Knowledia News
କଟକ : ଅନୁଭବ-ବର୍ଷା ବିବାଦରେ ପୁଣି ନୂଆମୋଡ଼ ଦେଖିବାକୁ ମିଳିଛି। ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତିଙ୍କ ବିରୋଧରେ ବର୍ଷା ପ୍ରିୟଦର୍ଶିନୀ ହାଇକୋର୍ଟରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି। ହାଇକୋର୍ଟଙ୍କ ୨୦୨୨, ମେ ୨୭ର ନିର୍ଦ୍ଦେଶ ଅନୁଭବ ଉଲ୍ଲଂଘନ କରିଛନ୍ତି ବୋଲି ଦର୍ଶାଇ ବର୍ଷାଙ୍କ ତରଫରୁ ଏହି ଅଦାଲତ ଅବମାନନା ମାମଲା ଦାୟର କରାଯାଇଛି।
ଏଥିରେ ଉଲ୍ଲେଖ କରାଯାଇଛି ଯେ ସୋସିଆଲ ମିଡିଆରେ ବର୍ଷାଙ୍କ ପ୍ରସଙ୍ଗକୁ ନେଇ ଅନୁଭବ ମହାନ୍ତି ଆଉ କୌଣସି ମନ୍ତବ୍ୟ ଦେଇପାରିବେନାହିଁ ବୋଲି ହାଇକୋର୍ଟଙ୍କ ଅନ୍ତରୀଣ ନିର୍ଦ୍ଦେଶ ରହିଛି। ଏଥିସହିତ ପରସ୍ପରକୁ ଆକ୍ଷେପ କରି ଉଭୟ ସର୍ବସାଧାରଣରେ କୌଣସି ମନ୍ତବ୍ୟ ଦେବାଉପରେ ହାଇକୋର୍ଟ ମେ ୨୭ରେ ଅନ୍ତରୀଣ ଅଙ୍କୁଶ ଜାରି କରିଥିଲେ। ଏହାସତ୍ତ୍ବେ ଅନୁଭବ ପୁଣି ସାମାଜିକ ଗଣମାଧ୍ୟମରେ ପୂର୍ବ ଭଳି ବର୍ଷାଙ୍କ ସଂକ୍ରାନ୍ତରେ ଟିପ୍ପଣୀ ଥିବା ଭିଡିଓ ଅପଲୋଡ୍ କରିଛନ୍ତି। ଏହା ହାଇକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲଂଘନ ହୋଇଥିବାରୁ ଅନୁଭବଙ୍କୁ ଏଥିପାଇଁ କଣ୍ଟେମ୍ପଟ୍ ଅଫ୍ କୋର୍ଟସ୍ ଆକ୍ଟରେ ଦଣ୍ଡିତ କରାଯାଉ।
ଉଲ୍ଲେଖଯୋଗ୍ୟ ଯେ ମେ ୨୭ରେ ହାଇକୋର୍ଟ ମାମଲାର ଶୁଣାଣି କରି ସୋସିଆଲ ମିଡିଆରେ ବର୍ଷାଙ୍କ ପ୍ରସଙ୍ଗକୁ ନେଇ ଅନୁଭବ ଆଉ କୌଣସି ମନ୍ତବ୍ୟ ଦେଇପାରିବେ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ବେଳେ ପରବର୍ତ୍ତୀ ଶୁଣାଣି ଜୁଲାଇ ୪କୁ ଧାର୍ଯ୍ୟ କରାଯାଇଛି।
Follow Us