Bend Bulletin
କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ପାଖରେ ଦେଖାଯାଉଥିବା ବିଭିନ୍ନ ଲକ୍ଷଣ ଏବେ ଉଦ୍ବେଗର କାରଣ ହେଲାଣି। ପରିସଂଖ୍ୟାନ କହୁଛି ଆଇସିୟୁରେ ରହି ଚିକିତ୍ସିତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରୁ ୨୦/୩୦ ପ୍ରତିଶତଙ୍କ ଦେହରେ ପୋଷ୍ଟ କୋଭିଡ ଲକ୍ଷଣ ଦେଖାଯାଉଛି। ସେମାନଙ୍କର ଚିକିତ୍ସା ସଂପର୍କରେ ଜାଣିବା ଏବେ ବେଶ୍ ଗୁରୁତ୍ବପୂର୍ଣ୍ଣ।
୧) ଧଇଁସଇଁ ହେବା
ଅନେକ ସମୟରେ ଲୋକଙ୍କର ଧଇଁସଇଁ ଅନୁଭବ ହେଉଛି। ହଠାତ୍ ଉଠିପଡିଲେ, ବାଥରୁମରୁ ଆସିଲେ ସେଭଳି ଅନୁଭବ ହେଉଛି ଅଥବା ଶରୀରରେ ଅକ୍ସିଜେନ୍ କମି ଯାଉଛି। ଏଥିପାଇଁ ଅକ୍ସିଜେନ ଥେରାପିର ଆବଶ୍ୟକତା ପଡିଥାଏ। ଏଥିପାଇଁ ନିବୁଲାଇଜର ଓ କିଛି ଅନ୍ୟ ଔଷଧର ଆବଶ୍ୟକତା ରହିଥାଏ। ଅକ୍ସିଜେନ ନେବା ସହିତ ଫିଜିଓଥେରାପି, ବ୍ୟାୟାମ ଆଦି କଲେ ଶରୀରରେ ସ୍ବଭାବିକ ଭାବେ ଅକ୍ସିଜେନର ମାତ୍ରା ବଢିଥାଏ।
୨) ଲଙ୍ଗ ଫାଇବ୍ରୋସିସ୍(ଫୁସ୍ଫୁସରେ ଦାଗ)
ଯେଉଁ ଆକ୍ରାନ୍ତଙ୍କ କୋଭିଡ୍ ସମୟରେ ଫୁସ୍ଫୁସ୍ ସଂକ୍ରମଣ ଅଧିକ ଥାଏ, ସେମାନଙ୍କ ମଧ୍ୟରୁ କିଛି ଆକ୍ରାନ୍ତଙ୍କ ଫୁସ୍ଫୁସ ମହୁଫେଣା ଭଳି ହୋଇଯାଏ। ଯାହାକି ସିଟି ସ୍କାନ୍ ଦ୍ବାରା ଜଣାପଡିଥାଏ। ସେହି ରୋଗୀମାନେ ଡାକ୍ତରଙ୍କ ପରାମର୍ଶରେ ବିଭିନ୍ନ ପ୍ରକାର ଆଣ୍ଟି ଫାଇବ୍ରୋଟିକ୍ ଔଷଧ ଖାଇବା ଦରକାର ପଡିଥାଏ। ତେଣୁ ଏହି ରୋଗୀମାନେ ନିୟମିତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ଓ ଚିକିତ୍ସା କରାନ୍ତୁ। ଏଥିସହିତ ବ୍ୟାୟାମ ମଧ୍ୟ ନିହାତି ଦରକାର।
୩) ଶ୍ବାସଜନିତ ରୋଗ
ସିଓପିଡି ଓ ଶ୍ବାସ ଥିବା ବ୍ୟକ୍ତି ଯଦି କରୋନା ସଂକ୍ରମିତ ହୋଇଥାନ୍ତି, ତାହେଲେ ସେମାନଙ୍କଠାରେ ଥିବା ଶ୍ବାସଜନିତ ରୋଗ ବଢିଯାଇଥାଏ। ତେଣୁ ସେମାନେ ଇନ୍ହେଲର ଠିକ୍ ଭାବରେ ବ୍ୟବହାର କରିବା ଓ ଆବଶ୍ୟକ ହେଲେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ ଓ ଚିକିତ୍ସା କରାଇବା ଦରକାର।
୪) ସାମାନ୍ୟ ଜ୍ବର ଲାଗି ରହିବା
ବିନା କାରଣରେ ଦେହରେ ସାମାନ୍ୟ ଜ୍ବର ଲାଗି ରହେ ( ୯୯.୬ରୁ ୧୦୦)। ତେଣୁ ସେଭଳି ଲକ୍ଷଣ ବା ସମସ୍ୟା ଦେଖାଦେଲେ ରୋଗୀ ବ୍ୟସ୍ତ ହେବା ଉଚିତ୍ ନୁହେଁ। ତା’ ସହିତ ଆଣ୍ଟିବାୟୋଟିକ୍ର ଅପବ୍ୟବହାର କରିବା ବା ଜ୍ବର ପାଇଁ ଆଣ୍ଟିବାୟୋଟିକ୍ ସେବନ କରିବା ଶରୀରରେ ଖରାପ ପ୍ରଭାବ ପକାଇଥାଏ। ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ। ତେବେ ଏହି ସମସ୍ୟା ଧୀରେ ଧୀରେ କମିଯିବ।
୫) ଆଣ୍ଠୁଗଣ୍ଠି ବ୍ୟଥା ଓ ମାଂସପେଶୀରେ ଯନ୍ତ୍ରଣା
ବହୁ ସଂକ୍ରମିତ ସୁସ୍ଥ ହେବା ପରେ ଆଣ୍ଠୁଗଣ୍ଠି ବ୍ୟଥା ଓ ମାଂସପେଶୀରେ ଯନ୍ତ୍ରଣା ଅନୁଭବ କରନ୍ତି। ଏପରିକି ସାଂସପେଶୀ କ୍ରାମ୍ ଲାଗିବା ଭଳି ମଧ୍ୟ ଅନୁଭବ ହେବ। ଏଥିପାଇଁ ସୁଷମ ଖାଦ୍ୟ, ବ୍ୟାୟାମ, ୱାକିଙ୍ଗ ଆଦି କରନ୍ତୁ। ଏଥିସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ନ୍ୟୁରୋ ଭିଟାମିନ ଖାଆନ୍ତୁ। ଏଥିପାଇଁ ଚିନ୍ତା କରିବାର କୌଣସି କାରଣ ନାହିଁ।
୬) ମୁଣ୍ଡ ବୁଲାଇବା
ବହୁ ଲୋକଙ୍କ ପାଖରେ ମୁଣ୍ଡ ବୁଲାଇବା ସମସ୍ୟା ଲାଗିରହୁଛି। ଫଳରେ ସେମାନେ ବ୍ୟସ୍ତ ବିବ୍ରତ ହୋଇପଡନ୍ତି। କରୋନା ଏକ ଭୂତାଣୁ ଜନିତ ରୋଗ ହୋଇଥିବାରୁ କାନର (କକ୍ଲିଆର ମେମ୍ବ୍ରେନ୍) ଉପରେ ତାହା ପ୍ରଭାବ କରିଥାଏ। ଯେଉଁ କାରଣରୁ ଶରୀର ନିଜ ସ୍ଥିତି ବଦଲାଇଲେ ବା ହଠାତ୍ ଉଠିପଡିବା, ବ୍ୟସ୍ତ ହୋଇ ଧଡପଡ ହୋଇ ଦୌଡିକି ଯିବା ଦ୍ବାରା ମୁଣ୍ଡ ବୁଲାଇଥାଏ। ତେଣୁ ଏ ସବୁରୁ ବିରତ ରୁହନ୍ତୁ। କୋଭିଡ୍ରୁ ସୁସ୍ଥ ହେବା ପରେ ଏଭଳି ସମସ୍ୟା ଦେଖାଦେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
କୋଭିଡ୍ ଏକ ସମସ୍ୟା ବା ରୋଗ ଯାହା ସମୟ ନେଇଥାଏ ଭଲ ହେବା ପାଇଁ। ତେଣୁ ଡାକ୍ତରଙ୍କ ଉପରେ ଭରସା କରନ୍ତୁ ଓ ଠିକ୍ ଭାବେ ଚିକିତ୍ସିତ ହୁଅନ୍ତୁ। ଭାଙ୍ଗିପଡନ୍ତୁ ନାହିଁ କିମ୍ବା ବ୍ୟସ୍ତ ହୁଅନ୍ତୁ ନାହିଁ।
Follow Us