ଜବତ ସାଢ଼େ ୪୦ ଲକ୍ଷ ବିଜେପିର: ପୁଲିସ

ଜବତ ସାଢ଼େ ୪୦ ଲକ୍ଷ ବିଜେପିର: ପୁଲିସ

ବାପ-ପୁଅ ଗିରଫ, କୋର୍ଟ ଚାଲାଣ
ବିଜେପିର ଖଣ୍ଡନ, କାଦୁଅଫିଙ୍ଗା ଜାରି
ଦୁଇ ଦଳ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ

ବରଗଡ଼/ପଦ୍ମପୁର : ଶନିବାର ସଂଧ୍ୟାରେ ପଦ୍ମପୁର ଥାନା ଅନ୍ତର୍ଗତ ମହୁଲପାଲି ଚେକ୍‌ପୋଷ୍ଟରୁ ପୁଲିସ୍‌ ଏକ ଜାଇଲୋ (ଓଡି ୧୭ଜି ୧୮୫୫) ଗାଡ଼ିରୁ ଜବତ କରିଥିବା ସାଢ଼େ ୪୦ ଲକ୍ଷ ଟଙ୍କା ବିଜେପିର ବୋଲି ଆଜି ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ସୂଚନା ଦେଇଛନ୍ତି। ତେବେ ବିଜେପି ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ଏହାକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଥିବା ବେଳେ ଉଭୟ ଦଳ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏ ନେଇ ଫେରାଦ ହୋଇଛନ୍ତି।

ପୁଲିସର ସୂଚନା ଅନୁଯାୟୀ, ଗାଡ଼ି ସହ ଧରାପଡ଼ିଥିବା ପଦ୍ମପୁରସ୍ଥିତ ମୀନାକ୍ଷି ଜ୍ୱେଲାରି ଦୋକାନର ମାଲିକ ଆକାଶ ଅଗ୍ରଓ୍ଵାଲ ଜବତ ଟଙ୍କା ସଂପର୍କରେ ଠୋସ୍‌ ତଥ୍ୟ ଦେଇ ପାରିନଥିଲେ। ତାଙ୍କ ପିତା ଓମ୍‌ ପ୍ରକାଶ ଅଗ୍ରଓ୍ଵାଲ ବିଶ୍ୱ ହିନ୍ଦୁ ପରିଷଦର ଜଣେ ସକ୍ରିୟ କର୍ମୀ। ତାଙ୍କୁ ମଧ୍ୟ ପୁଲିସ୍‌ ଅଟକ ରଖି ପଚରାଉଚୁରା କରିଥିଲା। ଅନୁସନ୍ଧାନରୁ ଜବତ ଟଙ୍କା ବିଜେପିର ବୋଲି ଜଣାପଡ଼ିଛି। ମାମଲାର ଆହୁରି ଖୋଳତାଡ଼ ଜାରି ରହିଛି। ଏନେଇ ପୁଲିସ୍‌ କେସ୍‌ ନମ୍ବର ୧୭୧ (ଇ,ଏଫ୍‌), ୧୨୦ (ଟି) ୩୫୩/୫୦୬/୩୪ ଆଇପିସିରେ ମାମଲା ରୁଜୁ କରି ଉଭୟ ବାପ-ପୁଅଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୂର୍ବରୁ ବି ଉଭୟଙ୍କ ନାମରେ ଥାନାରେ ମାମଲା ଥିବା ପୁଲିସ୍‌ କହିଛି।

ସୂଚନାଯୋଗ୍ୟ, ଆକାଶ ଅଗ୍ରଓ୍ଵାଲ ନିଜ ଗାଡ଼ିରେ ବରଗଡ଼ ଅଭିମୁଖେ ଯାଉଥିବା ବେଳେ ପୁଲିସ୍‌ ତାଙ୍କ ଗାଡ଼ି ଯାଂଚ କରିଥିଲା। ଗାଡ଼ିରୁ ୩୦ ଲକ୍ଷ ଟଙ୍କା ଜବତ କରି ପୁଲିସ୍‌ ପଦ୍ମପୁର ଥାନାକୁ ନେଇ ଆସିଥିଲା। ପୁନର୍ବାର ଉକ୍ତ ଗାଡ଼ିରୁ ଯାଂଚ ପରେ ଅନ୍ୟ ଏକ ବ୍ୟାଗରୁ ସାଢ଼େ ୧୦ଲକ୍ଷ ଟଙ୍କା ମିଳିଥିଲା। ଏନେଇ ଉଭୟ ବିଜେପି ଏବଂ ବିଜେଡି ମଧ୍ୟରେ ବାକ୍‌ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe