ଭଗବାନଙ୍କ ପରିବାର ଉପରୁ ବାସନ୍ଦ ଉଠିଲା

Advertisment

ପୁଲିସ, ପ୍ରଶାସନ ଉପସ୍ଥିତିରେ ଆପୋସ ସମାଧାନ, ଭାଇଚାରା ରକ୍ଷା କରି ଚଳିବାକୁ ଲିଖିତ ରାଜିନାମା

ପୁଲିସ, ପ୍ରଶାସନ ଉପସ୍ଥିତିରେ ଆପୋସ ସମାଧାନ, ଭାଇଚାରା ରକ୍ଷା କରି ଚଳିବାକୁ ଲିଖିତ ରାଜିନାମା

ଭଗବାନଙ୍କ ପରିବାର ଉପରୁ ବାସନ୍ଦ ଉଠିଲା

ଜଗନ୍ନାଥପ୍ରସାଦ/ପ୍ରତାପୁର : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍‌ ପ୍ରତାପୁର ପଞ୍ଚାୟତ ବାଲିମାଳ ଗ୍ରାମର ଜଣେ ଯୁବତୀ ଅନ୍ୟ ଜାତିର ଯୁବକଙ୍କୁ ପ୍ରେମ ବିବାହ କରିବାରୁ ତାଙ୍କ ପରିବାରକୁ ଅଢ଼େଇ ବର୍ଷ ଧରି ସାମାଜିକ ବାସନ୍ଦ କରାଯାଇଥିଲା। ନ୍ୟାୟ ପାଇଁ ପରିବାରବର୍ଗ ବାରଦୁଆର ବୁଲୁଥିଲେ। ଏ ସଂକ୍ରାନ୍ତରେ ‘ସମ୍ବାଦ’ରେ ଏକ ରିପୋର୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ନପୂରୁଣୁ ପୁଲିସ ଓ ପ୍ରଶାସନ ତତ୍ପରତା ଦେଖାଇଛି। କୁଳ ସମାଜକୁ ଏକାଠି କରି ଗାଁରେ ସଭା ଡକାଯିବା ସହ ଆପୋସ ସମାଧାନ ପରେ ବାସନ୍ଦାଦେଶ ପ୍ରତ୍ୟାହାର କରାଯାଇଛି।

ବେଲଗୁଣ୍ଠା ଥାନାଧିକାରୀ ପ୍ରକାଶ କୁମାର ସାହୁଙ୍କ ଉପସ୍ଥିତିରେ ଗୌଡ଼ ସମାଜର କର୍ମକର୍ତ୍ତା ଓ ଅଭିଯୋଗକାରୀ ଭଗବାନ ଗୌଡ଼ ଏବଂ ତାଙ୍କ ପୁଅ ମିଥୁନ୍‌ଙ୍କୁ ନେଇ ବୈଠକ ବସିଥିଲା। ଜଗନ୍ନାଥପ୍ରସାଦ ଅତିରିକ୍ତ ତହସିଲଦାର ବାରିଆଲ୍ ମୁର୍ମୁ, ପ୍ରତାପୁର ସରପଞ୍ଚ ସୁଶାନ୍ତ କୁମାର ପ୍ରଧାନ, ଗ୍ରାମର କୁଳ ସଭାପତି ସୂର୍ଯ୍ୟ ଗୌଡ଼, ବୀରେନ୍ଦ୍ର ଗୌଡ଼, ଖଦାଳ ଗୌଡ଼, ମୁଠା ସଭାପତି ରଙ୍କନିଧି ଗୌଡ଼, ପ୍ରଫୁଲ୍ଲ ଗୌଡ଼ ଓ ନାରାୟଣ ଗୌଡ଼ ଏବଂ ପ୍ରତାପୁର ରାଜସ୍ବ ନିରୀକ୍ଷକ ପ୍ରମୁଖ ସଭାରେ ଉପସ୍ଥିତ ଥିଲେ। ଉଭୟ ପକ୍ଷକୁ ଆଇନର ବିଭିନ୍ନ ଦିଗ ଉପରେ ସଚେତନ କରାଯାଇଥିଲା। ଆରୋପ ପ୍ରତ୍ୟାରୋପ ଭୁଲି ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣ ଭିତରେ ଚଳିବା ଓ ଆକ୍ରୋଶ ମନୋଭାବ ନରଖି ଭାଇଚାରା ନୀତି ଆପଣାଇବାକୁ ପରାମର୍ଶ ଦିଆଯାଇଥିଲା। ଉଭୟ ପକ୍ଷ ଏନେଇ ଲିଖିତନାମା ଦେବା ପରେ ମାମଲାର ଆପୋସ ସମାଧାନ ହୋଇଥିଲା। ଆଜିଠୁ ଭଗବାନଙ୍କ ପରିବାର ଉପରେ କୌଣସି ପ୍ରକାର କଟକଣା ରହିବ ନାହିଁ ଏବଂ ସେମାନେ ‌ଯେକୌଣସି ସାମାଜିକ ଓ କୁଳ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିପାରିବେ ବୋଲି କୁଳ ସମାଜ ପକ୍ଷରୁ ନିଷ୍ପତ୍ତି ଶୁଣାଇ ଦିଆଯାଇଥିଲା। ସେହିପରି ସମାଜର କର୍ମକର୍ତ୍ତାଙ୍କ ସହ ଆଗକୁ କୌଣସି ବିବାଦ ସୃଷ୍ଟିହେବନି ବୋଲି ଭଗବାନଙ୍କ ପୁଅ ମିଥୁନ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ।

ଅବଶ୍ୟ ଦୁଇମାସ ତଳେ ବିବାଦର ଆପୋସ ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ବର୍ତ୍ତମାନ ଉଭୟ ପକ୍ଷ ଭାଇଚାରା ବାତାବରଣ ରକ୍ଷା କରି ଚଳିବାକୁ ରାଜି ହୋଇଥିବା ଥାନାଧିକାରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe