‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ

Advertisment
‘କବି ବସନ୍ତ ମୁଦୁଲି କବିତା ପୁରସ୍କାର’ ଘୋଷଣା: ୨୦୨୨ ପାଇଁ ନରେନ୍ଦ୍ର ଭୋଇ, ୨୦୨୩ ପାଇଁ ଚିତ୍ତରଞ୍ଜନ ନାୟକ ହେବେ ପୁରସ୍କୃତ

ବାଲେଶ୍ୱର/ଭଦ୍ରକ: କବି ବସନ୍ତ ମୁଦୁଲି ସ୍ମୃତି ସଂସଦର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଗତକାଲି ଭଦ୍ରକ ଠାରେ ଅନୁଷ୍ଠିତ ଏକ ବୈଠକରେ ବସନ୍ତ ମୁଦୁଲି ସ୍ମୃତି ସଂସଦ ପକ୍ଷରୁ ପ୍ରଦାନ କରାଯାଉଥ‌ିବା ମର୍ଯ୍ୟାଦାଜନକ ତଥା ଯୁବପିଢ଼ିଙ୍କ ବହୁ ଆକାଂକ୍ଷିତ 'କବି ବସନ୍ତ ମୁଦୁଲି କବିତା ପୁରସ୍କାର’ର ଫଳାଫଳ ଘୋଷଣା କରାଯାଇଛି। ଦୁଇ ବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ। ୨୦୨୨ ପାଇଁ କବି ନରେନ୍ଦ୍ର ଭୋଇ (୧୯୭୯) ଯୋଗ୍ୟ ବିବେଚିତ ହୋଇଥିବା ବେଳେ ୨୦୨୩ ପାଇଁ କବି ଚିତ୍ତରଞ୍ଜନ ନାୟକ (୧୯୭୮) ଏହି ପୁରସ୍କାର ପାଇବେ। ୨୦୨୨ରେ ଉତ୍ସବ ହୋଇ ପାରିନଥିବାରୁ ଚଳିତ ବର୍ଷକୁ ମିଶାଇ ଦୁଇବର୍ଷ ପାଇଁ ଏହି ପୁରସ୍କାର ଦିଆଯିବ ବୋଲି ସଂସଦ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସମ୍ପାଦକ କୃଷ୍ଣ କୁମାର ମହାନ୍ତି ଘୋଷଣା କରିଛନ୍ତି।

ଭଦ୍ରକଠାରେ ଅନୁଷ୍ଠିତ ଏହି ବୈଠକରେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, କବି କିଶୋର ପାଣିଗ୍ରାହୀ ଓ ଅରୁଣ ଖିଲାର ପ୍ରମୁଖ ଉପସ୍ଥିତ ଥାଇ ବିଚାରକ ମାନଙ୍କ ଠାରୁ ପ୍ରାପ୍ତ ମତ ଭିତ୍ତିରେ ଅଧିକ ମତ ଆସିଥିବା କବିଙ୍କୁ ଯୋଗ୍ୟ ଘୋଷଣା କରାଯାଇଥିଲା। ଏଥିରେ ଅନୁଷ୍ଠାନର କୌଣସି ଭୂମିକା ନଥାଏ ଏବଂ ବିଚାରକଙ୍କ ମତାମତକୁ ଗ୍ରହଣ କରାଯାଇ ଫଳାଫଳ ଘୋଷଣା କରାଯାଏ ବୋଲି ସଂସଦ ପକ୍ଷରୁ ସଂଯୋଜକ ଅରୁଣ ଖିଲାର ସ୍ପଷ୍ଟ କରିଛନ୍ତି। ନଭେମ୍ବର ମାସର ୫ ତାରିଖରେ ଭଦ୍ରକ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହେବାକୁ ଥ‌ିବା ୩୭ତମ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହ ପାଳନ ଅବସରରେ ଉପରୋକ୍ତ ବିଜେତାଙ୍କୁ ପୁରସ୍କାର ସ୍ବରୂପ ନଗଦ ଅର୍ଥରାଶି ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯିବ। ପୁରସ୍କାର ପାଇବାକୁ ଯୋଗ୍ୟ ବିବେଚିତ ହୋଇଥ‌ିବା ଏହି ୨ ଜଣ ଓଡ଼ିଆ ଯୁବକବି ଓଡ଼ିଆ କବିତା କ୍ଷେତ୍ରରେ ବେଶ ପରିଚିତ ନାମ ଏବଂ ସେମାନେ ଓଡ଼ିଆ କବିତାରେ ନିଜସ୍ୱ ସ୍ଵର ଓ ସ୍ଵାକ୍ଷର ଛାଡିଛନ୍ତି। ବୌଦ୍ଧ ଜିଲ୍ଲାରେ ଜନ୍ମିତ ନରେନ୍ଦ୍ରଙ୍କ ୩ଟି କବିତା ପୁସ୍ତକ ଥିବା ବେଳେ କେନ୍ଦୁଝର ଜିଲ୍ଲାରେ ଜନ୍ମିଥିବା ଚିତ୍ତରଞ୍ଜନ ୪ଟି କବିତା ପୁସ୍ତକର ସ୍ରଷ୍ଟା।

ପ୍ରତିବର୍ଷ ୫୦ ବର୍ଷ ବୟସ ସୀମା ମଧ୍ୟରେ ଜଣେ ଯୁବ କବିଙ୍କୁ ବିଚାରକ ମଣ୍ଡଳୀଙ୍କ ମନୋନୟନ ପ୍ରକ୍ରିୟା ଅନୁସାରେ ଏହି ପୁରସ୍କାର ଗତ ୩୦ ବର୍ଷ ଧରି ପ୍ରଦାନ କରାଯାଇ ଆସୁଛି। ବିଗତ ୩୦ ବର୍ଷ ଭିତରେ ପୁରସ୍କୃତ ହୋଇଥିବା କବିଗଣ ଏବଂ କିଛି ବିଜ୍ଞ ଲେଖକ ଏଥର ବିଚାରକ ଥିବାବେଳେ ସେମାନଙ୍କଠାରୁ ଆସିଥିବା ମନୋନୟନ ପକ୍ରିୟାକୁ ଭିତ୍ତି କରି ଯୋଗ୍ୟ କବି ପ୍ରତିଭା ନିର୍ଣ୍ଣୟ କରାଯାଇଛି। ଏହି ପୁରସ୍କାର ପ୍ରଦାନ ଉତ୍ସବରେ ବିଶିଷ୍ଟ କବି ଅମରେଶ ପଟ୍ଟନାୟକ, ସୁଖ୍ୟାତ କବି ଆଶୁତୋଷ ପରିଡ଼ା, ଯଶସ୍ବୀ କବି ବାସୁଦେବ ସୁନାନୀ ଏବଂ ଅଧ୍ୟାପକ ଦତ୍ତାତ୍ରେୟ ଦାଶ ପ୍ରମୁଖ ଅତିଥି ଭାବେ ଯୋଗ ଦେବାକୁ ସଦୟ ସମ୍ମତି ପ୍ରଦାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe