Odisha Watch
ବରଗଡ଼ : ଆସନ୍ତା ୨୧ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଗସ୍ତ ଚୂଡ଼ାନ୍ତ ହୋଇଛି। ଏହି ଅବସରରେ ନବନିର୍ମିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ସାଇନ୍ସ ପାର୍କ ଉଦ୍ଘାଟନ କରିବା କାର୍ଯ୍ୟକ୍ରମ ରହିଛି। ୪୨୫ ଶଯ୍ୟା ବିଶିଷ୍ଟ ଏହି ଡାକ୍ତରଖାନା ନିଶ୍ଚିତ ଭାବେ ଜିଲ୍ଲାକୁ ଉତ୍ତମ ସ୍ବାସ୍ଥ୍ୟସେବା ଯୋଗାଇବ ବୋଲି ସମସ୍ତେ ଆଶାବାଦୀ। କିନ୍ତୁ ନୂଆ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର କରିବା ଏକ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଅନ୍ୟପକ୍ଷରେ ଡାକ୍ତରଖାନାର ନବକଳେବର ପରେ ରୋଗୀସେବା ପାଇଁ ଆବଶ୍ୟକ ସଂଖ୍ୟକ ଡାକ୍ତର କେଉଁଠୁ ଆସିବେ ତାକୁ ନେଇ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ନୂଆ ଡାକ୍ତରଖାନା ପ୍ରଥମେ ୧୨୫ ଶଯ୍ୟା ବିଶିଷ୍ଟ ଥିଲା। ଯାହାକୁ ପୁଣି ସଂପ୍ରସାରିତ କରାଯାଇ ଅତିରିକ୍ତ ୩ଶହ ଶଯ୍ୟା ବ୍ୟବସ୍ଥା କରାଯାଇଛି। ଅର୍ଥାତ ଏଠାରେ ମୋଟ୍ ୪୨୫ଟି ଶଯ୍ୟା ଉପଲବ୍ଧ ରହିବ। କିନ୍ତୁ ଏତେ ସଂଖ୍ୟକ ରୋଗୀଙ୍କୁ ଚିକିତ୍ସାସେବା ଯୋଗାଇବା ପାଇଁ ଡାକ୍ତର କେଉଁଠୁ ଆସିବେ? ବର୍ତମାନ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ମଂଜୁରୀପ୍ରାପ୍ତ ପଦବିରୁ ଅଧା ଡାକ୍ତର ଅଛନ୍ତି। ନୂଆ କୋଠାକୁ ଡାକ୍ତରଖାନା ସ୍ଥାନାନ୍ତର ହେଲେ, ପୁରୁଣା ଯାଗାରେ କିଛି ଗୁରୁତ୍ବପୂର୍ଣ୍ଣ ବିଭାଗ ଚାଲିବ। ତେଣୁ ଡାକ୍ତର ଭାଗବଣ୍ଟା ପାଇଁ ପଦବି ନିଅଣ୍ଟ ରହିଛି। ପର୍ଯ୍ୟାପ୍ତ କର୍ମଚାରୀ ମଧ୍ୟ ନାହାନ୍ତି। କେଉଁ ବିଭାଗକୁ ନୂଆ ସ୍ଥାନକୁ ନିଆଯିବ ଏବଂ କେଉଁ ବିଭାଗ ପୁରୁଣା ସ୍ଥାନରେ ରହିବ, ତାହା ବି ସ୍ଥିର କରିବା ମୁସ୍କିଲ। କିଛି ମାସ ତଳେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଥିଲେ। ଡାକ୍ତର ଏବଂ କର୍ମଚାରୀ ପଦବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଏହି ପ୍ରତିଶ୍ରୁତି ଏଯାଏଁ କାର୍ଯ୍ୟକାରୀ ହୋଇନାହିଁ।
ନୂଆ ସ୍ଥାନକୁ ଡାକ୍ତରଖାନା ସ୍ଥାନାନ୍ତର ହେବା ପୂର୍ବରୁ ରୋଗୀ ପରିଜନ ଏବଂ ଡାକ୍ତର ତଥା କର୍ମଚାରୀଙ୍କ ପାଇଁ ଠୋସ୍ ସୁରକ୍ଷା ବ୍ୟବସ୍ଥା ନିତାନ୍ତ ଜରୁରୀ। ଟୁକୁର୍ଲାରୁ ନିକଟତମ ପୁଲିସ୍ ଥାନା ହେଲା ବରଗଡ଼ ଟାଉନ ଥାନା। କିନ୍ତୁ ଟୁକୁର୍ଲା ଭେଡ଼େନ ତହସିଲ ଅଧିନରେ ଯାଉଛି। ତେଣୁ ଏଠାକାର ସୁରକ୍ଷା ବ୍ୟବସ୍ଥା କେଉଁ ପୁଲିସ୍ ନେବ, ତାହା ନିର୍ଦ୍ଧାରଣ କରିବା ମଧ୍ୟ ଜରୁରୀ।
Follow Us