ଅତିକ୍‌ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ଼ୁ ମୁସ୍‌ଲିମର ବରଗଡ଼ ଲିଙ୍କ: ଡ୍ରାଇଭରକୁ ଧରିଲା ଏସଟିଏଫ୍, ଜଣଙ୍କୁ ପଚରାଉଚରା

Advertisment
ଅତିକ୍‌ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ଼ୁ ମୁସ୍‌ଲିମର ବରଗଡ଼ ଲିଙ୍କ: ଡ୍ରାଇଭରକୁ ଧରିଲା ଏସଟିଏଫ୍, ଜଣଙ୍କୁ ପଚରାଉଚରା

ବରଗଡ଼: ଉତ୍ତରପ୍ରଦେଶର ପୂର୍ବତନ ସାଂସଦ ତଥା ଗ୍ୟାଙ୍ଗଷ୍ଟର ଅତିକ୍‌ ଅହମ୍ମଦର ମୁଖ୍ୟ ସହଯୋଗୀ ଗୁଡ଼ୁ ମୁସ୍‌ଲିମ୍‌ ଓଡ଼ିଶାର ବରଗଡ଼ ଜିଲ୍ଲାର ସୋହେଲାଠାରେ କିଛି ଦିନ ଲୁଚିଥିବାର କଥା ଏବେ ଚର୍ଚ୍ଚାର ବିଷୟ ହୋଇଛି। ଏହି ଲିଙ୍କରେ ବରଗଡ଼ରେ ୟୁପି ଏସଟିଏଫ ପକ୍ଷରୁ ଚଢଉ କରାଯାଇଛି। ଏନେଇ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାର ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ, ଗତକାଲି ୟୁପି ଏସଟିଏଫର ଟିମ୍ ବରଗଡ଼ ଆସିଥିଲା।ଏହି ଟିମ୍ ରାଜା ଖାନ୍ ନାମକ ଜଣେ ବ୍ୟକ୍ତିକୁ ପଚରାଉଚରା କରିଛି। ରାଜାର ଘର ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ଏବଂ ବରଗଡ଼ ଜିଲ୍ଲା ସୋହେଲାରେ ତାର ବ୍ୟବସାୟ ରହିଛି। ସ୍ଥାନୀୟ ପୁଲିସର ସହାୟତାରେ ତାକୁ ପଚରାଉଚରା ହୋଇଛି। ଟେଲିଫୋନ ଟ୍ରାକିଂ ଆଧାରରେ ଜେରା ହୋଇଛି। ରାଜାର ଗୁଡୁ ମୁସଲିମ ସହ ଲିଙ୍କ ଥିବା ଜଣାଯାଇଛି। ଏଣେ ଗୁଡ଼ୁ ମୁସ୍‌ଲିମର ଡ୍ରାଇଭରକୁ ଏସଟିଏଫ୍ ଟିମ୍ ଧରିଥିବା ଜଣାଯାଇଛି।

publive-image OdishaTV

ଗୁଡ଼ୁ ମୁସ୍‌ଲିମ୍‌ ପୁରୀରେ ଥିବାନେଇ ଚର୍ଚ୍ଚା ହେଉଥିଲା। କର୍ଣ୍ଣାଟକରୁ ପୁରୀକୁ ଚାଲିଆସି ସେ ଏଠାରେ ଆତ୍ମଗୋପନ କରିଥିଲା। ଗୋଇନ୍ଦା ରିପୋର୍ଟ ଆଧାରରେ ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ପୁରୀରେ ଆସି ଚଢ଼ଉ କରିବା ପୂର୍ବରୁ ସେ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଫଳରେ, ଏସ୍‌ଟିଏଫ୍‌ ଟିମ୍‌କୁ ଖାଲି ହାତରେ ଫେରିବାକୁ ପଡ଼ିଛି। ଏବେ ଏହିଭଳି ଘଟଣାକୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏସ୍‌ଟିଏଫ୍‌ ଟିମ୍‌ ପୁରୀ ପୁଲିସର କୌଣସି ସହାୟତା ନେଇନଥିବା ଏସ୍‌ପି ଡା. କେ. ବିଶାଳ ସିଂହ କହିଛନ୍ତି।
ହସ୍ତଗତ ସୂଚନା ଅନୁସାରେ, ଗ୍ୟାଙ୍ଗଷ୍ଟରରୁ ବିଧାୟକ ଓ ସାଂସଦ ହୋଇ ଶେଷରେ ଆତତାୟୀମାନଙ୍କ ଗୁଳିଚୋଟରେ ନିହତ ହୋଇଥିବା ଅତିକ ଅହମଦଙ୍କର ଘନିଷ୍ଠ ସହଯୋଗୀ ତଥା ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ଗୁଡୁ ମୁସଲିମର ମୋବାଇଲ ଟ୍ରାକିଂ କରି ସେ ପୁରୀରେ ରହିଥିବା ଉତ୍ତରପ୍ରଦେଶ ପୁଲିସ ଜାଣିବାକୁ ପାଇଥିଲା। ପ୍ରୟାଗରାଜରେ ଉମେଶ ପାଲଙ୍କୁ ହତ୍ୟା କରିବା ପରେ ଗୁଡୁ ୫ଦିନ କାଳ ଝାନ୍‌ସିରେ ରହିଥିଲା। ସେଠାରୁ ମିରଟ ଯାଇଥିଲା। ଓଡ଼ିଶାର ପୁରୀକୁ ଆସିବା ପୂର୍ବରୁ ‌ସେ କର୍ଣ୍ଣାଟକରେ ଥିବା ଏହି ଟ୍ରାକିଂରୁ ଜଣାପଡ଼ିଥିଲା। ଅତିକଙ୍କ ପୁଅ ଅସଦ ଓ ସହଯୋଗୀ ଗୁଲାମର ଏନ୍‌କାଉଣ୍ଟର୍‌ ପରଠୁ ସେ ଅଣ୍ଡର୍‌ଗ୍ରାଉଣ୍ଡ ହୋଇଯିବା ସହିତ ପୁରୀ ଚାଲିଆସିଥିଲା। ତେବେ, ମୋବାଲଇ୍‌ ଫୋନ୍‌ ଟ୍ରାକିଂ କରି ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ଟିମ୍‌ ପୁରୀରେ ପହଞ୍ଚିବା ବେଳକୁ ସେ ଏଠାରୁ ଫେରାର ହୋଇଯାଇଛି ବୋଲି ଚର୍ଚ୍ଚା ହେଉଛି।

ଏଣେ ଏନେଇ ପୁଲିସ ଡିଜି ସୁନୀଲ ବଂଶଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୟୁପି ଏସଟିଏଫର ଏକ ଟିମ ଦୁଇଦିନ ତଳେ ଆସିଥିଲେ। ସେମାନେ ବରଗଡ଼ରେ ରହିଥିଲେ।
ଆମକୁ ସେମାନେ ସାହାଯ୍ୟ ପାଇଁ ଅନୁରୋଧ କରିଥିଲେ। ଆମ ପ୍ରୋଟୋକଲ ଅନୁଯାୟୀ, ଆମେ ତାଙ୍କୁ ସାହାଯ୍ୟ ଦେଇଛୁ। ସେମାନେ ଯାହା ପଚରାପଚରି କରିବା କଥା ତାକୁ ଶେଷ କରି ଫେରି ଯାଇଛନ୍ତି।
ସୂଚନାଯୋଗ୍ୟ ଯେ ଉମେଶ ପାଲ ହତ୍ୟାକାଣ୍ଡ ଘଟଣାର ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ଗୁଡୁ ମୁସଲିମ୍‌ ଅନ୍ୟତମ। ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୬ ଜଣ ପ୍ରାଣ ହରାଇଥିବା ବେଳେ ଗୁଡୁ ମୁସଲିମ ସମେତ ଆଉ ୪ ଅଭିଯୁକ୍ତ ଏବେ ଫେରାର ଅଛନ୍ତି। ଗୁଡୁ ମୁସଲିମକୁ ଧରିବା ପାଇଁ ପୁଲିସ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଅତିକଙ୍କ ଭାଇ ଅସରଫ୍‌ ଗୁଳିମାଡ଼ରେ ପ୍ରାଣ ହରାଇବାର ଠିକ୍‌ ପୂର୍ବରୁ ଗଣମାଧ୍ୟମ ଆଗରେ ଗୁଡୁ ମୁସଲିମ୍‌ର ନାଁ ମଧ୍ୟ ନେଇଥିଲେ। ସେ କହିଥିଲେ ଯେ ‘ମୁଖ୍ୟ କଥା ହେଲା ଗୁଡୁ ମୁସଲିମ…।’ ବାସ୍‌, ସେ ଏତିକି କହିଥିବା ବେଳେ ଶନିବାର ୩ ଜଣ ଯୁବକ ପୁଲିସ ଓ ସାମ୍ବାଦିକମାନଙ୍କ ସମ୍ମୁଖରେ ଅତିକ ଓ ଅସରଫଙ୍କୁ ଗୁଳି କରି ହତ୍ୟା କରିଥିଲେ। ଏହାପୂର୍ବରୁ ଉତ୍ତର ପ୍ରଦେଶ ଏସ୍‌ଟିଏଫ୍‌ ଝାନ୍‌ସିରେ ଉମେଶ ପାଲ ହତ୍ୟାକାଣ୍ଡରେ ସାମିଲ୍‌ ଥିବା ଅତିକଙ୍କ ପୁଅ ଅସଦ ଓ ଗୁଲାମକୁ ଏନ୍‌କାଉଣ୍ଟର କରିଥିଲା। ଏହାପରେ ଗୁଡୁ ମୁସଲିମକୁ ଧରିବା ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe