ସଂସଦରୁ ଇସ୍ତଫା ଦେଲେ ବୈଜୟନ୍ତ

Advertisment
ସଂସଦରୁ ଇସ୍ତଫା ଦେଲେ ବୈଜୟନ୍ତ

Outlook India

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଆଜି ଲୋକସଭା ସଭ୍ୟପଦରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫା ପତ୍ର ଲୋକସଭା ବାଚସ୍ପତି ସୁମିତ୍ରା ମହାଜନଙ୍କ ନିକଟକୁ ପଠାଇ ଦେଇଛନ୍ତି। ନିଜେ ଶ୍ରୀ ପଣ୍ଡା ଟ୍ଵିଟ୍‌ କରି ଇସ୍ତଫା ସମ୍ପର୍କରେ ସୂଚନା ଦେଇଛନ୍ତି। ଗତ ମାସ ୨୮ ତାରିଖରେ ଶ୍ରୀ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏକ ପତ୍ର ଲେଖି ନିଜର ଇସ୍ତଫା ସମ୍ପର୍କରେ ଜଣାଇଥିଲେ। ତାଙ୍କ ବାପା ବଂଶୀଧର ପଣ୍ଡାଙ୍କ ଦେହାନ୍ତ ହୋଇଯାଇଥିବାରୁ ଶୁଦ୍ଧି କ୍ରିୟା ସରିଲା ପରେ ସାଂସଦ ପଦରୁ ଇସ୍ତଫା ଦେବେ ବୋଲି ଜଣାଇଥିଲେ। ଆଜି ଟ୍ଵିଟ୍‌ କରି ଶ୍ରୀ ପଣ୍ଡା କହିଛନ୍ତି, ଶୁଦ୍ଧି କ୍ରିୟା ସରିଲା ପରେ ସେ ବାଚସ୍ପତିଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ସେ ବିଦେଶରେ ଥିବାରୁ ଭେଟି ପାରି ନ ଥିଲେ। ସେଥିପାଇଁ ଇସ୍ତଫା ଦେବାରେ କିଛିଟା ବିଳମ୍ବ ହେଲା।ଯଦିଓ ଶ୍ରୀ ପଣ୍ଡାଙ୍କ ଇସ୍ତଫା ଗୃହୀତ ହୋଇ ନାହିଁ, ତେବେ ସପ୍ତାହକ ଭିତରେ ଗୃହୀତ ହେବାର ସମ୍ଭାବନା ରହିଛି। ଇସ୍ତଫା ଗୃହୀତ ହେଲା ପରେ କେନ୍ଦ୍ରାପଡ଼ା ଲୋକସଭା ଆସନ ଖାଲି ପଡ଼ିବ। ଏଠାରେ ଉପନିର୍ବାଚନ ହେବା ନେଇ ବିଭିନ୍ନ ମହଲରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କିନ୍ତୁ ସେପରି କୌଣସି ସମ୍ଭାବନା ନାହିଁ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା ଆସନ ଖାଲି ହେଲା ପରେ ଏବେ ଦେଶରେ ୯ଟି ଲୋକସଭା ଆସନ ଖାଲି ରହିବ। କେନ୍ଦ୍ରାପଡ଼ା ବାଦ୍‌ କର୍ଣ୍ଣାଟକରୁ ୩ଟି ଆସନ ଖାଲି ରହିଛି। ଆନ୍ଧ୍ରପ୍ରଦେଶରୁ ୫ଟି ଆସନ ଖାଲି ପଡ଼ିବାକୁ ଯାଉଛି। ମେ’ ୧୫ରେ କର୍ଣ୍ଣାଟକ ନିର୍ବାଚନ ଫଳାଫଳ ଦିନ ବିଜେପିର ୟେଦରୁପ୍ପାଙ୍କ ସମେତ ଦୁଇ ଜଣ ସାଂସଦ ଇସ୍ତଫା ଦେଇଥିଲେ। ବାଚସ୍ପତି ମେ’ ୨୧ ତାରିଖରେ ସେମାନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରିନେଇଥିଲେ। ଗତ ଏପ୍ରିଲ୍‌ ମାସରେ ଆନ୍ଧପ୍ରଦେଶକୁ ସ୍ୱତନ୍ତ୍ର ରାଜ୍ୟ ପ୍ରଦାନ କରା ନ ଯିବା ପ୍ରତିବାଦରେ ଓ୍ଵାଇଏସ୍‌ଆର୍‌ କଂଗ୍ରେସର ୫ ଜଣ ସାଂସଦ ଇସ୍ତଫା ଦେଇଥିଲେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନଙ୍କ ଇସ୍ତଫା ଗୃହୀତ ହୋଇନାହିଁ। ତେବେ ଖୁବ୍‌ଶୀଘ୍ର ବାଚସ୍ପତି ଏହି ୫ ଜଣଙ୍କ ସମେତ ବୈଜୟନ୍ତଙ୍କ ଇସ୍ତଫାକୁ ଗ୍ରହଣ କରିପାରନ୍ତି ବୋଲି କୁହାଯାଉଛି।

ପୂର୍ବତନ ଲୋକସଭା ସେକ୍ରେଟାରି ଜେନେରାଲ୍‌ ଓ ସମ୍ବିଧାନ ବିଶେଷଜ୍ଞ ପିଡିଟି ଆଚାର୍ଯ୍ୟଙ୍କ କହିବା ଅନୁସାରେ ଲୋକସଭାର ଶେଷ ବର୍ଷ ଭିତରେ ଆସନ ଖାଲି ପଡ଼ିଲେ ଉପନିର୍ବାଚନ କରାଯାଏ ନାହିଁ। ଷୋଡ଼ଶ ଲୋକସଭା ମେ’ ୧୬ରେ ଗଠନ କରାଯାଇଥିଲା। ବର୍ତ୍ତମାନ ଷୋଡ଼ଶ ଲୋକସଭାର ଶେଷ ବର୍ଷ ଚାଲିଛି। ତେଣୁ ମେ’ ୧୬ ପରେ ୯ଟି ଆସନ ଖାଲି ହୋଇଥିବାରୁ ସେଠାରେ ଉପନିର୍ବାଚନ କରାଯିବାର ସମ୍ଭାବନା ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe