷ୍ଣ-ବଳରାମ, ଗୋପୀ-ଗୋପାଙ୍ଗନାମାନେ ଆଖଡ଼ାରେ ସାମିଲ ଥିଲେ।

କଳାକାରମାନଙ୍କ ପୋଷାକପତ୍ର ପ୍ରସ୍ତୁତ ହୋଇ ସାରିଲାଣି। ବରଗଡ଼ରେ ଉଭୟ ରଂଗମହଲ ଏବଂ ଦରବାର ସାଜସଜ୍ଜା ଶେଷ ପର୍ଯ୍ୟାୟରେ ପହଂଚିଛି। ହାଟପଦା ପଡ଼ାଠାରେ ଏମ୍‌ଏମ୍‌ ଇଭେଣ୍ଟସ୍‌ ଦରବାର ତିଆରି ଦାୟିତ୍ବ ମୁଣ୍ଡାଇଛନ୍ତି। ଏହାବାଦ୍‌ ମୁଖ୍ୟ ତୋରଣ ମଧ୍ୟ ଏହି ସଂସ୍ଥା ତିଆରି କରୁଛି। ଏଥର ଦରବାରକୁ ରାଜସ୍ଥାନୀ ମହଲ୍‌ର ରୂପ ଦିଆଯାଇଛି। ‌ଅର୍ଥାତ୍‌ ରାଜସ୍ଥାନୀ ମହଲରେ ମହାରାଜା କଂସଙ୍କ ରାଜୁତି ଚାଲିବ। ମୁଖ୍ୟତୋରଣକୁ ମଧ୍ୟ ସେହି ହିସାବରେ ପ୍ରସ୍ତୁତ କରାଯାଇଛି। ସହରର ବିଭିନ୍ନ ସ୍ଥାନରେ ତୋରଣ ଏବଂ ଆଲୋକ ସାଜସଜ୍ଜା ସରିଯାଇଛି। ନିଶାମଣି ପଡ଼ିଆରେ ରଂଗମହଲ ମଧ୍ୟ ପାଖାପାଖି ପ୍ରସ୍ତୁତ ହୋଇସାରିଲାଣି। ଜର୍ଜ ହାଇସ୍କୁଲ ପଡ଼ିଆରେ ମିନାବଜାର ପଡ଼ିଲାଣି। ଷ୍ଟଲ୍‌ଗୁଡ଼ିକ ମଧ୍ୟ ମୁଣ୍ଡ ଟେକିଛି। ସହରକୁ ବାହାର ରାଜ୍ୟରୁ ବ୍ୟବସାୟୀମାନେ ଆସିବା ଆରମ୍ଭ କଲେଣି। ଯାତ୍ରା ଦେଖିବା ପାଇଁ ଅତିଥିମାନେ ଠୁଳ ହେଲେଣି। ବର୍ତମାନ ଛୁଟି ଥିବାରୁ ପ୍ରଥମ ଦିନରୁ ହିଁ ଧନୁଯାତ୍ରା ଭିଡ଼ ଜମିବ ବୋଲି ଆକଳନ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe