ମହିଳା କମିସନରେ ବର୍ଷା-ଅନୁଭବ

Advertisment

ପକ୍ଷ ରଖିଲେ , ଭିତରେ ଆଲୋଚନା, ବାହାରେ ଗହଳି

ପକ୍ଷ ରଖିଲେ , ଭିତରେ ଆଲୋଚନା, ବାହାରେ ଗହଳି

ମହିଳା କମିସନରେ ବର୍ଷା-ଅନୁଭବ

ଭୁବନେଶ୍ବର : ‌ପାରିବାରିକ ବିବାଦକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚାରେ ରହିଥିବା ସେଲେବ୍ରିଟି ଦମ୍ପତି ବର୍ଷା-ଅନୁଭବ ଆଜି ମହିଳା କମିସନରେ ହାଜର ହୋଇଛନ୍ତି। ଘରୋଇ ହିଂସାକୁ ନେଇ ବର୍ଷା ମହିଳା କମିସନଙ୍କ ନିକଟରେ ଅଭିଯୋଗ କରିବା ପରେ ସାଂସଦ ତଥା ଅଭିନେତା ଅନୁଭବ କମିସନଙ୍କ ନିକଟରେ ହାଜର ହୋଇ ନିଜର ପକ୍ଷ ରଖିଥିବାବେଳେ ବର୍ଷା ମଧ୍ୟ ପାଲଟା ଅଭିଯୋଗ ଆଣି ନିଜ ପକ୍ଷ ରଖିଛନ୍ତି।

ଆଜି ଦିନ ପ୍ରାୟ ସାଢ଼େ ୧୧ଟା ସମୟରେ ଅଭିନେତ୍ରୀ ବର୍ଷା ମହିଳା କମିସନଙ୍କ ନିକଟରେ ହାଜର ହୋଇଥିଲେ। ଏହି ସମୟରେ ଅନୁଭବ ଓ ତାଙ୍କ ବାପା-ମା’ଙ୍କୁ ହାଜର ହେବା ଲାଗି କମିସନ ନୋଟିସ୍ କରିଥିଲେ ହେଁ ଅନୁଭବ ପ୍ରାୟ ୩ଘଣ୍ଟା ବିଳମ୍ବରେ ଅପରାହ୍‌ଣ ସାଢ଼େ ୨ଟାରେ କମିସନଙ୍କ ନିକଟରେ ହାଜର ହୋଇଥିଲେ। ହେଲେ ତାଙ୍କ ବାପା-ମା’ ଆସି ନ ଥିଲେ। କମିସନର ଅଧ୍ୟକ୍ଷା ମିନତି ବେହେରାଙ୍କ ଉପସ୍ଥିତିରେ ବର୍ଷା ଓ ଅନୁଭବ ପାଖାପାଖି ବସି ନିଜ ନିଜର ପକ୍ଷ ରଖିଥିଲେ। ସଂଧ୍ୟା ପର୍ଯ୍ୟନ୍ତ ଦୁହିଁଙ୍କର ଆଲୋଚନା ଚାଲିଥିଲା। ଏହି ସମୟରେ କମିସନର ଅଧ୍ୟକ୍ଷା ଦୁହିଁଙ୍କୁ ବୁଝାଇଥିଲେ।

ବର୍ଷା-ଅନୁଭବ ମହିଳା କମିସନରେ ହାଜର ହେବା ପରେ ତୋଷାଳୀ ପ୍ଲାଜା ବାହାରେ ଲୋକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଦୁହେଁ କମିସନରୁ ବାହାରିବା ପର୍ଯ୍ୟନ୍ତ ବାହାରେ ଲୋକମାନେ ସେମାନଙ୍କୁ ଅପେକ୍ଷା କରି ରହିଥିଲେ। କମିସନରୁ ବାହାରିବା ପରେ ବର୍ଷା ଗଣମାଧ୍ୟମ ସାମ୍ନାରେ ମୁହଁ ଖୋଲି ନ ଥିଲେ। ହେଲେ ଅନୁଭବ ଗଣମାଧ୍ୟମକୁ କହିଥିଲେ, ମହିଳା କମିସନଙ୍କୁ ସମ୍ମାନ ଜଣାଇ ଆସିଛି। କମିସନଙ୍କ ନିକଟରେ ମୋର ପକ୍ଷ ରଖିବା ସହିତ କମିସନ ଯାହା ପଚାରିବା କଥା ପଚାରିଛନ୍ତି। ବାହାରେ ଏସବୁ କହିବା ଉଚିତ ହେବନି ବୋଲି ଅନୁଭବ କହିଥିଲେ।

ଏ ସଂପର୍କରେ ରାଜ୍ୟ ମହିଳା କମିସନ ଅଧ୍ୟକ୍ଷା ଶ୍ରୀମତୀ ବେହେରା କହିଛନ୍ତି, ଆଜି ବର୍ଷା-ଅନୁଭବ ନିଜ ନିଜର ପକ୍ଷ ରଖିଛନ୍ତି। ଦୁହେଁ ପକ୍ଷ ରଖିବା ପରେ ଆଗାମୀ ଦିନରେ ଯାହା ହେବ ଭଲ ହେବ ବୋଲି ଆଶା କରାଯାଉଛି। ମାତ୍ର ପରବର୍ତୀ ଆଲୋଚନା କେବେ ହେବ ତାହାର ତାରିଖ ଧାର୍ଯ୍ୟ ହୋଇନାହିଁ ବୋଲି ଶ୍ରୀମତୀ ବେହେରା କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଗତ ୧୫ତାରିଖରେ ବର୍ଷା ଘରୋଇ ହିଂସା ଅଭିଯୋଗ ଆଣି ମହିଳା କମିସନଙ୍କ ଦ୍ବ‌ାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe