ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ, ୩.୫୧ ଲକ୍ଷ ଟଙ୍କା ଧରି ଯାଉଥିବାବେଳେ ଧରାପଡ଼ିଲେ

Advertisment
ବିଡିଓଙ୍କୁ ବାନ୍ଧିଲା ଭିଜିଲାନ୍ସ, ୩.୫୧ ଲକ୍ଷ ଟଙ୍କା ଧରି ଯାଉଥିବାବେଳେ ଧରାପଡ଼ିଲେ

ସୋନପୁର/ବିଜେପୁର : ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ମନାଭ ସାମନ୍ତରାୟ ଏକ ଭଡ଼ାକାର୍‌ରେ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ଧରି ଯାଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ପଚରାଉଚରା ପ‌ରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛନ୍ତି।

ଭିଜିଲାନ୍ସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିଡିଓ ଶ୍ରୀ ସାମନ୍ତରାୟ ଲକ୍ଷାଧିକ ଟଙ୍କା ଧରି ଏକ ଭଡ଼ା କାର୍‌ରେ ଭୁବନେଶ୍ବର ଯାଉଥିବା ଖବର ମିଳିଥିଲା। ସମ୍ବଲପୁର ଭିଜିଲାନ୍ସ ଏସ୍‌ପିଙ୍କ ନିର୍ଦ୍ଦେଶକ୍ରମେ ସୁବର୍ଣ୍ଣପୁର ଭିଜିଲାନ୍ସ ବିଭାଗ ବିନିକା ମହାନଦୀ ବ୍ରିଜ୍‌ ଛକ ନିକଟରେ ଉକ୍ତ କାର୍‌କୁ ଅଟକାଇଥିଲା। ଯାଞ୍ଚ ସମୟରେ କାର୍‌ରୁ ୩ ଲକ୍ଷ ୫୧ ହଜାର ୩ ଶହ ଟଙ୍କା ମିଳିଥିଲା। ଏହି ଟଙ୍କା ବାବଦରେ ବିଡିଓ ଶ୍ରୀ ସାମନ୍ତରାୟ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ, ତାଙ୍କୁ ଗିରଫ କରାଯାଇଛି ଏବଂ ବଲାଙ୍ଗୀର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏଥିସହିତ, ଭିଜିଲାନ୍ସ ବିଭାଗ ପକ୍ଷରୁ ବିଡିଓ ଶ୍ରୀ ସାମନ୍ତରାୟଙ୍କ ବିଜେପୁରସ୍ଥିତ ସରକାରୀ ବାସଭବନ, ଭୁବନେଶ୍ବର ବାସଭବନ ଏବଂ ନିଜ ଗ୍ରାମ ପୁରୀ ଜିଲ୍ଲା ଗଡ଼ଚାନ୍ଦପୁର ବାସଭବନରେ ଏକକାଳୀନ ଚଢ଼ଉ ଜାରି ରହିଛି। ବିଜେପୁରସ୍ଥିତ ସରକାରୀ ବାସଭବନରେ ବରଗଡ଼ ଭିଜିଲାନ୍ସ ବିଭାଗ ଚଢ଼ଉ କରିଥିଲା। ଯାଞ୍ଚ ସମୟରେ ତାଙ୍କ ସରକାରୀ ବାସଭାବନରୁ ନଗଦ ୪୫ ହଜାର ଟଙ୍କା ମିଳିଥିବା ଜଣାଯାଇଛି। ଏଥିସହ ଭିଜିଲାନ୍ସ ବିଭାଗ ପକ୍ଷରୁ ବିଭିନ୍ନ କାଗଜପତ୍ର ମଧ୍ୟ ଯାଞ୍ଚ କରାଯାଉଥିବା ଜଣାପଡ଼ିଛି।

ଉଲ୍ଲେଖଯୋଗ୍ୟ, ବିଡିଓ ଶ୍ରୀ ସାମନ୍ତରାୟ ୨୦୧୭ରେ ବିଜେପୁର ବିଡିଓ ଭାବରେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ଏବଂ, ସେ ବିଭିନ୍ନ ସମୟରେ ବିଜେପୁର ତହସିଲଦାର, ବିଜେପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ଶିଶୁ ମଙ୍ଗଳ ସଂପ୍ରସାରଣ ଅଧିକାରୀ ଭାବରେ କାର୍ଯ୍ୟ ତୁଲାଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe