ସ୍କୁଲରେ ଭାଲୁ, ପାଠପଢ଼ା ବନ୍ଦ

ସ୍କୁଲରେ ଭାଲୁ, ପାଠପଢ଼ା ବନ୍ଦ

ନନ୍ଦାହାଣ୍ଡି/ନବରଙ୍ଗପୁର: ଖାଦ୍ୟ ଅନ୍ବେଷଣରେ ଆସିଥିବା ଭାଲୁ ବିଦ୍ୟାଳୟରେ ପଶିବାରୁ ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଦହଣା ପ୍ରାଥମିକ ବିଦ୍ୟାଳୟରେ ଆଜି ପାଠପଢ଼ା ବନ୍ଦ ହୋଇଥିଲା। ଭୟର ବାତାବରଣ ସୃଷ୍ଟି କରିବା ପରେ ଭାଲୁ ଗୋଟିଏ ଗଛରେ ଚଢ଼ି ଯାଇଥିଲା। ବନ ବିଭାଗ କର୍ମଚାରୀ ୬ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରି ଭାଲୁକୁ ଉଦ୍ଧାର କରିଛନ୍ତି।

ଆଜି ସକାଳେ ଦହଣା ପ୍ରାଥମିକ ବିଦ୍ୟାଳୟ ଖୋଲିବା ପୂର୍ବରୁ ଗୋଟିଏ ଭାଲୁ ପଶି ଆସିଥିଲା। ସକାଳ ୧୦ଟାରେ ଫାଟକ ଖୋଲି ପ୍ରଧାନଶିକ୍ଷକଙ୍କ ସମେତ ସହକାରୀ ଶିକ୍ଷକ ଓ ଶିକ୍ଷୟିତ୍ରୀ ଭିତରେ ପଶିବା ବେଳକୁ ଭାଲୁକୁ ଶୋଇଥିବା ଦେଖିଥିଲେ। ତୁରନ୍ତ ପିଲାଙ୍କୁ ଘରକୁ ପଠାଇ ଦେବା ସହ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଏହି ବିଷୟରେ ପ୍ରଧାନଶିକ୍ଷକ ଅବଗତ କରିଥିଲେ। ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମଧ୍ୟ ବିଦ୍ୟାଳୟରେ ପହଞ୍ଚି ତୁରନ୍ତ ଭାଲୁକୁ ଧରିବା ପାଇଁ ବନ ବିଭାଗ ସହିତ ଆଲୋଚନା କରିଥିଲେ।

ବନ ବିଭାଗ କର୍ମଚାରୀ ଓ ରାପିଡ୍‌ ରେସ୍‌ପନ୍ସ ଟିମ୍‌ ମିଳିତ ଭାବେ ଜାଲ ବିଛାଇ ଭାଲୁକୁ ଉଦ୍ଧାର କରିବା ନିମନ୍ତେ ପ୍ରୟାସ ଆରମ୍ଭ କରିଥିଲେ। କିନ୍ତୁ ଭାଲୁ ଭୟଭୀତ ହୋଇ ବିଦ୍ୟାଳୟ ପରିସରରେ ଥିବା ଗୋଟିଏ ଗଛ ଉପରେ ଚଢ଼ି ଯାଇଥିଲା। ଶେଷରେ ଭାଲୁକୁ ଟ୍ରଙ୍କୁଲାଇଜ୍‌ କରିଥିଲା ରାପିଡ୍‌ ରେସ୍‌ପେନ୍ସ ଟିମ୍‌। ଅଚେତ ଅବସ୍ଥାରେ ଭାଲକୁ ଗଛ ଉପରୁ ତଳକୁ ଖସାଇ ଉଦ୍ଧାର କରାଯାଇଥିଲା। ଭାଲୁ ସଂପୂର୍ଣ୍ଣ ସୁସ୍ଥ ଅଛି ଏବଂ ଜଙ୍ଗଲରେ ଛଡ଼ାଗଲା ବୋଲି ବନ ବିଭାଗ ସୂଚନା ଦେଇଛି। ଜଙ୍ଗଲ ନଷ୍ଟ ହେଉଥିବାରୁ ଖାଦ୍ୟ ସନ୍ଧାନରେ ଅନେକ ସମୟରେ ଭାଲୁ ଗାଁ ଭିତରକୁ ପଶି ଆସୁଥିବା ଗ୍ରାମବାସୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe