ବ୍ୟାରିକେଡ ଦୁର୍ନୀତି : ଆଠଖଣ୍ଡ ବାଉଁଶକୁ ଅଢ଼େଇ ଲକ୍ଷ

Advertisment

ବିପତ୍ତି ସମୟରେ ସମ୍ପତ୍ତି ଠୁଳ!

ବିପତ୍ତି ସମୟରେ ସମ୍ପତ୍ତି ଠୁଳ!

ବିଧାନସଭାରେ ଉଠିବ କି ବଲାଙ୍ଗୀରର ଦୁର୍ନୀତି ପ୍ରସଙ୍ଗ?

ବଲାଙ୍ଗୀର : ପ୍ରଖ୍ୟାତ ସାମ୍ବାଦିକ ପି.ସାଇନାଥଙ୍କ ଏକ ଚର୍ଚ୍ଚିତ ପୁସ୍ତକ ହେଲା ‘ଏଭ୍ରି ବଡି ଲଭସ୍ ଏ ଗୁଡ ଡ୍ରାଉଟ୍‌’ (ଭଲ ମରୁଡ଼ିକୁ ସମସ୍ତେ ଭଲ ପାଆନ୍ତି)। ଦେଶର ବିଭିନ୍ନ ଅଂଚଳ ସମେତ ବଲାଙ୍ଗୀର ଓ କଲାହାଣ୍ଡି ଜିଲ୍ଲା ଗସ୍ତ କରି ପି. ସାଇନାଥ ଏ ବହି ଖଣ୍ଡକ ଲେଖିଥିଲେ। ତାଙ୍କ ପୁସ୍ତକର ମର୍ମ ହେଲା ପ୍ରାକୃତିକ ବିପର୍ଯ୍ୟୟ ମରୁଡ଼ି ସମୟରେ ଲୋକଙ୍କ ପାଇଁ ବହୁତ ସରକାରୀ ସାହାଯ୍ୟ ଆସେ। ଆଉ ତାକୁ ସାଧାରଣ ଲୋକଙ୍କ ଭିତରେ ବାଣ୍ଟିବା ବାହାନାରେ ଲୁଟି ନିଅନ୍ତି ଦାୟିତ୍ୱରେ ଥିବା ବାବୁମାନେ। ଆଉ ସରକାରୀ ସାହାଯ୍ୟ ନାଁରେ ଖୁବ୍‌ ରାଜନୀତି କରନ୍ତି ରାଜନେତା। ଏମିତି ନଜିର ପୂର୍ବରୁ ମାଳ ମାଳ ଥିଲା। ଏବେ କରୋନା ମହାମାରୀ ସମୟରେ ବି ଏହାର ପେନ୍ଥାପେନ୍ଥା ଉଦାହରଣ। ଏଇ ଯେମିତି ବଲାଙ୍ଗୀରରେ ବ୍ୟାରିକେଡ୍‌ ଦୁର୍ନୀତି। କଣ୍ଟେନ୍‌ମେଣ୍ଟ ଜୋନ୍‌ରେ ବାଉଁଶ ବାନ୍ଧିବା ନାଁରେ ଲକ୍ଷ ଲକ୍ଷ ଟଂକା ଲୁଟି ନେଇଛନ୍ତି ସରକାରୀ ଅଧିକାରୀ। କେଉଁଠି ଆଠ ଖଣ୍ଡ ବାଉଁଶର ମୂଲ୍ୟ ଅଢ଼େଇ ଲକ୍ଷ ତ ଆଉ କେଉଁଠି ସମାନ ସଂଖ୍ୟକ ବାଉଁଶ ୨୦ରୁ ୩୦ ହଜାର ଟଙ୍କାରେ କିଣାହୋଇଛି। ବାବୁମାନେ ଯେଉଁଠି ଯାହା ପାରିଲେ ମନଇଚ୍ଛା ରେଟ୍‌ ବସାଇଲେ। ବିଲ୍‌ କଲେ। ଟଙ୍କା ବି ଉଠାଇନେଲେ। ଏହି ପୂରା ପ୍ରକ୍ରିୟାରେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କଠାରୁ ଆରମ୍ଭ କରି ନିର୍ବାହୀଯନ୍ତ୍ରୀ, ଏପରିକି ଜିଲ୍ଲାପାଳଙ୍କ ଦସ୍ତଖତ ଥିବା ଦଲିଲ ଦସ୍ତାବିଜ ଲାଗିଛି ‘ସମ୍ବାଦ’ ହାତରେ।

ବଲାଙ୍ଗୀରରେ ଅନେକ କଣ୍ଟେନମେଣ୍ଟ ଜୋନ୍‌ରେ ପ୍ରଥମ ଦୁଇତିନି ଦିନ ବ୍ୟାରିକେଡ୍‌ ଦିଆଯାଇନଥିଲା। ସ୍ଥାନୀୟ ଯୁବକମାନେ ପଥର ରଖି ରାସ୍ତା ଅବରୋଧ କରିଥିଲେ। ପରେ ପରେ ବାଉଁଶ ଦୁଇ ଚାରି ଖଣ୍ଡ ବାନ୍ଧି ବ୍ୟାରିକେଡ୍‌ ତିଆରି କରିଥିଲେ ସରକାର। ହେଲେ ବିଲ୍‌ ନେବା ବେଳକୁ ବାଉଁଶ ଦାମ ଲକ୍ଷେ ଟଙ୍କା। ହାତୀଶାଳପଡ଼ାର ଦୁର୍ନୀତିକୁ ଦେଖିଲେ ଯେ କେହି ବି ଅବାକ ହେବ। ମହାମାରୀ ସମୟରେ ସାଧାରଣ ଲୋକେ ଛଟପଟ ହେଉଥିବା ବେଳେ କେମିତି ମହାଦୁର୍ନୀତି କରୁଥିଲେ ପୂର୍ତ୍ତ ବିଭାଗର କରିତକର୍ମା ସହକାରୀ ଯନ୍ତ୍ରୀ! ତାଙ୍କୁ ସାଥ୍‌ ଦେଇଥିଲେ ଗୁମ୍‌ସୁମ ମାସୁମ୍‌ କହାଯାଉଥିବା ନିର୍ବାହୀ ଯନ୍ତ୍ରୀ। ସଲାସୁତୁରା କରି ଜିଲ୍ଲା ମୁଖିଆଙ୍କୁ ବି ମନାଇ ଦେଇଥିଲେ। ମିଳିମିଶି ଖାଇଗଲେ। ବିପତ୍ତି ସମୟରେ ସମ୍ପତ୍ତି ଠୁଳ କଲେ। ଏହାକୁ ଦେଖିଲେ ୫-ଟିର ମନ୍ତ୍ର ଓ ତନ୍ତ୍ର ଉପରେ ଦୟା ଆସୁଛି। ଏବେ ଅବଶ୍ୟ ଜିଲ୍ଲାପାଳ କହିଛନ୍ତି, ଯଦି ଭୁଲ ଥିବ ଟଙ୍କା ଆଦାୟ କରାଯିବ। ତେଣୁ ଅପେକ୍ଷା, କେବେ ହେବ ମହାମାରୀ ବେଳର ମହାଦୁର୍ନୀତିର ତଦନ୍ତ।

ଏ ଅଧିକାରୀ କିଏ?
ହସ୍‌ପିଟାଲରେ କୋଟି କୋଟି ଟଙ୍କାର ମରାମତି ହେଉ କି ପିଆର ହାଇସ୍କୁଲ ଫିଲ୍‌ଡର ଭଙ୍ଗାଗଢ଼ାର ବିଶ୍ୱକର୍ମା। ସବୁଠି ଜଣେ ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଦବଦବା। ବଲାଙ୍ଗୀରର ବିଭିନ୍ନ ବିଦ୍ୟାଳୟର କୋଠା ତିଆରି ହୋଇଛି। କିନ୍ତୁ ଝିପି ଝିପି ବର୍ଷାରେ ବି ପାଣି ଗଳୁଛି। ନବନିର୍ମିତ ସିଏସ୍‌ଓ ଅଫିସରେ ବି ଦିଶିଲାଣି ଫାଟ। ଏ ସବୁଥିରେ ଜଣେ କରିତକର୍ମା ଯନ୍ତ୍ରୀଙ୍କ ହାତ। କେ୨ଏଫ୨ କାମରେ ବି ଏହି ବାବୁଙ୍କ ବେଶ୍‌ ଦଖଲ। ବନ୍ଧୁବାନ୍ଧବ ସଂପର୍କୀୟ ଦେଖି ବାଣ୍ଟି ଦିଅନ୍ତି। ଆଉ ସମୟ ସୁବିଧା ଦେଖି ନିଜ ଭାଗ ବି ନେଇ ଯାଆନ୍ତି। ଏସବୁ ତ ନିତିଦିନିଆ କଥା। କିନ୍ତୁ ମହାମାରୀ ସମୟରେ କୁଆଡ଼େ ଏହି ବାବୁ ଆଙ୍କିଛନ୍ତି ମହାଦୁର୍ନୀତିର ନୀଳନକ୍ସା। ବିପତ୍ତି ସମୟରେ ବେଶ୍‌ ସମ୍ପତ୍ତି ଠୁଳ କରିଛନ୍ତି। ବହୁ ଦିନରୁ ବାବୁଜଣକ ବଦଳିକୁ ଫୁ କରି ବଲାଙ୍ଗୀରକୁ ଜାଗିର କଲେଣି। ହେଲେ ସରକାର କି ଭିଜିଲାନ୍ସ କାହା ନଜର ତାଙ୍କ ଉପରେ ପଡ଼ୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe