ଦାୟିତ୍ୱ ଗ୍ରହଣ ପାଇଁ ନବନିର୍ବାଚିତ ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ପୂରାଇ ଦେଲେନି ପରାଜିତ ପ୍ରାର୍ଥିନୀ

ସରକାରଙ୍କ ନିର୍ବାଚନୀ ଆଇନ ସଂଶୋଧନ ନେଇ ଦାବିପତ୍ର

ଦାୟିତ୍ୱ ଗ୍ରହଣ ପାଇଁ ନବନିର୍ବାଚିତ ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ପୂରାଇ ଦେଲେନି ପରାଜିତ ପ୍ରାର୍ଥିନୀ

ଥୁଆପାଲି : ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ରେଶମ ପଂଚାୟତର ନବନିର୍ବାଚିତ ସରପଞ୍ଚ ସଂଯୁକ୍ତା ବେହେରା ଗୁରୁବାର ଦିନ ଦାୟିତ୍ୱ ଗ୍ରହଣ ପାଇଁ ପଞ୍ଚାୟତ କାର୍ଯ୍ୟାଳୟକୁ ଆସିଥିଲେ। ହେଲେ ପରାଜିତ ସରପଞ୍ଚ ପ୍ରାର୍ଥିନୀ ସନ୍ତୋଷିନୀ ମଲ୍ଲିକ ଓ ତାଙ୍କ ସମର୍ଥକ ନବନିର୍ବାଚିତ ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟକୁ ପ୍ରବେଶ କରାଇ ଦେଇନଥିଲେ। ଫଳରେ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ ମାଜିଷ୍ଟ୍ରେଟ୍‌ ଦାୟିତ୍ବରେ ଥିବା ଭେଡ଼େନ ତହସିଲଦାର ଅନିଲ ହୋତା, ବିଡିଓ ରଘୁନାଥ ପାଣିଗ୍ରାହୀ, ଥାନାଧିକାରିଣୀ ସଂଗୀତା ମହାପାତ୍ରଙ୍କ ସମେତ ପୁଲିସ୍‌ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିଥିଲେ। ହେଲେ ପରାଜିତ ପ୍ରାର୍ଥିନୀ ନିଜ ଜିଦ୍‌ରେ ଅଟଳ ରହିଥିଲେ।

ସୂଚନା ଅନୁସାରେ, ସନ୍ତୋଷିନୀ ମଲ୍ଲିକ ୧୬ ଖଣ୍ଡ ଭୋଟରେ ପରାଜିତ ହୋଇଥିଲେ। ଭୋଟ ଗଣତିରେ ସନ୍ଦେହ ଥିଲେ ପ୍ରାର୍ଥୀଙ୍କ ଏଜେଣ୍ଟ ୧୦ ମିନିଟ୍‌ ମଧ୍ୟରେ ପୁନଃ ଗଣତି ଆବେଦନ କରିପାରିବା ଆଇନକୁ ସରକାର ସଂଶୋଧନ କରିବାକୁ ପରାଜିତ ପ୍ରାର୍ଥିନୀ ସନ୍ତୋଷିନୀ ମଲ୍ଲିକ ନିର୍ବାଚନ ଅଧିକାରୀଙ୍କୁ ବିଡିଓଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତା ସହିତ ସେ ଏହି ଘଟଣା କୋର୍ଟରେ ବିଚାରାଧୀନ ଥିବାବେଳେ କେମିତି ନୂତନ ସରପଞ୍ଚ ପଞ୍ଚାୟତ ଅଫିସ୍‌କୁ ପ୍ରବେଶ କରିବେ ବୋଲି ସେ ପ୍ରଶ୍ନ କରିଥିଲେ।

ଦାବିପତ୍ର ପ୍ରଦାନ ସମୟରେ ପରାଜିତ ସରପଞ୍ଚ ପ୍ରାର୍ଥିନୀ ସନ୍ତୋଷିନୀ ମଲ୍ଲିକ, ଯୁବନେତା ସୁଶାନ୍ତ ଭୋଇ, ରବୀନ୍ଦ୍ର ଛତର, ହରେକୃଷ୍ଣ ସିକା, ହରିବୋଲ ସିକା, ସୁଶିଲ ଖମାରି, ପ୍ରମୋଦ ସାହୁ, ବାସୁଦେବ ବାରିକ, ନାରାୟଣ ମଲ୍ଲିକ, ନିର୍ମଳ ପଧାନ, ସୁବ୍ରତ ସେଟ୍‌ଙ୍କ ସମେତ ପଞ୍ଚାୟତର ରାମ୍‌ଜିପଡ଼ାର ଜନସାଧାରଣ ଉପସ୍ଥିତ ଥିଲେ। ନବନିର୍ବାଚିତ ସରପଞ୍ଚ ସେଠାରୁ ଫେରି ଯାଇଥିଲେ। ଏ ବିଷୟରେ ବିଡିଓଙ୍କୁ ପଚାରାଯିବାରୁ ଏମିତି କିଛି ଉତ୍ତେଜନା ଘଟିନଥିବା ପ୍ରକାଶ କରିବା ସହ ଆସନ୍ତାକାଲି ସବୁ ଠିକ୍‌ ହୋଇଯିବ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe