ବସୁନ୍ଧରା ଯୋଜନା ବାଟବଣା: ମୁଣ୍ଡ ଗୁଞ୍ଜିବାକୁ ଭୂମିହୀନଙ୍କୁ ମିଳୁନି ଜାଗା

ବସୁନ୍ଧରା ଯୋଜନା ବାଟବଣା: ମୁଣ୍ଡ ଗୁଞ୍ଜିବାକୁ ଭୂମିହୀନଙ୍କୁ ମିଳୁନି ଜାଗା

Twitter

କୋରେଇ: କୋରେଇ ବ୍ଲକ୍‌ରେ ଶତାଧିକ ଭୂମିହୀନ ମୁଣ୍ତ ଗୁଞ୍ଜିବାକୁ ଜାଗା ଖଣ୍ଡେ ପାଉନାହାନ୍ତି। ସରକାରଙ୍କ ‘ବସୁନ୍ଧରା’ ଯୋଜନାର ସୁଫଳ ଏହି ଭୂମିହୀନ ପରିବାର ଠାରୁ ବହୁ ଦୂରରେ ରହିଛି। ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରେ ବହୁ ଆଦିବାସୀ ଓ ଗରିବଲୋକ ଜମିପଟ୍ଟା ଖଣ୍ଡିଏ ପାଇଁ ଅପେକ୍ଷା କରିଛନ୍ତି। ତଥ୍ୟ ଅନୁସାରେ, ୨୦୨୦ ରୁ ୨୦୨୩ ମସିହା ମଧ୍ୟରେ ବସୁନ୍ଧରା ଯୋଜନାରେ ବ୍ଲକ୍‌ ଅଞ୍ଚଳର ମୋଟ ୧୧୯ ଜଣ ଜମିପଟ୍ଟା ପାଇଁ ଆବେଦନ କରିଥିଲେ। ସେଥିମଧ୍ୟରୁ ଗତ ୩ ବର୍ଷରେ ମାତ୍ର ୬୯ ଜଣଙ୍କୁ ଜମିପଟ୍ଟା ପ୍ରଦାନ କରାଯାଇଛି। ଆହୁରି ୫୦ ଜଣ ବ୍ୟକ୍ତି ଜମିପଟ୍ଟା ଅପେକ୍ଷାରେ ରହିଛନ୍ତି।

ବ୍ଲକ୍‌ର ୨୮ଟି ପଞ୍ଚାୟତ ମଧ୍ୟରୁ ଧନେଶ୍ବର ପଞ୍ଚାୟତରେ ସର୍ବାଧିକ ୨୯ ଜଣଙ୍କୁ ଏହି ଯୋଜନାରେ ପଟ୍ଟା ମିଳିଥିବା ବେଳେ ପାଟରଙ୍ଗା ପଞ୍ଚାୟତର ୧୨ ଜଣଙ୍କୁ, କନ୍ତୋର ପଞ୍ଚାୟତର ୫ ଜଣଙ୍କୁ, ମୂଳାପାଳ ପଞ୍ଚାୟତର ୫ ଜଣଙ୍କୁ, ରଣପୁର ପଞ୍ଚାୟତର ୬ ଜଣଙ୍କୁ, ବରୁଣ୍ତାଇ ପଞ୍ଚାୟତର ୩ ଜଣଙ୍କୁ ପଟ୍ଟା ମିଳିଛି। ସେହିପରି ପଥରପଦା, ତୁଳତୀ ଏବଂ ଗୌରପୁର ପଞ୍ଚାୟତର ୨ ଜଣ ଲେଖାଏଁ ଲୋକଙ୍କୁ ପଟ୍ଟା ମିଳିଥିବା ବ‌େଳେ ପଛିକୋଟ, ବଡ଼ବିରୁଆଁ, ଅନ୍ଧାରୀ ପଞ୍ଚାୟତର ଜଣେ ଲେଖାଏଁ ଲୋକଙ୍କୁ ୪ ଡିସିମିଲର ଜମିର ପଟ୍ଟା ପ୍ରଦାନ କରାଯାଇଛି। ଅନ୍ୟପକ୍ଷରେ ବ୍ଲକ୍‌ର ବହୁ ପଞ୍ଚାୟତରେ ଶତାଧିକ ଭୂମିହୀନ ଲୋକ ଅନାବାଦୀ, ଗୋଚର ଜମିରେ ଚାଳିଆ ଘରେ ମୁଣ୍ତ ଗୁଞ୍ଜିଛନ୍ତି। ବର୍ଷବର୍ଷ ଧରି ବାହାର ଜିଲ୍ଲାରୁ ଆସି ଏହି ଲୋକମାନେ ଏଠାରେ ବସବାସ କଲେଣି।

କାମଧନ୍ଦା କରି ପେଟ ପୋଷୁଥିବା ଏହି ଲୋକଙ୍କର ସ୍ଥାୟୀ ଜମିପଟ୍ଟା ନଥିବାରୁ ସେମାନଙ୍କୁ ଆବାସ ଯୋଜନାରେ ଘର ଦିଆଯାଇପାରୁନାହିଁ। ଫଳରେ ବ୍ଲକ୍‌ର ଜହ୍ନା, ପାଣିକୋଇଲି, ତାରାକୋଟ, ମୁକୁନ୍ଦପୁର, ଆଦି ପଞ୍ଚାୟତର ବହୁଲୋକ ଭୂମିହୀନ ଭାବେ ସରକାରୀ ଜମିରେ ବାସ କରୁଛନ୍ତି। ଏପରିକି ୨ରୁ ୩ ପିଢ଼ି ଧରି ଏହି ଲୋକମାନେ ଏଠାରେ ସ୍ଥାୟୀ ଭାବେ ରହୁଥିଲେ ମଧ୍ୟ ସେମାନଙ୍କୁ ପଟ୍ଟା ମିଳି ପାରୁନାହିଁ। ପଥରପଦା ପଞ୍ଚାୟତ ବେଙ୍ଗାସାହିରେ ବହୁଲୋକ ଏବେ ବି ସରକାରୀ ଜମିରେ ରହୁଛନ୍ତି। ସ୍ଥାୟୀ ଜମିପଟ୍ଟା ନଥିବାରୁ ଏହି ଲୋକମାନେ ସରକାରୀ ଯୋଜନାରୁ ବଞ୍ଚିତ ହେଉଛନ୍ତି। ଗତ କିଛିଦିନ ତଳେ ଅପପୁଷ୍ଟିର ଶିକାର କୁନିକୁନି ପିଲାଙ୍କ ପାଇଁ ବେଙ୍ଗାସାହି ଚର୍ଚ୍ଚାରେ ରହିଥିଲା। ମାଳମାଳ ସରକାରୀ ଅଧିକାରୀ ଏହି ବସ୍ତିରେ ପହଞ୍ଚି ଲୋକମାନଙ୍କ ସମସ୍ୟା ଅନୁଧ୍ୟାନ କରିଥିଲେ ମଧ୍ୟ ସେମାନଙ୍କୁ ଜମିପଟ୍ଟା ପ୍ରଦାନ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାନ୍ତି। ଏନେଇ ବ୍ୟାସନଗର ଅତିରିକ୍ତ ତହସିଲଦାର ବିକ୍ରମ କୁମାର ମଲ୍ଲିକଙ୍କୁ ପଚାରିବାରୁ, ବସୁନ୍ଧରା ଯୋଜନାରେ ପଟ୍ଟା ପାଇଁ ଆବେଦନ କରିଥିବା କୋରେଇ ବ୍ଲକ୍‌ର ବହୁଲୋକଙ୍କ କାଗଜପତ୍ର ଏବେ ଯାଞ୍ଚ ଚାଲିଛି। ସେମାନେ ପୂର୍ବରୁ ଅନ୍ୟ ତହସିଲ ଅଧୀନରେ ରହୁଥିବାରୁ ସେଠାରେ ସେମାନଙ୍କର ଜମି କିମ୍ବା ଘର ଅଛି କି ନାହିଁ ତାହା ଯାଞ୍ଚ କରିବା ପରେ ସେମାନଙ୍କୁ ପଟ୍ଟା ପ୍ରଦାନ କରାଯିବ ବୋଲି ଶ୍ରୀ ମଲ୍ଲିକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe