ବାର୍‌ହା ଶିକାର ତାରରେ ଦନ୍ତା ମୃତ

ବାର୍‌ହା ଶିକାର ତାରରେ ଦନ୍ତା ମୃତ

ସୋନପୁର/ ବିନିକା/ ଲଛିପୁର/ସେଲେଡ଼ି: ସୁବର୍ଣ୍ଣପୁର ଜିଲ୍ଲା ବିନିକା ରେଞ୍ଜ କୌଡ଼ିଆମୁଣ୍ଡା ବନବିଭାଗ ଅଧୀନ ମହଦା ନିକଟ ବାରଡ଼ୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ସୋମବାର ବିଳମ୍ବିତ ରାତିରେ ବାର୍‌ହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଏକ ଦନ୍ତାହାତୀର ମୃତ୍ୟୁ ଘଟିଛି। ଏ ଖବର ଜିଲ୍ଲା ବନବିଭାଗ କର୍ମଚାରୀଙ୍କ ମଧ୍ୟରେ ହଇଚଇ ସୃଷ୍ଟି କରିଛି। ହାତୀପଲ ବାରଡ଼ୁଙ୍ଗୁରି ଜଙ୍ଗଲକୁ ଆସିଥିଲେ ମଧ୍ୟ ବନବିଭାଗ ନିକଟରେ ଖବର ନ ଥିଲା। ତେବେ ହାତୀଟିର ମୃତ୍ୟୁ ହେବାପରେ ୩ ଜଣ ବିଭିଓଙ୍କ ଦ୍ୱାରା ଏହାର ବ୍ୟବଚ୍ଛେଦ କରି ଦାନ୍ତ ଦୁଇଟିକୁ ଉଦ୍ଧାର କରାଯାଇଛି। ଏଥିସହ ବିଛା ଯାଇଥିବା ବିଦ୍ୟୁତ ତାର ଓ ଖୁଣ୍ଟିଗୁଡ଼ିକ ଜବତ ହୋଇଥିବା ବିନିକା ରେଞ୍ଜର ଡମ୍ବରୁଧର ପ୍ରଧାନ ସୂଚନା ଦେଇଛନ୍ତି। ସୋନପୁର ଡିଏଫଓ ମଦନଲାଲ ଶର୍ମା କୌଡ଼ିଆମୁଣ୍ଡା ବନବିଭାଗର ସମସ୍ତ କର୍ମଚାରୀଙ୍କୁ ଚେତାବନୀ ଦେଇ ଶୀଘ୍ର ଶିକାରୀକୁ ଧରିବାକୁ ତାଗିଦ୍‌ କରିଛନ୍ତି। ଡିଏଫଓ ଶ୍ରୀ ଶର୍ମା, ଏସିଏଫ୍‌ ପ୍ରଫୁଲ୍ଲ ଧରୁଆ, ରେଞ୍ଜର ଶ୍ରୀ ପ୍ରଧାନ ପ୍ରମୁଖ ଘଟଣାର ତଦନ୍ତ କରୁଥିବା ବେଳେ କୌଡ଼ିଆମୁଣ୍ଡା ଫରେଷ୍ଟର ପ୍ରସନ୍ନ ନାୟକ ଏକ ମାମଲା ରୁଜୁ କରି ମହଦା ଗ୍ରାମର ଜଣକୁ ଅଟକ ରଖି ପଚରାଉଚରା ଚଳାଇଛନ୍ତି।

ସଂରକ୍ଷିତ ଜଙ୍ଗଲ ମଧ୍ୟଦେଇ ଯାଇଥିବା ୧୧ କେଭି ବିଦ୍ୟୁତ ଖୁଣ୍ଟରୁ ତାର ସଂଯୋଗ କରି ଶିକାରୀମାନେ ନିୟମିତ ବାର୍‌ହା ଶିକାର କରୁଥିବା ଓ ଏହା ବନ ବିଭାଗ କର୍ମଚାରୀଙ୍କ ଜାଣତରେ ଚାଲିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ୧୧ କେଭି ତାର ହଟାଇବାକୁ ମଧ୍ୟ ବାରମ୍ବାର ଲିଖିତ ଅଭିଯୋଗ କରିଛୁ। ତେବେ କୌଣସି ଫଳ ମିଳିନାହିଁ। ପୁନର୍ବାର ହାତୀମୃତ୍ୟୁ ଘଟିଲେ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ବୋଲି ସ୍ଥାନୀୟ ବାସିନ୍ଦା ବିଦ୍ୟାଧର ନାୟକ କହିଛନ୍ତି। ସେହିପରି ହାତୀ ମୃତ୍ୟୁ ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ମହଦା ସରପଞ୍ଚ ଭୀମସେନ ସିଂଦେଓ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe