ପ୍ରବାସୀ ଓଡ଼ିଆଙ୍କ ଉପରେ ନେତାଙ୍କ ନଜର

ପ୍ରବାସୀ ଓଡ଼ିଆଙ୍କ ଉପରେ ନେତାଙ୍କ ନଜର

ରତ୍ନଗିରି : ବିଭିନ୍ନ କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି ବରୀ ନିର୍ବାଚନ ମଣ୍ଡଳୀ। ଦଳୀୟ ପ୍ରାର୍ଥୀ ହେବା ପାଇଁ ଟଣାଓଟଣା ହେଉ କି ଦଳ ଭିତରେ ଗୋଷ୍ଠୀ କନ୍ଦଳକୁ ନେଇ ଏହି ନିର୍ବାଚନ ମଣ୍ଡଳୀ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥାଏ। ଏବେ କିନ୍ତୁ ଭିନ୍ନ କାରଣ ପାଇଁ ଚର୍ଚ୍ଚା। ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ ହୋଇ ନଥିଲେ ମଧ୍ୟ ଏବେ ଠାରୁ ଅଶାୟୀ ପ୍ରାର୍ଥୀ ରଣନୀତି ଆପଣାଇବାରେ ଲାଗିଛନ୍ତି। ତିନି ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଓ କଂଗ୍ରେସର ଆଶାୟୀ ପ୍ରାର୍ଥୀଙ୍କ ନଜର୍ ନିର୍ବାଚନ ମଣ୍ତଳୀର ପ୍ରବାସୀ ଓଡିଆ ଭୋଟରଙ୍କ ଉପରେ ରହିଥିବା ଦେଖିବାକୁ ମିଳିଛି। ତିନି ପ୍ରମୁଖ ଦଳର କର୍ମୀ ବିଭିନ୍ନ ସାମାଜିକ ଗଣମାଧ୍ୟମ ଜରିଆରେ ସକ୍ରିୟ ଥିବା ବେଳେ ନେତାମାନେ ପ୍ର‌ତ୍ୟକ୍ଷ ଭାବେ ପ୍ରବାସୀ ଓଡିଆଙ୍କୁ ନିଜ ସପକ୍ଷକୁ ଆଣିବାକୁ ଉଦ୍ୟମ ଜାରି ରଖିଛନ୍ତି। ଏହି ଆଧାରରେ ଗତକାଲି ବରୀ କଂଗ୍ରେସ ନେତା ଉମେଶ ଜେନା ଓଡିଶାର ପଡୋଶୀ ପଶ୍ଚିମବଙ୍ଗର କୋଲକାତାରେ ରହୁଥିବା ବରୀ ନିର୍ବାବନ ମଣ୍ତଳୀର ଓଡିଆ ଲୋକଙ୍କର ଏକ ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଥିଲେ। ନିର୍ବାଚନ ମଣ୍ତଳୀର ପ୍ରବାସୀ ଓଡିଆଙ୍କ ମନ ଜିଣିବା ପାଇଁ ଶ୍ରୀ ଜେନା ପ୍ରୟାସ କରିଛନ୍ତି। ଶ୍ରୀ ଜେନାଙ୍କ ପୂର୍ବରୁ ବିଜେପି ନେତା ବିଶ୍ବରଞ୍ଜନ ମଲ୍ଲିକ ଗତ ନଭେମ୍ବର ମାସ ୧୦ତାରିଖରେ ମୁମ୍ବାଇରେ ରହୁଥିବା ଓଡିଆ ଲୋକମାନଙ୍କ ଦ୍ବାରା ଆୟୋଜିତ ଅଷ୍ଟମ ପ୍ରହର ନାମଯଜ୍ଞ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ପ୍ରବାସୀ ଓଡିଆଙ୍କ ସହ ସଂପର୍କ ଯୋଡ଼ିବାକୁ ଉଦ୍ୟମ କରିଥିଲେ। ସେହିଭଳି ଗତ ଫେବ୍ରୁଆରି ୧୦ତାରିଖ ଦିନ ମୁମ୍ବାଇରେ ଓଡିଆମାନଙ୍କ ଦ୍ବାରା ଆୟୋଜିତ ସରସ୍ବତୀ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିଧାୟକ ଦେବାଶିଷ୍ ନାୟକ ଯୋଗ ଦେଇ ନିର୍ବାଚନ ମଣ୍ତଳୀର ପ୍ରବାସୀ ଓଡିଆଙ୍କର ନିକଟର ହେବାକୁ ଚେଷ୍ଟା କରିଥିଲେ। ପୂର୍ବରୁ ବିଜେପି ଓ ବିଜେଡି ପ୍ରବାସୀ ଓଡିଆ ଭୋଟରଙ୍କୁ ନିଜ ଆଡକୁ ଆଣିବା ପାଇଁ ଲଗାଇଥିବା ଉଦ୍ୟମରେ କଂଗ୍ରେସ ମଧ୍ୟ ପଛରେ ପଡିନାହିଁ। ବରୀ ନିର୍ବାଚନ ମଣ୍ଡଳୀ ପାଇଁ ତିନି ପ୍ରମୁଖ ରାଜେନୖତିକ ଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହୋଇ ନଥିଲେ ମଧ୍ୟ ଆଶାୟୀ ନେତାମାନେ ରାଜ୍ୟ ସୀମା ପାର ହୋଇ ନିଜର ଲୋକ ପ୍ରିୟତା ବଢାଇବାରେ ଲାଗିପଡ଼ିଛନ୍ତି। ଆଗାମୀ ଦିନରେ ଏହି ନେତାମାନେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଆଉ କି କି ପନ୍ଥା ଆପଣାଉଛନ୍ତିି ତାହା ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe