ଜୁଲାଇରେ ବିଏଡ୍‌ ପ୍ରବେଶିକା ପରୀକ୍ଷା

ଜୁନ୍‌ ପହିଲାରୁ ସାମ୍‌ସ ପୋର୍ଟାଲରେ ଆବେଦନ, ଓଏସ୍‌ଏସ୍‌ବି ଦ୍ବାରା ଓଏମ୍‌ଆର ସିଟ୍‌ରେ ପରୀକ୍ଷା

ସାମସ୍‌ ପାଇଁ ନଷ୍ଟ ହେଉଛି ପ୍ରଥମ ସେମିଷ୍ଟର!

India TV

ଭୁବନେଶ୍ବର : ୨୦୨୨-୨୦୨୪ ଶିକ୍ଷାବର୍ଷରେ ବିଏଡ୍‌, ବିଏଚ୍‌ଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଓଏମ୍‌ଆର ବେସ୍‌ଡ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ୍‌ ବୋର୍ଡ(ଓଏସ୍‌ଏସ୍‌ବି) ଦ୍ବାରା ଜୁଲାଇ ମାସରେ ଏହି ପରୀକ୍ଷା ଆୟୋଜନ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଆଗ୍ରହୀ ଛାତ୍ରଛାତ୍ରୀ ସାମ୍‌ସ ପୋର୍ଟାଲ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିବେ। ଏଥିପାଇଁ ଆପାତତଃ ଜୁନ୍‌ ପହିଲାରୁ ପୋର୍ଟାଲ ଖୋଲିବାକୁ ଲକ୍ଷ୍ୟ ରଖାଯାଇଛି। ଆଗ୍ରହୀ ପ୍ରାର୍ଥୀମାନେ ଜୁନ୍‌ ୨୭ ମଧ୍ୟରେ ସାମ୍‌ସ ମାଧ୍ୟମରେ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା ଶେଷ ହେବା କ୍ଷଣି ସାମ୍‌ସ ପକ୍ଷରୁ ସମ୍ପୂର୍ଣ୍ଣ ତଥ୍ୟକୁ ଓଏସ୍‌ଏସ୍‌ବିକୁ ହସ୍ତାନ୍ତର କରାଯିବ। ଜୁଲାଇ ୩୧ ସୁଦ୍ଧା ରାଜ୍ୟର ୩୦ଟି ଜିଲ୍ଲା‌ରେ କେନ୍ଦ୍ର କରାଯାଇ ସେଠାରେ ପରୀକ୍ଷା ଆୟୋଜନ କରାଯିବ। ବିଭିନ୍ନ ପାଠ୍ୟକ୍ରମ ଲାଗି ଆବେଦନ କରିଥିବା ପ୍ରାର୍ଥୀଙ୍କ ସଂଖ୍ୟାକୁ ନଜରରେ ରଖି ଓଏସ୍‌ଏସ୍‌ବି ପକ୍ଷରୁ ପରୀକ୍ଷା କେନ୍ଦ୍ର ଚୟନ, ଓଏମ୍‌ଆର ସିଟ୍‌ ପ୍ରସ୍ତୁତ, ଆଡମିଟ୍‌ କାର୍ଡ ଜାରି, ଗୋଟିଏ ଦିନରେ ସମସ୍ତ କେନ୍ଦ୍ରରେ ପରୀକ୍ଷା ପରିଚାଳନା କରିବା ଦିଗରେ ଓଏସ୍‌ଏସ୍‌ବି ପଦକ୍ଷେପ ନେବ। ସ୍କୋରିଂ କି’ ଜାରି, ଉତ୍ତରଖାତା ମୂଲ୍ୟାୟନ, ପରୀକ୍ଷାଫଳ ପ୍ରକାଶ କରି ତାହାକୁ ଉଚ୍ଚଶିକ୍ଷା ବିଭାଗ ନିକଟରେ ଦାଖଲ କରିବେ। ପରୀକ୍ଷା ପରିଚାଳନା ଲାଗି ହେବାକୁ ଥିବା ଖର୍ଚ୍ଚ ବିଭାଗ ବହନ କରିବ। ଏହି ସମସ୍ତ ପ୍ରକ୍ରିୟା ସୁଚାରୁରୂପେ କରିବା ଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବ ରମାକାନ୍ତ ନାୟକ ଆଜି ଓଏସ୍‌ଏସ୍‌ବି ସଭାପତିଙ୍କୁ ଚିଠି ଲେଖିଛନ୍ତି।

୨୦୨୨-୨୩ ଶିକ୍ଷାବର୍ଷରେ ଶିକ୍ଷକ ଶିକ୍ଷା ପାଠ୍ୟକ୍ରମ(ଟିଇସି) ଥିବା ରାଜ୍ୟର ସମସ୍ତ ୧୬ଟି ଏକକ ଶିକ୍ଷାନୁଷ୍ଠାନରେ ୨ବର୍ଷିଆ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା କରାଯିବ। ମୋଟ ୧୮୫୦ ସିଟ୍‌ରେ ନାମଲେଖା ହେବ। ଏଥିସହ କଟକସ୍ଥିତ ଆରଏନ୍‌ଆଇଏଏସ୍‌ଇ, ସମ୍ବଲପୁରସ୍ଥିତ ଡ. ପିଏମ୍‌ ଆଇଏଏସ୍‌ଇ, ବ୍ରହ୍ମପୁରସ୍ଥିତ ଡିପି ଆଇଏଏସ୍‌ଇ, ଭୁବନେଶ୍ବରସ୍ଥିତ ଏନ୍‌ଡିଡବ୍ଲୁ ସିଟିଇ ଓ ଅନୁଗୁଳସ୍ଥିତ ଏନ୍‌କେସି ସିଟିଇର ୫୦ଟି ଲେଖାଏଁ ସିଟ୍‌ରେ ଦୁଇବର୍ଷିଆ ଏମ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା କରାଯିବ। ବିଜେବି ସ୍ବୟଂଶାସିତ କଲେଜ, ଭଦ୍ରକ ସ୍ବୟଂଶାସିତ କଲେଜ, କେନ୍ଦୁଝରସ୍ଥିତ ଡିଡି ସ୍ବୟଂଶାସିତ କଲେଜ, ସୁନ୍ଦରଗଡ଼ ସରକାରୀ ସ୍ବୟଂଶାସିତ କଲେଜ, ଜୟପୁରସ୍ଥିତ ବିକ୍ରମ ଦେବ ସ୍ବୟଂଶାସିତ କଲେଜ, କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟ, ପୁରୀସ୍ଥିତ ଏସ୍‌ସିଏସ୍‌ କଲେଜ, ବାରିପଦାସ୍ଥିତ ଏମ୍‌ପିସି କଲେଜ, ରାଜଧାନୀ କଲେଜ, ବରଗଡ଼ ପଞ୍ଚାୟତ କଲେଜ, ବାଲେଶ୍ବର ଏଫ୍‌ଏମ୍‌ ସ୍ବୟଂଶାସିତ କଲେଜରେ ସେଲ୍ଫ ଫାଇନାନ୍ସିଂ ମୋଡ୍‌ରେ ଚାଲୁଥିବା ଦୁଇବର୍ଷିଆ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe