ପୌର ଭୋଟ: ୧୭ ନମ୍ବର ୱାର୍ଡରେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ଜିତାପଟ

Advertisment
ପୌର ଭୋଟ: ୧୭ ନମ୍ବର ୱାର୍ଡରେ ଅସନ୍ତୁଷ୍ଟ ବିଜେଡି ପ୍ରାର୍ଥୀଙ୍କ ଜିତାପଟ

ବାରିପଦା: ପୌର ନିର୍ବାଚନରେ ବାରିପଦାରେ ନଗରପାଳ ପଦ ବିଜେଡି ହାତକୁ ଯାଇଛି। ଏଥି ସହ ମୋଟ୍ ୨୮ ୱାର୍ଡ ମଧ୍ୟରୁ ୨୨ଟିରେ ବିଜେଡି ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ତେବେ ବିଜେଡିର ନଗରପାଳ ହୁଅନ୍ତୁ କି କାଉନ୍‌ସିଲର; କିଏ କେତେ ଭୋଟ୍‌ରେ ଜିତିଲା ସେ ଏନେଇ ଯେତିକି ଆଲୋଚନା ହେଉନାହିଁ, ୧୭ ନମ୍ବର ୱାର୍ଡରେ ସ୍ବାଧୀନ ଭାବେ ଜିତିଥିବା କାଉନ୍‌ସିଲର କରୁଣାକର ହେମ୍ବ୍ରମଙ୍କୁ ନେଇ ସବୁଠି ଚର୍ଚ୍ଚା ହେଉଛି। ଅସନ୍ତୁଷ୍ଟ ବିଜେଡି ମହଲରେ କରୁଣାକରଙ୍କୁ ନେଇ ଖୁସିର ମାହୋଲ। ତେବେ କରୁଣାକରଙ୍କୁ ନେଇ ଏତେ ଚର୍ଚ୍ଚା ହେବାର କାରଣ ହେଉଛି ସେ ହେଭିୱେଟ୍ ନେତା ତଥା ରାଜସ୍ବମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ୱାର୍ଡରେ ବିଜେଡି ପ୍ରାର୍ଥୀ ବୀଣାପାଣି ସାହୁଙ୍କୁ ବିପୁଳ ଭୋଟ୍‌ ବ୍ୟବଧାନରେ ହରାଇ ବିଜୟୀ ହୋଇଛନ୍ତି।

କହିବାକୁ ଗଲେ କରୁଣାକର ଓ ବୀଣାପାଣିଙ୍କ ମଧ୍ୟରେ ନୁହେଁ, କରୁଣାକର ଓ ସୁଦାମ ମଧ୍ୟରେ ଏକରକମ ନିର୍ବାଚନୀ ଲଢ଼େଇ ହୋଇଥିଲା। ଯେଉଁଥିରେ ସୁଦାମଙ୍କ ରଣନୀତି ଫେଲ୍ ମାରିଥିବା ଆଲୋଚନା ହେଉଛି। କରୁଣାକର ହେଉଛନ୍ତି ସୁଦାମଙ୍କ ଜଣେ ଖାସ୍ ଅନୁଗତ। ୨୦୦୯ ମସିହାରେ ସେ କାଉନ୍‌ସିଲର ଥିଲେ। ରାଜନୀତି ଆରମ୍ଭରୁ ଜେଏମ୍‌ଏମ୍‌ ପାଇଁ କାମ କରୁଥିଲେ। ସୁଦାମ ‌ଜେଏମ୍‌ଏମ୍‌ ଛାଡ଼ି ବିଜେଡି‌ରେ ମିଶିବା ପରେ କରୁଣାକର ବି ତାଙ୍କ ସହ ଦଳ ଛାଡ଼ି ବିଜେଡିରେ ମିଶିଥିଲେ। ତେବେ ଏଥର କରୁଣାକରଙ୍କୁ ବିଜେଡି ଟିକେଟ୍‌ ଦେଇ ନଥିଲା। ଯାହାକୁ ନେଇ କରୁଣାକର ଅସନ୍ତୋଷ ପ୍ରକାଶ କରିଥିଲେ। କରୁଣାକରଙ୍କ ସହ ଦଳର ବହୁ ‌ନେତା ପରୋକ୍ଷ‌ରେ ଅସନ୍ତୋଷ ଝାଡ଼ିଥିଲେ। ଶେଷରେ କରୁଣାକର ସ୍ବାଧୀନ ଭାବେ ଲଢ଼ିଥିଲେ। ବିଜେଡି କରୁଣାକରଙ୍କୁ ନେଇ ଆରମ୍ଭରୁ ସେତେଟା ଚିନ୍ତିତ ନ ଥିଲା। କ୍ରମଶଃ ୱାର୍ଡବାସୀଙ୍କ କରୁଣାକରଙ୍କ ପ୍ରତି ସମର୍ଥନ ଦେଖି ଦଳର ନେତାମାନେ ଛାନିଆ ହୋଇଥିଲେ ଏବଂ ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ କଳବଳ କୌଶଳ ଲଗାଇ ଦେଇଥିଲେ।

ହେଲେ କିଛି କାମ ଦେଇ ନ ଥିଲା। କରୁଣାକରଙ୍କ ପ୍ରତି ୱାର୍ଡବାସୀ ଆଶୀର୍ବାଦ ଅଜାଡ଼ି ଦେଇଥିଲେ ଏବଂ ସେ ବିଜୟୀ ହୋଇଥିଲେ। କରୁଣାକର ୧୮୩୭ ଖଣ୍ଡ ଭୋଟ୍‌ ପାଇଥିବା ବେଳେ ବୀଣାପାଣି ମାତ୍ର ୪୨୮ ଖଣ୍ଡ ଭୋଟ୍‌ ପାଇଛନ୍ତି। ଏହି ବିଜୟ ପରେ କରୁଣାକର ହିରୋ ବନିଯାଇଛନ୍ତି। ବିଜେଡିକୁ ଆଉ ଫେରିବେ କି ବୋଲି ପଚରାଯାଉଥିବା ପ୍ରଶ୍ନରେ ସେ ୱାର୍ଡବାସୀ ଯାହା ନିଷ୍ପତ୍ତି ନେବେ, ତାହା ହେବ ବୋଲି କହିବା ସହ ସହରବାସୀଙ୍କ ପାଇଁ କାମ କରିବା ତାଙ୍କର ଏକମାତ୍ର ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ। ତେବେ ବିଜେଡି ବିଦ୍ରୋହୀ ପ୍ରାର୍ଥୀ କରୁଣାକର ଜିତିବା ଏବଂ ବିଜେଡି ପ୍ରାର୍ଥୀ ବୀଣାପାଣି ହାରିବା ନେଇ ସୁଦାମଙ୍କ ପ୍ରତିକ୍ରିୟା ଜାଣିବାକୁ ଉଦ୍ୟମ କରାଯାଇଥିଲା। ହେଲେ ସେ ଫୋନ୍‌ ଉଠାଇ ନ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe