ଗଛ ଲଗାଇବା ପାଇଁ ପ୍ରତିଯୋଗିତା ହେଉ: ମଙ୍ଗୁ ଖିଲ

Advertisment
ଗଛ ଲଗାଇବା ପାଇଁ ପ୍ରତିଯୋଗିତା ହେଉ: ମଙ୍ଗୁ ଖିଲ

ମାଲକାନଗିରି: ଏକଦା ମାଲକାନଗିରି ଅଞ୍ଚଳରେ ଦିନରେ ବାଘ ବୁଲୁଥିଲେ। ଏବେ ଜଙ୍ଗଲର ସୁରକ୍ଷା ପରିବର୍ତ୍ତେ ଲୋକେ ଗଛ କାଟିବା ପାଇଁ ପ୍ରତିଯୋଗିତା କରୁଛନ୍ତି। ଫଳରେ ସବୁଜ ସୁନ୍ଦର ଚିତ୍ରକୋଣ୍ଡା ନିର୍ବାଚନମଣ୍ଡଳୀ ଜଙ୍ଗଲ ଶୂନ୍ୟ ହେବାକୁ ବସିଲାଣି। ସ୍ଥାନୀୟ ମାଥିଲି ଗୋପବନ୍ଧୁ ମହାବିଦ୍ୟାଳୟ ପରିସରରେ ଆୟୋଜିତ ‘ପରିବେଶ ପଞ୍ଚାୟତ’ କାର୍ଯ୍ୟକ୍ରମରେ ବିଧାୟକ ମଙ୍ଗୁ ଖିଲ୍ ଏହା କହିଛନ୍ତି। ପିଲା ଦିନେ ସେ ଦେଖିଥିବା ଜଙ୍ଗଲ ଆଉ ବର୍ତ୍ତମାନର ଜଙ୍ଗଲ ଭିତରେ ଆକାଶ ପାତାଳ ତଫାତ୍‌। ପୂର୍ବରୁ ଜଙ୍ଗଲରେ ପ୍ରତିଦିନ ଭାଲୁ ଓ ବାଘଙ୍କର ଚିତ୍କାର ଶୁଭୁଥିଲା। ବହୁ ଔଷଧୀୟ ବୃକ୍ଷ ସହିତ ଫଳ ଗଛ ଜଙ୍ଗଲରେ ରହିଥିଲା। ଗାଁ ମୁଣ୍ଡ ତୋଟାରେ ଆମ୍ବ, ପଣସ, ନିମ୍ବ ଗଛ ସହ ବିଭିନ୍ନ ପ୍ରକାରର କୋଳି ଗଛ ଥିଲା। ଏବେ ଫଳ ଓ ଔଷଧୀୟ ବୃକ୍ଷ ବଦଳରେ ଲୋକେ ନୀଳଗିରି ଗଛ ଲଗାଉଛନ୍ତି। ଫଳରେ ଭୂତଳ ଜଳସ୍ତର କମିବାରେ ଲାଗିଛି। ଜଙ୍ଗଲ ବିଭାଗର ତତ୍ପରତା ସତ୍ତ୍ବେ ମାଫିଆଙ୍କ ଦୌରାତ୍ମ୍ୟ ଯୋଗୁ ଜଙ୍ଗଲକ୍ଷୟ ଦ୍ରୁତ ଗତିରେ ବଢ଼ି ଚାଲିଛି। ଜଙ୍ଗଲର ସୁରକ୍ଷା ଲାଗି ସମସ୍ତେ ସଚେତନ ହେବାର ଆବଶ୍ୟକତା ରହିଛି। ନଚେତ୍‌ ଆଗାମୀ ପିଢ଼ି ଅମ୍ଳଜାନ ସଙ୍କଟରେ ପଡ଼ିବେ ବୋଲି ବିଧାୟକ ଶ୍ରୀ ଖିଲ୍‌ ଚେତାଇ ଦେଇଥିଲେ।

ଅନ୍ୟ ଅତିଥିମାନଙ୍କ ମଧ୍ୟରେ ମାଥିଲି ବ୍ଲକ୍‌ ଅଧ୍ୟକ୍ଷ ମହେଶ ଚନ୍ଦ୍ର ବାକା, ପୂର୍ବତନ ବ୍ଲକ୍‌ ଅଧ୍ୟକ୍ଷ ସ୍ମୃତିରଂଜନ, ସରପଞ୍ଚ ନାକା କାନାୟା ନାୟକ, ସମିତିସଭ୍ୟ ବାଲରାଜୁ କୋପେ, ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ, ମହାବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର ଭଦ୍ର, ‘ପ୍ରେରଣା’ ଏସ୍‌ଏଚ୍‌ଜିର ସଭାନେତ୍ରୀ ସନ୍ତୋଷିନୀ ପାତ୍ର ଯୋଗ ଦେଇଥିଲେ। ଏହି ଅବସରରେ ପ୍ଲାଷ୍ଟିକ୍‌, ପଲିଥିନ୍‌ ବ୍ୟବହାର ନ କରିବା ପାଇଁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe