ସିଟି ହସ୍ପିଟାଲ ଦାବିରେ ବରଗଡ଼ ବନ୍ଦ : ବିଧାୟକଙ୍କୁ ୮ଘଣ୍ଟା ଘେରିଲେ

Advertisment

ପୁଲିସ୍‌-ଆନ୍ଦୋଳନକାରୀ ମୁହାଁମୁହିଁ, ‌ଢେଲା ମାଡ଼

ପୁଲିସ୍‌-ଆନ୍ଦୋଳନକାରୀ ମୁହାଁମୁହିଁ, ‌ଢେଲା ମାଡ଼

ସିଟି ହସ୍ପିଟାଲ ଦାବିରେ ବରଗଡ଼ ବନ୍ଦ : ବିଧାୟକଙ୍କୁ ୮ଘଣ୍ଟା ଘେରିଲେ

ବରଗଡ଼ : ସିଟି ହସ୍ପିଟାଲ ଦାବି ନେଇ ବରଗଡ଼ ସହରରେ ବିସ୍ଫୋରକ ସ୍ଥିତି ସୃଷ୍ଟି ହୋଇଛି। ପୁଲିସ୍‌-ଆନ୍ଦୋଳନକାରୀ ମୁହାଁମୁହିଁ ହୋଇଥିବାବେଳେ ଢେଲାମାଡ଼ ମଧ୍ୟ କରାଯାଇଛି। ଏପରିକି, ବିଧାୟକ ଦେବେଶ ଆଚାର୍ଯ୍ୟଙ୍କୁ ଆନ୍ଦୋଳନକାରୀମାନେ ୮ ଘଣ୍ଟା ଘେରିଛନ୍ତି। ଆନ୍ଦୋଳନ ଯୋଗୁ ସ୍ବତଃପ୍ଫୂର୍ତ୍ତ ଭାବେ ବରଗଡ଼ ଆଜି ବନ୍ଦ ହୋଇଯାଇଛି।

ଆଜି ସକାଳୁ ଲୋକେ ପ୍ରଥମେ ଭଟଲି ଛକ ଏବଂ ଘରୋଇ ବସ୍‌ଷ୍ଟାଣ୍ଡ ଠାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ପରେ ସମଗ୍ର ସ୍ବତଃସ୍ଫୂର୍ତ୍ତ ଭାବରେ ବନ୍ଦ ହୋଇଥିଲା। ସବୁ ସରକାରୀ ଦପ୍ତର, ଦୋକାନବଜାର, ଶିକ୍ଷାନୁଷ୍ଠାନ ଆପଣାଛାଏଁ ବନ୍ଦ ରହିଲା। ଜିଲ୍ଲା ଓକିଲ ସଂଘ ଆନ୍ଦୋଳନକୁ ସମର୍ଥନ ଜଣାଇବାରୁ କୋର୍ଟ ମଧ୍ୟ ବନ୍ଦ ରହିଥିଲା। ଏହାପରେ ଲୋକେ ଛୁଟିଥିଲେ ପୁରୁଣା ଡାକ୍ତରଖାନା। ସେଠାରେ ପ୍ରଥମେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ ଏବଂ ବରିଷ୍ଠ ଅଧିକାରୀମାନେ ଆନ୍ଦୋଳନକାରୀଙ୍କ ସହ ତୁହାକୁ ତୁହା ଆଲୋଚନା କରିଥିଲେ‌ ହେଁ କିଛି ଫଳ ମିଳିନଥିଲା।

ଏହାପରେ ସିଡିଏମ୍‌ଓ ଅଫିସ୍‌ ପରିସରରେ ମହିଳାମାନେ ଏବଂ ଥାନା ପରିସରରେ ଜନସଧାରଣ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ସମେତ ଅନ୍ୟ ଅଧିକାରୀଙ୍କୁ ପ୍ରାୟ ୮ ଘଣ୍ଟା କାଳ ଘେରି ରଖିଥିଲେ। ଏଣେ ତୃତୀୟ ମହଲା ସହ ନିରନ୍ତର ଯୋଗାଯୋଗ ଚାଲିଥିଲା। ସ୍ଥିତି ଅଣାୟତ୍ତ ହେଉଥିବାରୁ ବ୍ୟାପକ ଫୋର୍ସ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀଙ୍କ ସହ ଆଲୋଚନା ବିଫଳ ହେବାରୁ ପୁଣି ଉତ୍ତେଜନା ପ୍ରକାଶ ପାଇଥିଲା। ଫୋର୍ସ ସହାୟତାରେ ବିଧାୟକ ଏବଂ ଅନ୍ୟ ଅଧିକାରୀଙ୍କୁ ପୁରୁଣା ହସ୍ପିଟାଲରୁ କଡ଼ା ସୁରକ୍ଷା ବଳରେ ଟାଉନ ଥାନାକୁ ଅଣାଯାଇଥିଲା। ଏହାପରେ ଲୋକେ ଥାନା ମୁଖ୍ୟ ଗେଟ୍‌ ସମ୍ମୁଖରେ ଧାରଣା ଦେଇଥିଲେ। କିଛି ଯୁବକ ପଛପଟୁ ଥାନାକୁ ପଶୁଥିବା ବେଳେ ପୁଲିସ୍‌ ସହ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷରୁ ଢେଲାମାଡ଼ ହୋଇଥିଲା। ଦୀର୍ଘ ସମୟ ଧରି ଉତ୍ତେଜନା ସହ ଧାରଣା ବିକ୍ଷୋଭ ଜାରି ରହିଥିଲା। ଏଣେ ବିଜେପି ଘୁଲିପାଲି ଠାରେ ଜାତୀୟ ରାଜପଥ ଅବରୋଧ କରିଥିଲା। ପରେ ବିଧାୟକ ଶ୍ରୀ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଜିଲ୍ଲାପାଳ ପୁରୁଣା ଡାକ୍ତରଖାନାରେ ଚିକିତ୍ସାସେବା ଉପଲବ୍ଧ ହେବ ବୋଲି ଲିଖିତ ପ୍ରତିଶ୍ରୁତି ଦେବା ପରେ ସ୍ଥିତି ସାମାନ୍ୟ ସ୍ବାଭାବିକ ହୋଇଥିଲା। ପୁରୁଣା ଡାକ୍ତରଖାନାରେ ଚିକିତ୍ସା ମଧ୍ୟ ଆରମ୍ଭ କରାଯାଇଛି। ବିଳମ୍ବିତ ସଂଧ୍ୟାରେ ଜିଲ୍ଲାପାଳ ସର୍ବଦଳୀୟ ବୈଠକ ଡାକି ଆଲୋଚନା କରିଥିଲେ। ତେବେ ଆଗକୁ ଆନ୍ଦୋଳନ କଣ ମୋଡ଼ ନେବ, ତାହା ସ୍ପଷ୍ଟ ଜଣାପଡ଼ୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe