ଶିମିଳିପାଳ ଅଭୟାରଣ୍ୟରେ ନିଆଁ: ବାରିପଦା ତାପମାତ୍ରା ୪୦ ଡିଗ୍ରି ଛୁଇଁଲା

Advertisment
ଶିମିଳିପାଳ ଅଭୟାରଣ୍ୟରେ ନିଆଁ: ବାରିପଦା ତାପମାତ୍ରା ୪୦ ଡିଗ୍ରି ଛୁଇଁଲା

India Today

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗିଛି। ଗୁରୁଗୁଡ଼ିଆ ଓ ତାଳବନ୍ଧ ରେଞ୍ଜର ୪ଟି ଜାଗାରେ ଆଜି ନିଆଁ ଲାଗିବା ଦେଖି ଏହାକୁ ନିୟନ୍ତ୍ରଣ କରିବା ନିମନ୍ତେ ବନ ବିଭାଗ ଓ ଅଗ୍ନିଶମ ବାହିନୀ କର୍ମଚାରୀ ଉଦ୍ୟମ ଜାରି ରଖିଛନ୍ତି। ତେବେ ସନ୍ଧ୍ୟା ସୁଦ୍ଧା ନିଆଁକୁ ଆୟତ୍ତ କରିବା ସମ୍ଭବ ହୋଇ ପାରିନାହିଁ। ଗତବର୍ଷ ଏହି ସମୟରେ ଶିମିଳିପାଳ ଅଭୟାରଣ୍ୟରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ପ୍ରାୟ ମାସେ କାଳ ଜଳିଥିଲା ଜଙ୍ଗଲ। ତେବେ ଗତଥରର ସ୍ଥିତି ଏଡ଼ାଇବା ପାଇଁ ଏଥର ନିଆଁ ଲିଭାଇବା କାର୍ଯ୍ୟରେ ୭୦୦ ବନ କର୍ମଚାରୀ ନିୟୋଜିତ ହୋଇଛନ୍ତି।

୫୦୦ଟି ନିଆଁଲିଭା ମେସିନ୍ ମଧ୍ୟ ରଖାଯାଇଛି। ନିଆଁକୁ ଆୟତ୍ତ କରିବା ଲାଗି ସବୁପ୍ରକାର ବ୍ୟବସ୍ଥା ରହିଛି ବୋଲି ବିଭାଗୀୟ କର୍ତ୍ତୃପକ୍ଷ କହୁଛନ୍ତି। ହେଲେ ଶିମିଳିପାଳରେ ଗ୍ରୀଷ୍ମ ଆରମ୍ଭରୁ ନିଆଁ ଲାଗିବା ଘଟଣା ପ୍ରକୃତିପ୍ରେମୀଙ୍କ ମଧ୍ୟରେ ଉଦବେଗ୍ ସୃଷ୍ଟି କରିଛି। ଗ୍ରୀଷ୍ମ ଆରମ୍ଭରୁ ଜିଲ୍ଲାରେ ପ୍ରବଳ ଖରା ଓ ତାତି ଆରମ୍ଭ ହୋଇଗଲାଣି। ଆଜି ବାରିପଦା ସହରରେ ତାପମାତ୍ରା ୪୦ ଡିଗ୍ରି ଛୁଇଁଥିଲା। ଆଗକୁ ଗ୍ରୀଷ୍ମପ୍ରବାହ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଖରା ବଢ଼ିବା ସହ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରେ ପାଣି ସମସ୍ୟା ମଧ୍ୟ ଦେଖାଦେଲାଣି। ଜଳସ୍ତର ହ୍ରାସ ପାଇଥିବାରୁ ପାଣି ପାଇଁ ହାହାକାର ପଡ଼ିଲାଣି। ସବୁଠାରୁ ଉଦ୍‌ବେଗ ବିଷୟ ହେଲା, ଏ ନେଇ ପ୍ରଶାସନ ପକ୍ଷରୁ ଅଦ୍ୟାବଧି କୌଣସି ତତ୍ପରତା ପ୍ରକାଶ ପାଇନାହିଁ। ଜଳକଷ୍ଟ ଅଞ୍ଚଳରେ ଆଜି ସୁଦ୍ଧା ଜଳଛତ୍ରଟିଏ ମଧ୍ୟ ଖୋଲା ଯାଇନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe