ବାରକୋଟରେ ୨ ଘଣ୍ଟା ରାଜପଥ ଅବରୋଧ

ଆନ୍ଦୋଳନକୁ ଓହ୍ଲାଇଲା ରେଙ୍ଗାଲି ବାସଚ୍ୟୁତ ସୁରକ୍ଷା ସମିତି

ବାରକୋଟରେ ୨ ଘଣ୍ଟା ରାଜପଥ ଅବରୋଧ

ଦେବଗଡ଼: ରେଙ୍ଗାଲି ଡ୍ୟାମ୍‌ ବାସଚ୍ୟୁତ ଓ କ୍ଷତିଗ୍ରସ୍ତ ପରିବାରଙ୍କୁ ନ୍ୟାୟୋଚିତ କ୍ଷତିପୂରଣ ଓ ଥଇଥାନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛି ରେଙ୍ଗାଲି ବାସଚ୍ୟୁତ ସୁରକ୍ଷା ସମିତି। ଶୁକ୍ରବାର ସମିତି ପକ୍ଷରୁ ବାରକୋଟର ବଣେଇଁ ଛକରେ ୪୯ ନମ୍ବର ଓ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରାଯାଇଥିଲା। ୩୭ ବର୍ଷ ଧରି ସଂପୃକ୍ତ ବିଷୟକୁ ଅବହେଳା କରି ଆସୁଥିବା ରାଜ୍ୟ ସରକାର ତୁରନ୍ତ ଉପଯୁକ୍ତ ପଦକ୍ଷେପ ନ ନେଲେ ଯେ କୌଣସି ମୁହୂର୍ତ୍ତରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କମିଟି ଚେତାବନୀ ଦେଇଥିଲା। ୨ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତାରୋକ ଫଳରେ ଉଭୟ ରାଜପଥରେ ବହୁ ସଂଖ୍ୟାରେ ଯାନବାହନ ଅଟକି ରହିବା ସହ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହୋଇଥିଲା।

ସୂଚନା ଥାଉ କି ରେଙ୍ଗାଲି ବାସଚ୍ୟୁତଙ୍କ ସମସ୍ୟା ସମାଧାନ ନିମନ୍ତେ ଖୋଦ୍‌ ମୁଖ୍ୟମନ୍ତ୍ରୀ ଗତ ୯.୭.୨୦୧୦ରେ ଜଳ ସଂପଦ, ରାଜସ୍ୱ, ଅର୍ଥ ଓ ଆଇନ ବିଭାଗର ସଚିବଙ୍କୁ ନେଇ ବୈଠକ କରିଥିଲେ। ସମସ୍ୟାର ସମାଧାନ ପାଇଁ ବାଚସ୍ୟୁତଙ୍କୁ ଏକର ପିଛା ୫୦ ହଜାର ଟଙ୍କା ଅନୁକମ୍ପାମୂଳକ କ୍ଷତିପୂରଣ ଦେବାକୁ ନିଷ୍ପତ୍ତି ନିଆଯାଇ ୧୫୨ କୋଟି ୨୮ ଲକ୍ଷ ୬୪ ହଜାର ୫ ଶହ ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ଏପରିକି କ୍ଷତିପୂରଣ ପାଇଁ କେସ୍‌ କରିଥିବା ଲୋକଙ୍କୁ ମଧ୍ୟ ବର୍ଦ୍ଧିତ ହାରରେ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତେବେ ଉକ୍ତ ବ୍ୟୟ ଅଟକଳ ଏବେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଗୃହୀତ ହେବା ଅପେକ୍ଷାରେ ପଡ଼ି ରହିଛି। ପ୍ରତିଶ୍ରୁତି ପାଳନରେ ବିଳମ୍ବ ଯୋଗୁଁ ସମସ୍ତ କ୍ଷତିଗ୍ରସ୍ତଙ୍କୁ ବର୍ଦ୍ଧିତ ଆକାରରେ ତାହା ପ୍ରଦାନ କରାଯାଉ ବୋଲି କମିଟି ଦାବି କରି ନଭେମ୍ବର ୨୮ ପର୍ଯ୍ୟନ୍ତ ସମୟ ଦେଇଛି। ଆଜିର ଆନ୍ଦୋଳନକୁ ସମର୍ଥନ ଜଣାଇ ଦେବଗଡ଼ ବିଧାୟକ ନିତେଶ ଗଙ୍ଗଦେବ ଓ ପାଳଲହଡ଼ା ବିଧାୟକ ମହେଶ ସାହୁ ଉପସ୍ଥିତ ଥିଲେ। ଖବର ପାଇ ବାରକୋଟ ତହସିଲ୍‌ଦାର ଯଶୋବନ୍ତ ଦେହୁରୀ, ଏସ୍‌ଡିପିଓ ସୁଲେମାନ ଏକ୍କା, ବାରକୋଟ ଥାନା ଆଇଆଇସି ବ୍ରହ୍ମାନନ୍ତ ପାତ୍ର ପ୍ରମୁଖ ପହଞ୍ଚି ଆଲୋଚନା କରିବା ପରେ ରାସ୍ତାରୋକ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe