ଖୁଣ୍ଟୁଣୀ: ଖୁଣ୍ଟୁଣୀ ବନାଞ୍ଚଳ କପୁରସିଂ ଗ୍ରାମ ଅନ୍ତର୍ଗତ ସୁବାସୀ ସଂରକ୍ଷିତ ଜଙ୍ଗଲ ସଂଲଗ୍ନ ଏକ ପରିତ୍ୟକ୍ତ କମ୍ପାନି ପରିସରରୁ ବାଦୁଡ଼ି ଶିକାର କରି ଜରିବସ୍ତାରେ ଅଟୋ ଯୋଗେ ଭୁବନେଶ୍ୱର ଚାଲାଣ କରୁଥିବା ରୢାକେଟ୍କୁ ଆଜି ଖୁଣ୍ଟୁଣୀ ବନ ବିଭାଗ କାବୁ କରିଛି।
ଚାଲାଣ ବେଳେ ଅଟୋ ଭିତରୁ ୩ଟି ଜରିବସ୍ତାରେ ଭର୍ତ୍ତି ୮ଶହ ବାଦୁଡ଼ି (୭୯୬ ମୃତ ଓ ୪ଟି ଜୀବନ୍ତ) ଜବତ କରାଯାଇଛି। ଅଟୋ ଓ ଶିକାରରେ ବ୍ୟବହୃତ ଏକ ଜାଲକୁ ମଧ୍ୟ ବନବିଭାଗ ଜବତ କରିଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ୧୦ ଅଭିଯୁକ୍ତ ଓ ଜଣେ ଅଟୋଚାଳକଙ୍କୁ ବନବିଭାଗ ଅଟକ ରଖି ପଚରାଉଚରା ଚଳାଇଛି। ସମସ୍ତଙ୍କ ଘର ଭୁବନେଶ୍ୱର ଅଞ୍ଚଳର ବୋଲି ବନ ବିଭାଗ ସୂଚନା ଦେଇଛି।
ଆଜି ଅପରାହ୍ଣରେ ବାଦୁଡ଼ି ଶିକାର ପାଇଁ ଭୁବନେଶ୍ବର ସାଲିଆସାହି ଅଞ୍ଚଳର ଏକ ଦଳ ଅଟୋ ଯୋଗେ ଖୁଣ୍ଟୁଣୀ ବନାଞ୍ଚଳର କପୁରସିଂ ଅଞ୍ଚଳକୁ ଆସିଥିଲେ। ସେମାନେ ରାସ୍ତାକଡ଼ରେ ଅଟୋ ରଖି ସୁବାସୀ ରିଜର୍ଭ ଫରେଷ୍ଟ ନିକଟରେ ଥିବା ଏକ ପରିତ୍ୟକ୍ତ କମ୍ପାନି ଭିତରେ ପଶି ବାଦୁଡ଼ି ଶିକାର କରି ଅଟୋରେ ଯିବା ପାଇଁ ବାହାରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର କେତେକ ଲୋକ ସେମାନଙ୍କୁ ଅଟକ ରଖି ବନ ବିଭାଗକୁ ଜଣାଇଥିଲେ। ଖୁଣ୍ଟୁଣୀ ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଓରନ୍ଦା ଫରେଷ୍ଟର ପ୍ରମୋଦ କୁମାର ସେନାପତି, ଖୁଣ୍ଟୁଣୀ ଫରେଷ୍ଟର୍ ସରୋଜ କୁମାର ପଣ୍ଡା ଓ ବିଭାଗୀୟ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଅଟୋ ସହ ଜରିବସ୍ତାରେ ଭର୍ତ୍ତି ୮ଶହ ବାଦୁଡ଼ିକୁ ଜବତ କରିଥିଲେ। ଅଭିଯୁକ୍ତମାନଙ୍କୁ ଖୁଣ୍ଟୁଣୀ ବନାଞ୍ଚଳ କାର୍ଯ୍ୟାଳୟରେ ଅଟକ ରଖାଯାଇଛି। ବାଦୁଡ଼ିଗୁଡ଼ିକୁ ସେମାନେ କେଉଁ ସ୍ଥାନକୁ ଓ କ’ଣ ପାଇଁ ବେଆଇନ ଚାଲାଣ କରୁଥିଲେ, ଏହି ରୢାକେଟ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି ସେନେଇ ଏସିଏଫ୍ ତଥା ବନାଞ୍ଚଳ ଅଧିକାରୀ ନୀଳମାଧବ ସାହୁ ଓ ଏସିଏଫ୍ ମନୋଜ ପାତ୍ର ପଚାରାଉଚୁରା ଚଳାଇଛନ୍ତି। ଜବତ ବାଦୁଡ଼ିଙ୍କ ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରସ୍ଥିତ ଓୟୁଏଟିକୁ ପଠାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।
Follow Us