kalinga Tv
ବାରିପଦା: ମୟୂରଭଞ୍ଜ ଜିଲ୍ଲାରେ ବାସ କରୁଥିବା ମାଙ୍କିଡିଆ ଆଦିମ ଜନଜାତିର ପ୍ରଥମ ମେଟ୍ରିକୁଲେଟ ବାୟା ମାଙ୍କିଡିଆଙ୍କୁ ଆଜି ମୟୂରଭଞ୍ଜ ଜିଲ୍ଲା ପ୍ରସାଶନ ପକ୍ଷରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ପ୍ରଥମ କରି ଶିକ୍ଷକ ପଦରେ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଏକ ଲାପଟପ ମଧ୍ୟ ପ୍ରଦାନ କରିଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଆଜି ଅପରାହ୍ନରେ ଜିଲ୍ଲାପାଳ ନିଯୁକ୍ତି ପତ୍ର ପ୍ରଦାନ କରିବା ସହିତ ଶ୍ରୀ ମାଙ୍କିଡିଆଙ୍କୁ ଶିକ୍ଷା କ୍ଷେତ୍ରରେ ଆଗକୁ ବଢିବା ପାଇଁ ଶୁଭେଚ୍ଛା ପ୍ରଦାନ ମଧ୍ୟ କରିଛନ୍ତି ।
ପ୍ରକାଶଥାଉକି ଶ୍ରୀ ମାଙ୍କିଡିଆ ମୟୂରଭଞ୍ଜ ଜିଲ୍ଲାରୁ ମାଙ୍କିଡିଆ ଆଦିମ ଜନଜାତି ବର୍ଗର ଛାତ୍ର ଭାବରେ ୨୦୧୦ ମସିହାରେ ମାଟ୍ରିକୁଲେଟ ପାସ କରିଥିବା ପ୍ରଥମ ଛାତ୍ର ଭାବରେ ରେକର୍ଡ ସୃଷ୍ଟି କରି ସମଗ୍ର ରାଜ୍ୟରେ ପ୍ରସଂଶିତ ହୋଇଥିଲେ । ପରେପରେ ସରକାରୀ ପ୍ରୋତ୍ସାହନ ପାଇ ଯୁକ୍ତ ୨ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଯୁକ୍ତ ୩ ଉଚ୍ଚଶିକ୍ଷା ଗ୍ରହଣ କରିଥିଲେ ।
ତେବେ ତାଙ୍କ ବିଷୟରେ ଜାଣିବା ପରେ ଜିଲ୍ଲାପାଳ ତାଙ୍କୁ ସ୍ୱତନ୍ତ୍ର ଭାବରେ ଜିଲ୍ଲା ମଙ୍ଗଳ ବିଭାଗ ଦ୍ୱାରା ପରିଚାଳିତ ଉଦଳା ଅନ୍ୱେଷା ଶିକ୍ଷାନୁଷ୍ଠାନରେ ତାଙ୍କୁ ଟ୍ୟୁଟର ଶିକ୍ଷକ ଭାବେ ସରକାରୀ ଭାବେ ନିଯୁକ୍ତ କରିବା ସହିତ ତାଙ୍କର ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ତଥା ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଏକ ଲ୍ୟାପଟପ ମଧ୍ୟ ପ୍ରଦାନ କରିଛନ୍ତି । ଶ୍ରୀ ମାଙ୍କିଡିଆ ନିଯୁକ୍ତି ପାଇବା ପରେ ଜିଲ୍ଲା ପ୍ରସାଶନକୁ ଏଭଳି ସହାୟତା ପାଇଁ ଆନନ୍ଦ ପ୍ରକାଶ କରି କୃତଜ୍ଞତା ଜଣାଇଛନ୍ତି ।
ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସାଧାରଣ ରୁଦ୍ର ନାରାୟଣ ମହାନ୍ତି, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତରଞ୍ଜନ ମହାପାତ୍ର , ଜିଲ୍ଲା ଜରୁରୀ ଅଧିକାରୀ ସୁଜୟ କୁମାର ପତି, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବୀନ୍ଦ୍ର କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ । ବିଭିନ୍ନ ଆଦିମ ଜନଜାତିର ଶିକ୍ଷାର୍ଥୀ ମାନଙ୍କୁ ଶିକ୍ଷା କ୍ଷେତ୍ରରେ ପ୍ରତ୍ସାହିତ କରିବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ କରାଯାଇଥିବା ଏଭଳି କାର୍ଯ୍ୟକ୍ରମକୁ ବୁଦ୍ଧିଜିବୀ ମହଲରେ ପ୍ରଶଂଶା କରାଯାଇଛି । ଉଲ୍ଲେଖଯୋଗ୍ୟଯେ ବାୟାଙ୍କ ଦୁର୍ଦ୍ଦଶାକୁ ନେଇ ‘ସମ୍ବାଦ’ରେ ନିକଟରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା।
Follow Us