କଟାଗଛରେ ରଙ୍ଗବୋଳି ସୌନ୍ଦର୍ଯ୍ୟୀକରଣ: ରାସ୍ତା ସମ୍ପ୍ରସାରଣ ପାଇଁ କାଟି ଦେଇଥିଲେ

Advertisment
କଟାଗଛରେ ରଙ୍ଗବୋଳି ସୌନ୍ଦର୍ଯ୍ୟୀକରଣ: ରାସ୍ତା ସମ୍ପ୍ରସାରଣ ପାଇଁ କାଟି ଦେଇଥିଲେ

ବୌଦ୍ଧ: ବୌଦ୍ଧ ସହରରେ ଏକ ଅଜବ ଦୃଶ୍ୟ ସାମ୍ନାକୁ ଆସିଛି। କଚେରି ଛକରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ଗଲାବେଳେ ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ନିକଟରେ ବଡ଼ ବଡ଼ ଗଛ କଟା ହୋଇଯାଇଥିବା ବେଳେ ସେଗୁଡ଼ିକର ମୂଳ (ଗଣ୍ଡି)ଗୁଡ଼ିକ ରହିଛି। ସେଥିରେ ପୁଣି ରଙ୍ଗ ବୋଳି ସୌନ୍ଦର୍ଯ୍ୟୀକରଣ କରାଯାଇଛି। ଏହାକୁ ଦେଖି ଯେକେହି ବି ଆଶ୍ଚର୍ଯ୍ୟ ହେବା ସ୍ବାଭାବିକ। ବୁଝୁବୁଝୁ ଜଣାପଡ଼ିଲା ଯେ, କିଛିବର୍ଷ ତଳେ ଏହି ବିଶାଳକାୟ ଗଛଗୁଡ଼ିକୁ ରାସ୍ତା ପ୍ରଶସ୍ତୀକରଣ ପାଇଁ କାଟି ଦିଆଯାଇଥିଲା। ତେବେ ସମ୍ପୂର୍ଣ୍ଣ ଗଛଗୁଡ଼ିକୁ ନକାଟି ମୂଳଗୁଡ଼ିକୁ ଛାଡ଼ି ଦିଆଯାଇଥିଲା। ସେଗୁଡ଼ିକୁ ରଙ୍ଗ ବୋଳି, ଚିତ୍ର ଆଙ୍କି ଜନସାଧାରଣଙ୍କୁ ଗଛ ଲଗାଇବା ପାଇଁ ପ୍ରେରିତ କରିବା ଭଳି ସାମାଜିକ ବାର୍ତ୍ତା ଦେବାପାଇଁ ପଦକ୍ଷେପ ନିଆଯାଇଥିଲା। ‘ରାସ୍ତା ପାଇଁ ଗଛଗୁଡ଼ିକ ଜୀବନ ଦେଇଥିବାରୁ ସେମାନଙ୍କୁ କେହି ନଭୁଲିବା ଏବଂ ଗଛ ଲଗାଇ ମୂଲ ଶୁଝିବା’ ଭଳି ବାର୍ତ୍ତା ଥିବା ଏକ ହୋର୍ଡିଂ ମଧ୍ୟ ସେଠାରେ ଶୋଭାପାଉଛି। ଏଠାରେ ପ୍ରଶ୍ନ ଉଠୁଛି, ଯଦି ଗଛଗୁଡ଼ିକର ମୂଳ ରାସ୍ତା ତିଆରିରେ ବାଧକ ସାଜିଲେ ନାହିଁ, ତେବେ ତା’ର ଡାଳପତ୍ର କାଟି ଥୁଣ୍ଟା ସଜାଇ ଦେବାର କ’ଣ ଆବଶ୍ୟକତା ଥିଲା। ଯଦି ରାସ୍ତାରେ ଯାନବାହନ ଯିବା ଆସିବା ବେଳେ ବାଜିବାର ଆଶଙ୍କା ଥିଲା, ତେବେ ଗଛଗୁଡ଼ିକୁ ଡାଳପତ୍ରକୁ କଟାଯାଇ ପାରନ୍ତା। ଏତେ ବଡ଼ବଡ଼ ଗଛ ଯେଉଁ ପରିମାଣର ଅମ୍ଳଜାନ ବାୟୁମଣ୍ଡଳକୁ ଦେଉଥିଲେ, ବାୟୁମଣ୍ଡଳରୁ ଯେତେ ପରିମାଣର ଅଙ୍ଗାରକାମ୍ଳ ଶୋଷି ନେଉଥିଲେ, ତା’ର ଭରଣା ପାଇଁ କ’ଣ ପଦକ୍ଷେପ ନିଆଯାଇଛି? କେବଳ ଯାହା କଟାଗଛର ମୂଳକୁ ବିକଳ ରୂପ ଦେଇ ସଚେତନତା ବାର୍ତ୍ତା ଥିବା ହୋର୍ଡିଂଟିଏ ଲାଗାଇ ଦିଆଯାଇଛି। ଏହା ସେହି ବାଟ ଦେଇ ଯାଉଥିବା ପ୍ରତ୍ୟେକ ପରିବେଶପ୍ରେମୀଙ୍କୁ ବ୍ୟଥିତ କରିଛି।

ଇକୋ କ୍ଲବ୍‌ ସଂଯୋଜକ ତଥା ଉଦ୍ଭିଦବିଜ୍ଞାନୀ ପ୍ରବୀର ଦାସଙ୍କ ପ୍ରତିକ୍ରିୟା ନେବାରୁ ସେ କହିଛନ୍ତି, ଯେଉଁ ଗଛଗୁଡ଼ିକର ମୂଳଗୁଡ଼ିକୁ ନେଇ ସେଠାରେ ରଖାଯାଇଛି, ସେଗୁଡ଼ିକ କଚେରି ପଡ଼ିଆ ସମ୍ମୁଖରୁ କୋଭିଡ ସମୟରେ କଟାଯାଇଥିଲା। ସେଠାରେ ରାସ୍ତା ପ୍ରଶସ୍ତୀକରଣ ସହ ଡ୍ରେନ୍‌ ନିର୍ମାଣ ହୋଇଛି। କିନ୍ତୁ ଯେଉଁଭଳି ଭାବେ ସେଗୁଡ଼ିକୁ ରାସ୍ତା କଡ଼ରେ ରଖାଯାଇଛି, ତାହା ସାମାଜିକ ବାର୍ତ୍ତା ଦେବା ପରିବର୍ତ୍ତେ ବାଟୋଇଙ୍କ ମନରେ ନକରାତ୍ମକ ପ୍ରଭାବ ପକାଉଛି। ଗଛଗୁଡ଼ିକ ପ୍ରତି ଉପହାସ କଲାଭଳି ଲାଗୁଛି। ଏହା ପରିବର୍ତ୍ତେ ସେହି ସ୍ଥାନ ସହ ରାସ୍ତା ପ୍ରଶସ୍ତୀକରଣ ହେଲା ପରେ ଉଭୟ ପାର୍ଶ୍ୱରେ ବ୍ୟାପକ ବୃକ୍ଷରୋପଣ କରାଗଲେ, ଏହା ପରିବେଶ ସୁରକ୍ଷାରେ ସହାୟକ ହୋଇପାରିବ ବୋଲି ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe