ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ : ଅପରାଧିକ ମାମଲା ବି ରୁଜୁ ହେବ

ଜିଲ୍ଲାପାଳଙ୍କ ଭୂମିକା ବି ତଦନ୍ତ ପରିସରଭୁକ୍ତ, ବିଧାନସଭାରେ ମହାରଥୀ ଉତ୍ତର ରଖିଲେ

ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ : ଅପରାଧିକ ମାମଲା ବି ରୁଜୁ ହେବ

ଭୁବନେଶ୍ୱର : ୧୭ କୋଟି ୩୩ଲକ୍ଷ ଟଙ୍କାର ବାରିପଦା ଉଦ୍ୟାନ କୃଷି ବିଭାଗ କେଳେଙ୍କାରୀ ଘଟଣାରେ କୃଷି ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ତଦନ୍ତ ଅଧିକାରୀ ଭାବେ ନିୟୋଜିତ କରାଯାଇଛି। ସଂପୃକ୍ତ ଅଧିକାରୀ ଏହି ଘଟଣାରେ ସମସ୍ତ ପକ୍ଷଙ୍କୁ ଶୁଣାଣି କରି ଯଥାଶୀଘ୍ର ମାମଲା ଫଇସଲା କରିବାକୁ ନିର୍ଦେଶ ଦିଆଯାଇଛି। ତଦନ୍ତ ପରେ ଦୋଷୀମାନଙ୍କ ବିରୋଧରେ ଉପଯୁକ୍ତ ଦଣ୍ଡବିଧାନ କରାଯିବ ଓ ଆବଶ୍ୟକସ୍ଥଳେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ କରିବା ପାଇଁ ନିର୍ଦେଶ ଦିଆଯିବ।

ଆଜି ବିଧାନସଭାର ଶେଷ ଦିନରେ ବାଚସ୍ପତିଙ୍କ ନିର୍ଦେଶରେ ମନ୍ତ୍ରୀ ତାଙ୍କ ବିବୃତି ରଖିଥିଲେ। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା କହିଥିଲେ, ମନ୍ତ୍ରୀ ଦୁର୍ନୀତି ମାନି ସାରିଛନ୍ତି ଓ ଦୋଷୀ ଚିହ୍ନଟ କରିସାରିଛନ୍ତି। ଏହାପରେ ପୁଣି ତଦନ୍ତ କାହିଁକି ବୋଲି ଆପତ୍ତି ଉଠାଇଥିଲେ।

ଚାରା ଦୁର୍ନୀତି ଘଟଣାରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଓ ବିଜେପି ବିଧାୟକ ଦଳ ନେତା କନକ ବର୍ଧନ ସିଂହଦେଓ ବିଧାନସଭାରେ ଯେଉଁ ଅଭିଯୋଗ ଉଠାଇଥିଲେ, ତା’ର ଉତ୍ତର ରଖି କୃୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଲେ, କନ୍ଧମାଳର ତତ୍କାଳୀନ ଜିଲ୍ଲାପାଳ ତଥା ପରବର୍ତୀ ସମୟରେ ମୟୂରଭଂଜ ଜିଲ୍ଲାପାଳଙ୍କ ସଂପୃକ୍ତି ଓ ମନରେଗା ପ୍ରଦତ୍ତ ଅର୍ଥ ବ୍ୟକ୍ତିଗତ ବ୍ୟାଙ୍କ ଖାତାକୁ ହସ୍ତାନ୍ତର ସଂପର୍କିତ ଅଭିଯୋଗକୁ  ତଦନ୍ତ ପରିସରଭୁକ୍ତ କରାଯିବ।

ମନ୍ତ୍ରୀ କହିଥିଲେ, ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ଆର୍ଥିକ ଅନିୟମିତତା ଓ ଅନୈତିକ କାର୍ଯ୍ୟ ସଂକ୍ରାନ୍ତରେ କେତେଗୁଡିକ ନାମୀ ଓ ବେନାମୀ ଅଭିଯୋଗ ଓ ଫଟୋକୁ ଆଧାର କରି ସହକାରୀ ଉଦ୍ୟାନ ନିର୍ଦେଶକ ଧରଣୀଧର ପାତ୍ରଙ୍କୁ ବାରିପଦାରୁ ବଦଳି କରିବା ପାଇଁ ୨୦୧୭ ଅଗଷ୍ଟ ୨୧ ତାରିଖରେ ନିର୍ଦେଶ ଦେଇଥିଲେ। ଏହି ଅଭିଯୋଗର ନିରପେକ୍ଷ ତଦନ୍ତ ପାଇଁ କୃଷି ବିଭାଗର ଅର୍ଥ ପରାମର୍ଶଦାତା ତଥା ଅତିରିକ୍ତ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ କମିଟି ଗଠନ କରିଥିଲେ। ଏଥିରେ ଉଦ୍ୟାନ କୃଷିର ଅତିରିକ୍ତ ନିର୍ଦେଶକ ରମେଶ ଚନ୍ଦ୍ର ଦାସ, ସହକାରୀ ଉଦ୍ୟାନ ଅଧିକାରୀ ସୁଶାନ୍ତ ରଂଜନ ଦାସ ଓ ସହକାରୀ ସମୀକ୍ଷା ଅଧିକାରୀ ଲକ୍ଷ୍ମୀଧର ଦଳେଇଙ୍କୁ ଏହି କମିଟିରେ ରଖାଯାଇଥିଲା। ଅନ୍ୟପକ୍ଷରେ ମନ୍ତ୍ରୀଙ୍କ ନିର୍ଦେଶ ମୁତାବକ ଶ୍ରୀ ପାତ୍ର ୨୦୧୭ ସେପ୍‌ଟେମ୍ବର ୯ ତାରିଖରେ ବାଲେଶ୍ୱରକୁ ବଦଳି ହୋଇଥିଲେ।

୨୦୧୭ ସେପ୍‌ଟେମ୍ବର ୨୦ ତାରିଖରୁ ୨୩ ତାରିଖ ମଧ୍ୟରେ ଏହି କମିଟି ବାରିପଦା ଗସ୍ତ କରି ସଂପୃକ୍ତ କର୍ମକର୍ତାଙ୍କ ସହ ଆଲୋଚନା କରିଥିଲେ, କ୍ଷେତ୍ର  ପରିଦର୍ଶନ କରିଥିଲେ। ଏ ସଂକ୍ରାନ୍ତ ନଥିପତ୍ର ତଦାରଖ କରିବା ପରେ ଅକ୍ଟୋବର ୪ ତାରିଖରେ ମଧ୍ୟବର୍ତୀକାଳୀନ ରିପୋର୍ଟ ପ୍ରଦାନ କରିଥିଲେ। ଏହି ରିପୋର୍ଟ ଆଧାରରେ ଶ୍ରୀ ପାତ୍ରଙ୍କୁ ଅକ୍ଟୋବର ୨୭ ତାରିଖରେ ନିଲମ୍ବନ କରାଯାଇଥିଲା। ପରବର୍ତୀ ସମୟରେ ତଦନ୍ତରୁ ଜଣାପଡିଥିଲା ଯେ ମୟୂରଭଂଜ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ଯୋଜନା କାର୍ଯ୍ୟାନ୍ଵୟନରେ ୨୦୧୩-୧୪ରୁ ୨୦୧୬-୧୭ ମଧ୍ୟରେ ୧୭ କୋଟି ୩୩ଲକ୍ଷ ୩ ହଜାର ୨୭୫ ଟଙ୍କାର ଆର୍ଥିକ ଅନିୟମିତତା ହୋଇଥିଲା। ଡିସେମ୍ବର ୧୨ ତାରିିଖରେ କମିଟି ଶ୍ରୀପାତ୍ରଙ୍କ ବ୍ୟତୀତ ଅନ୍ୟ ୧୬ଜଣ ଅଧିକାରୀଙ୍କ ବିରୋଧରେ ପୂର୍ଣ୍ଣାଙ୍ଗ ରିପୋର୍ଟ ଦାଖଲ କରିଥିଲେ।

ମନ୍ତ୍ରୀ କହିଛନ୍ତି, ଶ୍ରୀ ପାତ୍ରଙ୍କୁ ନିଲମ୍ବନ କରାଯିବାର ୫ମାସ ପରେ ଓଡ଼ିଶା ପ୍ରଶାସନିକ ପ୍ରାଧିକରଣଙ୍କ ଫେବ୍ରୁଆରି ୭ ତାରିଖ ଆଦେଶକୁ ଭିତ୍ତି କରି ତାଙ୍କ ଉପରୁ ନିଲମ୍ବନ ଉଠାଯାଇଥିଲା। କେବଳ ସେତିକି ନୁହେଁ, ତାଙ୍କୁ ନୟାଗଡ ଜିଲ୍ଲାକୁ ବଦଳି କରାଯାଇଛି। ଶ୍ରୀ ପାତ୍ରଙ୍କ ବ୍ୟତୀତ ଅନ୍ୟ ୧୬ଜଣଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦୋଷାରୋପ ପତ୍ର ବା ଡ୍ରାଫ୍‌ଟ ଚାର୍ଜ ଯୋଗାଇ ଦିଆଯାଇଛି। ତେବେ ଶ୍ରୀ ପାତ୍ର କାରଣ ଦର୍ଶାଅ ନୋଟିସରେ ତାଙ୍କ ବିରୋଧରେ ଦୋଷାରୋପକୁ ଅସ୍ୱୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe