ଅପହଞ୍ଚ ପ୍ରଶାସନ, ବାଟ ହୁଡୁଛି ସରକାରୀ ଯୋଜନା: ଦୁର୍ବିସହ ଜୀବନ ବିତାଉଛନ୍ତି ନେକରଗଣ୍ତା ଗ୍ରାମବାସୀ

Advertisment
ଅପହଞ୍ଚ ପ୍ରଶାସନ, ବାଟ ହୁଡୁଛି ସରକାରୀ ଯୋଜନା: ଦୁର୍ବିସହ ଜୀବନ ବିତାଉଛନ୍ତି ନେକରଗଣ୍ତା ଗ୍ରାମବାସୀ

ଦଶପଲ୍ଲା : ଗାଁର ଚାରିପାଖରେ ଘେରି ରହିଛି ବାଇଶୀପଲ୍ଲୀ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲ। ଡାଙ୍ଗୁରୀ ଡାହାଡଠାରୁ ଆରମ୍ଭ କରି ଆମ୍ବ ତଇଳା, ପାକୁଲି, ଆଡୁଆ, ଗୁଜି ମୁଣ୍ତିଆ, ଖନ୍ଦା ମୁଣ୍ତିଆ, ବଡ ମୁଣ୍ତିଆ, ରଙ୍ଗମାଟିଆ ଓ କଳାପଥର ପ୍ରଭୃତି ଘଞ୍ଚ ଅରଣ୍ୟ ମଧ୍ୟରେ ବସବାସ କରୁଥିବା ଦଶପଲ୍ଲା ବ୍ଲକ୍‌ ଘୁଗୁଡିପଡା ପଞ୍ଚାୟତର ସୀମାନ୍ତ ନେକରଗଣ୍ତା ଗ୍ରାମବାସୀ ଦୁର୍ବିସହ ଜୀବନ ବିତାଉଛନ୍ତି। ରାସ୍ତାଘାଟ ଖାଲଖମା ଓ ଢିମା ପଥର ସାଙ୍ଗକୁ ଯାତୟାତରେ ପ୍ରତିବନ୍ଧକ ସାଜୁଛି ଗହଣ୍ତିନାଳ। ବର୍ଷ ପରେ ବର୍ଷ ବିତି ଚାଲିଛି। ହେଲେ ଶିକ୍ଷା, ସ୍ବାସ୍ଥ୍ୟ, ପାନୀୟ ଏବଂ ଗମନାଗମନ ଭଳି ମୈାଳିକ ସୁବିଧା ସୁଯୋଗ ଏମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି।

ଗ୍ରାମରେ ସଂକୀର୍ତ୍ତନ ଜାନୀ, ସନାତନ ସାହୁ, ଜୟମାଝି, ମହି ମାଝି, ଦେବାର୍ଚ୍ଚନ ମାଝି, ବିଭୀଷଣ ମାଝି, ଗୁରୁଦେବ ମାଝି, ଜଳେଶ୍ବର ମାଝି, ସଦାସିବ ମାଝି, ମହେଶ୍ବର ମାଝି, ସୁକମତୀ ମାଝି, ଗଙ୍ଗାଧର ଜାନୀ, ସୁରେଶନ ଜାନୀ ଏବଂ ଗଦ୍ଧର୍ବ ମାଝି ପ୍ରଭୃତି ୧୪ଟି ପରିବାରର ପ୍ରାୟ ୬୦ ଜଣ ବସବାସ କରୁଛନ୍ତି। ଗ୍ରାମଠାରୁ ପଞ୍ଚାୟତ କାର୍ଯ୍ୟାଳୟର ଦୂରତା ୧୨ କିମି। ଭତ୍ତା ହେଉକି ରାସନ ସାମଗ୍ରୀ ଆଣିବାକୁ ହେଲେ ଘଞ୍ଚ ଜଙ୍ଗଲ ମଧ୍ୟଦେଇ କାର୍ଯ୍ୟାଳୟକୁ ଯିବାକୁ ପଡିଥାଏ। ମାତ୍ର ବଡ଼କଥା ହେଉଛି ଯାତାୟାତ ପାଇଁ ଜଙ୍ଗଲ ମଧ୍ୟରେ ଥିବା ଗହଣ୍ତି ନାଳ ପ୍ରତିବନ୍ଧକ ସାଜୁଛି। ବର୍ଷା ଦିନେ ଯାତାୟାତ କରିବା ସମ୍ଭବ ହେଉନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ହେଉକି ରୋଗୀ ଓ ଗର୍ଭବତୀ ମହିଳାଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ଆଣିବାକୁ ହେଲେ ବିପଜ୍ଜନକ ଭାବେ ଭାରା କରି ଆଣିବାକୁ ପଡୁଛି। ସେହିଭଳି ବର୍ଷା ହେଲେ ପାହାଡରୁ ପ୍ରବଳ ପାଣି ଗ୍ରାମ ଭିତରକୁ ପଶି ଆସୁଛି। ଗ୍ରାମରେ ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ କୈାଣସି ବ୍ୟବସ୍ଥା ନଥିବା ବେଳେ ବାଧ୍ୟ ହୋଇ କିଏ ଗଣିଆ ବ୍ଲକର ବଡସିଲିଙ୍ଗା ଆଶ୍ରମ ବିଦ୍ୟାଳୟ ତ ପୁଣି କିଏ ଟାକରାରେ ଥିବା ଆଶ୍ରମ ଓ କନ୍ୟାଶ୍ରମରେ ରହି ପଢିବାକୁ ପଡୁଛି।

publive-image

ମୁଖ୍ୟତଃ ଏଠାକାର ଜନସାଧାରଣ ଚାଷବାସ ଉପରେ ନିର୍ଭର କରିଥାନ୍ତି। ଧାନ ଚାଷ ସହ ମକା ଓ ବିଭିନ୍ନ ପନିପରିବା ଚାଷ କରିଥାନ୍ତି। ହେଲେ ବାର୍‌ହା ଉପଦ୍ରବ ହେତୁ ଅଧିକାଂଶ ସମୟରେ ଫସଲ ଉଜୁଡି ଯାଉଛି। ବନବିଭାଗ ପକ୍ଷରୁ ପ୍ରତିବର୍ଷ ଏହାର ଆକଳନ କରାଯାଉଛି, ହେଲେ କୈାଣସି କ୍ଷତିପୂରଣ ପ୍ରଦାନ କରାଯାଉନାହିଁ। ଗ୍ରାମକୁ ଯଦିଓ କୈାଣସି ହିଂସ୍ର ଜନ୍ତୁଙ୍କ ଭୟନାହିଁ, ବିଭିନ୍ନ ସମୟରେ ପେଣ୍ଡେରା ଭୟ ରହୁଛି। ଗାଈ ଓ ବାଛୁରୀ ଗୁଡିକୁ ଖାଇ ଯାଆନ୍ତି। ସେହିଭଳି ବିଦ୍ୟୁତ୍ ଜନିତ ସମସ୍ୟା କଥା ନକହିଲେ ଭଲ। ଦିନେ ଆଲୁଅ ଜଳିଲେ ୫ ଦିନ ଅନ୍ଧକାର ରହିବାକୁ ପଡୁଛି। ଏହାରି ମଧ୍ୟରେ ପ୍ରତି ପରିବାରକୁ ସୋଲାର ସଂଯୋଗ ଯୋଗାଇ ଦିଆଯାଇଥିବା ବେଳେ ସେସବୁ ଅଚଳ ହୋଇ ପଡିଛି। ପାନୀୟ ଜଳ ପାଇଁ ଗ୍ରାମରେ ଏକ ସୋଲାର ପ୍ରକଳ୍ପ ରହିଥିବା ବେଳେ ନଳକୂପରେ ପାଣି ଶୁଖିଯିବା ଦ୍ବାରା ଏହା ଅଧାଦିନ ଅକାମି ହୋଇପଡୁଛି। ଫଳରେ ଗ୍ରାମବାସୀ ପାହାଡ ନିକଟସ୍ଥ ଝରଣା ଉପରେ ନିର୍ଭର କରୁଛନ୍ତି।

ସେହିଭଳି ଉକ୍ତ ଗ୍ରାମଟି ଅଭୟାରଣ୍ୟ ମଧ୍ୟରେ ରହିଥିବାରୁ ରାସ୍ତା ନିର୍ମାଣରେ ମୁଖ୍ୟ ପ୍ରତିବନ୍ଧକ ସାଜୁଛି ସରକାରୀ କଟକଣା। ପ୍ରତି ଗ୍ରାମକୁ ବାହ୍ୟ ମଳମୁକ୍ତ ଗ୍ରାମ ଭାବେ ଘୋଷଣା କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ବଚ୍ଛ ଭାରତ ମିସନ ଯୋଜନା କାର୍ଯ୍ୟକାରୀ କରାଯାଇଥିବା ବେଳେ କୌଣସି ଗୋଟିଏ ପରିବାରରେ ପାଇଖାନା ନିର୍ମାଣ ନହୋଇ ଗ୍ରାମଠାରୁ ୩ କିମି ଦୂରରେ ଫଳକ ମାରି ବିଭାଗୀୟ ଅଧିକାରୀମାନେ ଦାୟିତ୍ବ ତୁଲାଇ ଦେଇଛନ୍ତି। ବର୍ଷ ବର୍ଷ ଧରି ଗ୍ରାମବାସୀ ଏଭଳି ଦୁର୍ଦ୍ଦଶା ଭୋଗୁଥିବା ବେଳେ ଚଳିତ ପଞ୍ଚାୟତ ନିର୍ବାଚନକୁ ବର୍ଜନ କରିବା ପାଇଁ ସଜବାଜ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe