ବରଗଡ଼ ପୁସ୍ତକ ମେଳା ଉଦ୍‌ଯାପିତ

Advertisment
ବରଗଡ଼ ପୁସ୍ତକ ମେଳା ଉଦ୍‌ଯାପିତ

ବରଗଡ଼ : ବର୍ତ୍ତମାନ ଭାରତ ବିଭିନ୍ନ ସମସ୍ୟା ଘେରରେ ରହିଛି। ତ୍ୟାଗ ଓ ବଳିଦାନର ଦେଶ ଏବେ ଘୃଣା ଓ ଭୟରେ ପୂରି ରହିଛି। ସଂଗ୍ରାମୀମାନେ ଯେଉଁ ତ୍ୟାଗ ଦେଇଥିଲେ ତା’ର ମୂଲ୍ୟ ଆଉ ନାହିଁ। ଏଭଳି ସ୍ଥିତିରେ ସୁନାର ଦେଶ ଭାରତକୁ ବଞ୍ଚାଇବାକୁ ଆଉ ଗାନ୍ଧୀ ଆସିବେନି। ଦେଶକୁ ବଞ୍ଚାଇବା ଏବେ ସବୁ ନାଗରିକଙ୍କ କର୍ତ୍ତବ୍ୟ ବୋଲି ବରଗଡ଼ ପୁସ୍ତକମେଳାର ଉଦ୍‌ଯାପନୀ ଉତ୍ସବର ମୁଖ୍ୟ ଅତିଥି ତଥା ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଗାନ୍ଧୀ ମତବ୍ୟକ୍ତ କରିଛନ୍ତି। ଦେଶର ସାଂପ୍ରତିକ ସମସ୍ୟାର ସମାଧାନ ପାଇଁ ଜନସାଧାରଣ ନିରବ ରହିବା ନେଇ ଶ୍ରୀ ଗାନ୍ଧୀ କ୍ଷୋଭ ପ୍ରକାଶ କରିଥିଲେ। ଘୃଣା ଓ ଭୟର ବାତାବରଣରୁ ମୁକୁଳିବାକୁ ସେ ଆହ୍ବାନ ଦେଇଥିଲେ। ନିଜସ୍ବ କର୍ତ୍ତବ୍ୟ ସହିତ ଦେଶ ପ୍ରତି ଥିବା କର୍ତ୍ତବ୍ୟ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ଗାନ୍ଧୀ କହିଲେ, କେବଳ ତ୍ରିରଂଗା ଉଡ଼ିଲେ ତାକୁ ଦେଶଭକ୍ତି କୁହାଯିବନି। ହୃଦୟରେ ତ୍ରିରଂଗା ଏବଂ ଦେଶଭକ୍ତିର ଭାବନା ନ ଥିଲେ ଘର ଉପରେ ପତାକା ଉଡ଼ାଇବାର କିଛି ମୂଲ୍ୟ ନାହିଁ। ତେଣୁ ଦେଶ ପ୍ରତି ସବୁ ଦୃଷ୍ଟିକୋଣରୁ ସମର୍ପିତ ହେବାକୁ ସେ ମତବ୍ୟକ୍ତ କରିଥିଲେ।

publive-image

ପ୍ରତିବର୍ଷ ଭଳି ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଚଳିତ ବର୍ଷ ପାଇଁ ବିଭିନ୍ନ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ସାମାଜିକ କାର୍ଯ୍ୟ ପାଇଁ ଡା. ଶଙ୍କର ରାମଚନ୍ଦାନୀଙ୍କୁ ବାଲୁଙ୍କେଶ୍ୱର ମିଶ୍ର ସ୍ମୃତି ସମ୍ମାନ, ସାହିତ୍ୟିକ ତ୍ରିନାଥ ସାହୁଙ୍କୁ ଗଙ୍ଗାଧର ସ୍ମୃତି ସମ୍ମାନ, ଔପନ୍ୟାସିକ ଧନପତି ମହାପାତ୍ରଙ୍କୁ ଦୟାଲାଲ୍ ଯୋଶୀ ସ୍ମୃତି ସମ୍ମାନ, ନାଟ୍ୟକାର ଅଶୋକ ବହିଦାରଙ୍କୁ ବୁଦ୍ଧଦେବ ପ୍ରଧାନ ସ୍ମୃତି ସମ୍ମାନ ଓ ଚାଷୀ କମ୍ଭୁପାଣି ବିଶ୍ବାଳଙ୍କୁ ଡୋଳାମଣି ସାହୁ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ପାଠାଗାର ସଦସ୍ୟା ଅଧ୍ୟାପିକା ସଂଘମିତ୍ରା ମିଶ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe