ନବଜାତକକୁ ନେଇ ସଉଦା: ହଜାରେ ଦେଲେ ଛୁଆ ମିଳିବ, ଏଡିଏମ୍‌ଓ ମାନିଲେ, ତଦନ୍ତ ଆରମ୍ଭ

Advertisment

ନବଜାତ ଶିଶୁକୁ ନେଇ ଚାଲିଛି ସଉଦା। ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ଛୁଆକୁ ମା’ କୋଳକୁ ଛାଡ଼ୁ ନାହାନ୍ତି। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ....

ନବଜାତ ଶିଶୁକୁ ନେଇ ଚାଲିଛି ସଉଦା। ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ଛୁଆକୁ ମା’ କୋଳକୁ ଛାଡ଼ୁ ନାହାନ୍ତି। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ....

ସୁନ୍ଦରଗଡ଼: ନବଜାତ ଶିଶୁକୁ ନେଇ ଚାଲିଛି ସଉଦା। ହଜାରେ ଟଙ୍କା ନ ଦେଲେ ସେବିକାମାନେ ପ୍ରସବ କକ୍ଷରୁ ଛୁଆକୁ ମା’ କୋଳକୁ ଛାଡ଼ୁ ନାହାନ୍ତି। ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଡାକ୍ତରଖାନାସ୍ଥିତ ମାତୃ ଶିଶୁ ହସ୍ପିଟାଲ (ଏମସିଏଚ୍‌) କର୍ମଚାରୀଙ୍କ ନାମରେ। ଏକ ଘଟଣାକ୍ରମେ ଟଙ୍କା ପାଇଁ ୪୦ ମିନିଟ୍‌ କାଳ ଜଣେ ନବଜାତ ଶିଶୁକୁ ମା’ଠାରୁ ଦୂରେଇ ରଖିଥିବା ଓ ଟଙ୍କା ଦେ‌ଲା ପରେ ଛାଡ଼ିଥିବା ଅଭିଯୋଗ ଆଣିଛନ୍ତି ପୀଡ଼ିତ ପରିବାରବର୍ଗ ଓ ଆଶାକର୍ମୀ। ଏଡିଏମ୍‌ଓ ମଧ୍ୟ ଏହାକୁ ମାନିଛନ୍ତି। ସମ୍ପୃକ୍ତ କର୍ମଚାରୀ ଟଙ୍କା ଫେରାଇ ଦେଇଥିବା କହିବା ସହ ଏମସିଏଚ୍‌ ଯାଇ ସେ ତଦନ୍ତ କରିଛନ୍ତି। 

ସୁନ୍ଦରଗଡ଼ ହାଉସିଂବୋର୍ଡ କଲୋନିର ରାଜେନ୍ଦ୍ର ଓରାମଙ୍କ ପତ୍ନୀ ମାଙ୍ଗି ଓରାମଙ୍କ ପ୍ରସବବେଦନା ବଢ଼ିବାରୁ ୨୬ ତାରିଖ ଦିନ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ମାତୃ ଓ ଶିଶୁ ହସ୍ପିଟାଲ (ଏମସିଏଚ୍‌)ରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ୧୦ଟା ୫୫ରେ ମାଙ୍ଗି ଏକ ପୁତ୍ର ସନ୍ତାନ ଜନ୍ମ ଦେଲେ। ପ୍ରସବ ପରେ ତାଙ୍କୁ ୱାର୍ଡକୁ ପଠାଇ ଦିଆଗଲା। କିନ୍ତୁ ନବଜାତ ଶିଶୁକୁ ସ୍ବାସ୍ଥ୍ୟ ପରୀକ୍ଷା ସହ ଟିକା ଦେବା ପାଇଁ ରଖାଗଲା। ଏହା ମଧ୍ୟରେ ପ୍ରସବ କକ୍ଷରେ କାର୍ଯ୍ୟରତ ସେବିକା ନବଜାତ ଶିଶୁ ପାଇଁ ରାଜେନ୍ଦ୍ରଙ୍କୁ ହଜାରେ ଟଙ୍କା‌ ମାଗିଲେ। ଟଙ୍କା ନ ଦେଲେ ଛୁଆକୁ ଦିଆଯିବ ନାହିଁ ବୋଲି ରୋକଠୋକ ଶୁଣ‌ାଇଦେଲେ।

ରାଜେନ୍ଦ୍ର କୁଲି ମଜୁରି କରି ଚଳୁଥିବାରୁ ୫ ଶହ ଟଙ୍କା ଦେଇଥିଲେ। କିନ୍ତୁ ଏଥିରେ ରାଜି ହୋଇ ନଥିଲେ ସେବିକା। ଟଙ୍କା ପାଇଁ ନବଜାତକକୁ ୪୦ ମିନିଟ୍‌ ଅଟକାଇ ରଖିଲେ। ଶେଷରେ ରାଜେନ୍ଦ୍ର ୧ ହଜାର ଟଙ୍କା ଦେବା ପରେ ଶିଶୁକୁ ମା’ କୋଳକୁ ଛଡ଼ାଯାଇଥିଲା। ଶିଶୁ ଜନ୍ମନେବା କ୍ଷଣି ମା’ଠୁ କ୍ଷୀର ଖାଇବା କଥା। କିନ୍ତୁ ଏଠାରେ ଟଙ୍କା ପାଇଁ ୪୦ ମିନିଟ୍‌ କାଳ ମା’ କୋଳରୁ ଶିଶୁକୁ ଦୂରେଇ ରଖିବାକୁ ନେଇ ପରିବାରବର୍ଗ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ପରେ ଆଶାକର୍ମୀମାନେ ମଧ୍ୟ ଏମ୍‌ସିଏଚ୍‌ରେ ଠୁଳ ହୋଇ ପ୍ରତିବାଦ କରିଥିଲେ। ନବଜାତ ଶିଶୁକୁ ନେଇ ସେବିକାମାନେ ସଉଦା କରୁଛନ୍ତି ବୋଲି ସିଧାସଳଖ ଅଭିଯୋଗ କରିଥିଲେ।

ମାଙ୍ଗିଙ୍କ ଭଳି ଲେଫ୍ରିପଡ଼ା ଶ୍ରୀଭୁବନପୁର ଗୁଲବଦନ ଓରାମଙ୍କ ଗର୍ଭବତୀ ପତ୍ନୀ ପ୍ରିୟଙ୍କା ମୁଣ୍ଡାଙ୍କୁ ମଧ୍ୟ ୨୪ ତାରିଖରେ ଏମସିଏଚ୍‌ରେ ଭର୍ତ୍ତି କରାଯାଇଥିଲା। ୨୫‌ରେ ପ୍ରିୟଙ୍କା ଏକ ପୁତ୍ର ସନ୍ତାନକୁ ଜନ୍ମଦେଲେ। ଏହା ପରେ ପ୍ରିୟଙ୍କାଙ୍କ ବଡ଼ ଭଉଣୀ ପ୍ରିୟା କେରକେଟାଙ୍କଠାରୁ ପ୍ରସବ କକ୍ଷର ସେବିକା ଛୁଆ ପାଇଁ ୧ ହଜାର ଟଙ୍କା  ମାଗି ନେଇଥିବା ଅଭି‌ଯୋଗ ହୋଇଛି। ଏ ନେଇ ସମ୍ପୃକ୍ତ ପରିବାର ଓ ଆଶାକର୍ମୀ ଏଡିଏମ୍‌ଓ ଡା. ପ୍ରଦୀପ କୁମାର ପ୍ରସାଦଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ଏଡିଏମଓ ଡା. ପ୍ରସାଦ ଘଟଣାର ତଦନ୍ତ ଆରମ୍ଭ କରିଥିବାବେଳେ ସମ୍ପୃକ୍ତ କର୍ମଚାରୀ ଟଙ୍କା ଫେରାଇ ଦେଇଥିବା ଗଣମାଧ୍ୟମକୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe