ବାରିପଦା : ବିଭିନ୍ନ ପୂଜା ମଣ୍ଡପରେ ଆଜି ଥିଲା ଜଗତଜନନୀ ମା’ ଦୁର୍ଗାଙ୍କର ମହାସପ୍ତମୀ ପୂଜା। ମାତ୍ର ସଂସ୍କୃତିସମ୍ପନ୍ନ ସହର ବାରିପଦାର ସମସ୍ତ ପୂଜା ମଣ୍ଡପ ଥିଲା ଖାଁ ଖାଁ। ବରଷକରେ ଥରେ ମା’ଙ୍କୁ ଦର୍ଶନ କରିବାକୁ ଅହେତୁକ ଆଗ୍ରହ ରଖିଥିବା ଭକ୍ତ କିନ୍ତୁ ଚଳିତ ବର୍ଷ କରୋନା କାରଣରୁ ନିରାଶ ହୋଇଛି।
/sambad/media/post_attachments/wp-content/uploads/2020/10/Madhuban-Durga-Puja-Committee-300x135.jpg)
ପ୍ରଶାସନର ନୀତି ନିୟମ ଅନୁସାରେ ନିର୍ଦ୍ଦିଷ୍ଟ ସଂଖ୍ୟକ କର୍ମକର୍ତ୍ତା ଏବଂ ପୂଜକଙ୍କୁ ନେଇ ମଣ୍ଡପରେ ପୂଜା ରୀତିନୀତି ଚାଲିଛି। ଯେଉଁଠି ଆଜି ବାରିପଦା ଉତ୍ସବମୁଖରିତ ହେବା କଥା, ରଙ୍ଗବେରଙ୍ଗର ଲାଇଟ୍ରେ ସଜେଇ ହେବା କଥା, ଆଜି ଏହି ସହର କହିବାକୁ ଗଲେ ବେରଙ୍ଗ ହୋଇପଡ଼ିଛି। ସବୁ ପୂଜା ମଣ୍ଡପରେ ପୁଲିସ୍ ମୁତୟନ କରାଯାଇଛି। ଯଦି କେଉଁ ଭକ୍ତ ମଣ୍ଡପକୁ ଆସିଯାଉଛନ୍ତି ତେବେ ସେମାନଙ୍କୁ କରୋନା କଟକଣା କାରଣରୁ ଦର୍ଶନରୁ ବାରଣ କରାଯାଉଥିବା ଦୃଷ୍ଟିଗୋଚର ହୋଇଛି। ତଥାପି ସହରର ବିଭିନ୍ନ ପୂଜା ମଣ୍ଡପରେ ରୀତିନୀତି ଅନୁପାଳନ ପୂର୍ବକ ବିଧି ବ୍ୟବସ୍ଥା ରକ୍ଷା ହୋଇ ପୂଜା ପଦ୍ଧତି ଚାଲିଛି।
/sambad/media/post_attachments/wp-content/uploads/2020/10/Yuva-Sangha-Odia-Pada-300x225.jpg)
ଆଜି ମୃଣ୍ମୟୀ ମୂର୍ତ୍ତିଙ୍କ ନିକଟରେ ମହାସପ୍ତମୀ ପୂଜା ବିଦ୍ଧି ଅନୁପାଳନ ହୋଇଥିବାବେଳେ ପୀଠରେ ମହାଷ୍ଟମୀ ବିଧି ପାଳିତ ହୋଇଛି। ବାରିପଦାର ଅଧିଷ୍ଠାତ୍ରୀ ଦେବୀ ମା ଅମ୍ବିକାଙ୍କ ନିକଟରେ ଆଜି ମହଷ୍ଟମୀ ବିଧି ପାଳିତ ହୋଇଛି। ଆଜି କିଛି ମହିଳା ଭକ୍ତ ମା’ଙ୍କ ମନ୍ଦିରକୁ ଆସିଥିବା ବେଳେ ପୁଲିସ୍ ସେମାନଙ୍କୁ ବାରଣ କରିଥିଲା। ସେହିପରି ଆଜି ବିଭିନ୍ନ ପୂଜା ମଣ୍ଡପକୁ ବିଶୋଧନ କରାଯାଇଥିଲା। କରୋନା କଟକଣାକୁ ପାଳନ କରାଯାଇ ଚତୁଃପାର୍ଶ୍ବରୁ କପଡ଼ା ଘୋଡ଼ାଯାଇ ପୂଜା କରାଯାଉଛି।
/sambad/media/post_attachments/wp-content/uploads/2020/10/Tulasichoura-Puja-Committee-300x111.jpg)
ଆଜି ଜିଲ୍ଲାପାଳ ବିନୀତ ଭରଦ୍ୱାଜ, ଏସ୍ପି ସ୍ମିତ୍ ପି ପରମାର ସହରର ବିଭିନ୍ନ ପ୍ରମୁଖ ପୂଜା ମଣ୍ଡପ ବୁଲି ଦେଖିଥିଲେ। କରୋନା ନିୟମକୁ ଅନୁପାଳନ ପୂର୍ବକ ବିଧି ରକ୍ଷା କରି ପୂଜା ହେଉଥିବା ନିରୀକ୍ଷଣ କରିଥିଲେ ଦୁଇ ଅଧିକାରୀ। ଏହି ଅବସରରେ ବାରିପଦା ଉପଜିଲ୍ଲାପାଳ ଅନ୍ବେଷା ରେଡ୍ଡୀ, ଦୁଇ ଅତିରିକ୍ତ ଏସ୍ପି ଏସ୍ ସାହୁ ଏବଂ ଅଙ୍କୁର ମଲ୍ଲିକ, ଏସ୍ଡିପିଓ କେ. କେ. ହରିପ୍ରସାଦ, ବାରିପଦା ଟାଉନ୍ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତାକାଲି ମହାଷ୍ଟମୀ ଥିବାରୁ ବଜାର ଚଳଚଞ୍ଚଳ ରହିଛି।
Follow Us