ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ମଥୁରାରେ କୃଷ୍ଣମୟ; ସୁଦାମା ଭେଟ, କୁବ୍‌ଜା ଉଦ୍ଧାର

Advertisment
ବରଗଡ଼ ବିଶ୍ବପ୍ରସିଦ୍ଧ ଧନୁଯାତ୍ରା: ମଥୁରାରେ କୃଷ୍ଣମୟ; ସୁଦାମା ଭେଟ, କୁବ୍‌ଜା ଉଦ୍ଧାର

ମଥୁରାନଗର : କୃଷ୍ଣ-ବଳରାମଙ୍କୁ ଧନୁଯାତ୍ରାକୁ ନିମନ୍ତ୍ରଣ କରିବାକୁ ଯାଇଥିବା ଅକ୍ରୂର ସେଠାରୁ ମେଲାଣି ନେଇ ମଥୁରାରେ ପହଞ୍ଚିଛନ୍ତି। ସେପଟେ କୃଷ୍ଣ ବଳରାମଙ୍କ ବିନା ଗୋପଦାଣ୍ତ ଖାଁଖାଁ ଲାଗୁଛି। ବେନି ଭାଇଙ୍କୁ ଝୁରି ହେଉଛନ୍ତି ଗୋପାଳ ଗୋପାଙ୍ଗନାମାନେ। ମାଁ ଯୋଶଦାଙ୍କ ଆଖି ବୋହି ଯାଉଛି ଲୁହ ଧାର। ଏପଟେ ମଥୁରାବାସୀ କୃଷ୍ଣ ବଳରାମଙ୍କ ଆସିବା ସୂଚନା ପାଇ ଆନନ୍ଦ ବିଭୋର ହୋଇ ଧାଇଁଥିଲେ ଗାଁ ଦାଣ୍ତକୁ।

ଅକ୍ରୂରଙ୍କ ସହ ରଥାରୁଢ଼ ହୋଇ କୃଷ୍ଣ-ବଳରାମ ମଥୁରା ଭ୍ରମଣ କରିଥିଲେ। ନଗର ଭ୍ରମଣ ସମୟରେ ମହାରାଜ କ˚ସଙ୍କ ରଜକକୁ କାନ୍ଧରେ ଉଜ୍ଜ୍ବଳ ବସନ ନେଇ ଯାଉଥିବା ଦେଖି ଦୁଇ ଭାଇ ଏହି ବସ୍ତ୍ର ଦେବାକୁ ଅଳି କରିଥିଲେ। ମାତ୍ର ରଜକ ଏଥିରେ ରାଜି ହୋଇନଥିଲା। କୃଷ୍ଣ ଶେଷରେ ଗୁହାରି କରିଥିଲେ ହେଁ ସେ ନଶୁଣିଲା ପରି ସେଠାରୁ ଚାଲିଯାଉଥିବା ବେଳେ ଗୋପାଳମାନେ ତାଙ୍କ ଠାରୁ ଛଡ଼ାଇ ଆଣିବାକୁ ଉଦ୍ୟତ ହେଉଥିଲେ। ରଜକର ଏଭଳି ମନ୍ତବ୍ୟ ଶୁଣି କୃଷ୍ଣ କ୍ରୋଧାନ୍ବିତ ହୋଇଛନ୍ତି। ସେ ବାମ ହାତରେ ଚାପୁଡ଼ା ମାରିବାରୁ ରଜକର ମୃତ୍ୟୁ ହୋଇଛି। ଏହାପରେ କୃଷ୍ଣ  ଓ ଗୋପାଳମାନେ ଲୁଗା ପିନ୍ଧିଥିଲେ। ନଗର ଭ୍ରମଣ ସମୟରେ ସୁଦାମା କୃଷ୍ଣ-ବଳରାମଙ୍କ ଚରଣ ଧୋଇ କୃଷ୍ଣପ୍ରେମରେ ଗଦ୍‌ଗଦ୍‌ ହୋଇ ଉଠିଥିଲେ। ନଗର ପରିକ୍ରମା ବେଳେ କାଳିମନ୍ଦିରରେ କୁବୁଜା ସହିତ ସେମାନଙ୍କର ସାକ୍ଷାତ ହୋଇଥିଲା। ଶ୍ରୀକୃଷ୍ଣ ପ୍ରୀତ ହୋଇ ସାଉଁଳି ଦେବାରୁ କୁବୁଜାର ଅସୁନ୍ଦର ଶରୀର ସୁନ୍ଦର ହୋଇଯାଇଥିଲା।

publive-image

ଅପରପକ୍ଷରେ ଆଜି ମଧ୍ୟ ମହରାଜ କ˚ସ ମଥୁରାନଗର ପରିକ୍ରମା କରିବା ସହିତ ଦିଗବିଜୟରେ ବାହାରିଥିଲେ। କୃଷ୍ଣବଳରାମଙ୍କୁ ମଥୁରାରେ ଘରେ ଘରେ ପୂଜାର୍ଚ୍ଚନା କରାଯାଉଥିବା ସୂଚନା ପାଇ ମହରାଜ କ୍ରୋଧାନ୍ବିତ ହୋଇଛନ୍ତି। ସେଇ ଦୈବବାଣୀ ଗୁଞ୍ଜିରତ ହୋଇଛି ବାରମ୍ବାର। ଧନୁଯାତ୍ରା ଆୟୋଜନର ତାଙ୍କର ଅସଲ ଉଦ୍ଦେଶ୍ୟ ସାଧିତ ହେବାକୁ ଯାଉଛି ବୋଲି ମଧ୍ୟ ମହାରାଜ ଆନନ୍ଦିତ ହୋଇଛନ୍ତି। ହେଲେ ମନରେ ଭୟର ରାଜୁତି। ବେଳେ ବେଳେ ତାଙ୍କର ତନୁମନ ଦୁର୍ବଳ ହୋଇଯାଉଛି। ମାତ୍ର ଉପସ୍ଥିତ ପାତ୍ରମନ୍ତ୍ରୀ ଦମ୍ଭ ଦେବାରୁ ମହାରାଜ ପୁଣି ଗର୍ଜି ଉଠିଛନ୍ତି। ମହାରାଜଙ୍କ ମନ ହାଲୁକା କରିବା ସକାଶେ ଆୟୋଜିତ ହୋଇଛି ନୃତ୍ୟ ଗୀତର ଆସର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe